ସେ ଫ୍ରାନ୍ସ୍, ଜର୍ମାନି ଏବଂ ହଙ୍ଗ୍ କଙ୍ଗ୍ ଆଦି ଦେଶ ଭ୍ରମଣ କରିଥିବା ଜଣେ ଲେଖିକା। ୧୩ଟି ବିଦେଶୀ ଭାଷା ସମେତ ତାଙ୍କ ବହି ୨୧ଟି ଭାଷାରେ ଅନୁବାଦିତ ହୋଇଛି। ଦେଶବ୍ୟାପୀ ବିଭିନ୍ନ ସାହିତ୍ୟ ସମାବେଶକୁ ବକ୍ତା ଭାବେ ସେ ନିମନ୍ତ୍ରଣ ପାଇଛନ୍ତି। କିନ୍ତୁ, ଜୀବନ ସବୁବେଳେ ତାଙ୍କ ପାଇଁ ଆରାମ ଦାୟକ ହୋଇ ପାରି ନ ଥିଲା।
୧୨ ବର୍ଷ ବୟସରେ ସେ ଜଣେ ୨୬ ବର୍ଷିୟ ବ୍ୟକ୍ତିଙ୍କୁ ବିଭା ହୋଇଥିଲେ। ୧୩ ବର୍ଷ ବୟସରେ ଜନ୍ମ ଦେଇଥିଲେ ପ୍ରଥମ ସନ୍ତାକୁ। ପରେ ପରେ ଜନ୍ମ ଦେଇଥିଲେ ଆଉ ଦୁଇଟି ସନ୍ତାନଙ୍କୁ। ବର୍ଷ ବର୍ଷ ଧରି ଘରୋଇ ହିଂସାର ମୁକାବିଲା କରି ସେ ନିଜର ସ୍ୱାମୀଙ୍କୁ ଛାଡ଼ି ଦିଲ୍ଲୀ ଚାଲି ଆସିଲେ। ସେତେବେଳକୁ ତାଙ୍କୁ ହୋଇଥିଲା ମାତ୍ର ୨୫ ବର୍ଷ।
ପାଠଶାଠ ପଢ଼ି ନ ଥବାରୁ ଏବଂ ଆର୍ଥିକ ସ୍ୱଚ୍ଛଳତା ନ ଥିବାରୁ ଘରର ଚାକରାଣୀ କାମ ଛଡ଼ା ଅନ୍ୟ କୌଣସି କାମ ପାଇ ନ ଥିଲେ ସେ। କିନ୍ତୁ, ଆଜି ସେ ଖ୍ୟାତି ସମ୍ପନ୍ନା ଲେଖିକା ବେବି ହାଲ୍ଦର୍।
କିନ୍ତୁ, ସେ ଘରର ମାଲିକ ତଥା ତାଙ୍କ ପରାମର୍ଶ ଦାତାଙ୍କ ବିନା ବେବି ଏଭଳି ସଫଳତା ପାଇ ପାରି ନ ଥାନ୍ତେ। ସେ ବ୍ୟକ୍ତିଜଣକ ହେଉଛନ୍ତି ପ୍ରସିଦ୍ଧ ଲେଖକ ମୁନ୍ସୀ ପ୍ରେମଚନ୍ଦଙ୍କ ନାତି ପ୍ରବୋଧ କୁମାର।
ନିଜ ମାତୃଭାଷା ବଙ୍ଗଳାରେ ନିଜ ଜୀବନ କାହାଣୀ ଲେଖିବାକୁ ପ୍ରବୋଧ କୁମାର ବେବିଙ୍କୁ ଉତ୍ସାହ ଦେଇଥିଲେ। ବେବି ଜୀବନ କଥା ଲେଖିବାବେଳେ ପ୍ରବୋଧ କୁମାର ତାହାକୁ ସମ୍ବାଦନ କରିବାରେ ତାଙ୍କୁ ସହାୟତା କରିଥିଲେ।
ପୁସ୍ତକ ଶିଳ୍ପର କେତେକ ବନ୍ଧୁଙ୍କ ସହ କଥାବାର୍ତ୍ତା କରିବା ପରେ ପାଣ୍ଡୁଲିପିଟିକୁ ପୁସ୍ତକ ରୂପ ଦେବାକୁ ସ୍ଥିର କଲେ ପ୍ରବୋଧ କୁମାର।
ସତକୁ ସତ ପ୍ରଥମ ଦିନରୁ ‘ଆଲୋ ଅନ୍ଧାରୀ’ ନାମକ ସେ ପୁସ୍ତକ ବହୁଳ ବିକ୍ରି ହେଲା। ୨୦୦୬ରେ ପ୍ରକାଶିତ ଏହି ପୁସ୍ତକ ତାଙ୍କର ଏକ ବଡ଼ କୃତ୍ୱି ହେବା ସହ ବହୁ ଭାଷାରେ ଅନୁବାଦିତ ହୋଇଥିଲା।
ବହୁଳ ବିକ୍ରୟ ପୁସ୍ତକର ଲେଖିକା ହେବାର ଗୌରବ ଅର୍ଜନ କରିବା ସତ୍ତ୍ୱେ ବେବନି ଚାକରାଣୀ ଭାବେ କାମ କରିବାକୁ ପସନ୍ଦ କରନ୍ତି।