କମଳାତ୍ମିକା ହେଉଛନ୍ତି ଦଶମ ମହାବିଦ୍ୟା। ସେ କମଳା ଓ କମଳାଳୟା ନାମରେ ମଧ୍ୟ ପରିଚିତା। ଏହି ମହାବିଦ୍ୟାଙ୍କର ନାମ କମଳ ବା ପଦ୍ମ ସହ ଜଡ଼ିତ। କମଳ ବା ପଦ୍ମମାନେ ତାଙ୍କର ଆତ୍ମଜ ଏବଂ ସେ ନିଜେ କମଳ ସ୍ୱରୂପିଣୀ। କମଳାଳୟା ଅର୍ଥରେ ଏହି ମହାଦେବୀ କମଳ ବା ପଦ୍ମରେ ନିବାସ କରନ୍ତି। ଏହି ଦେବୀଙ୍କୁ ତନ୍ତ୍ରର ଲକ୍ଷ୍ମୀ ଭାବରେ ମଧ୍ୟ ଗ୍ରହଣ କରାଯାଏ। ତେଣୁ ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏହି ମହାବିଦ୍ୟା ହେଉଛନ୍ତି ଶରୀରତନ୍ତ୍ରର ସମସ୍ତ ଐଶ୍ୱର୍ଯ୍ୟ ବା ଅନୁଭବର କାରଣ। ଧ୍ୟାନାନୁଭୂତିରେ କମଳା ହେଉଛନ୍ତି ଆଜ୍ଞାଚକ୍ରକୁ ସମସ୍ତ ଅନୁଭବର ଏକମାତ୍ର କର୍ତ୍ତା ଭାବେ ଦର୍ଶନ କରିବାର ଅନୁଭୂତି।

Advertisment

ଶରୀରରେ ଥିବା ଚେତନାବିନ୍ଦୁ ବା ଚକ୍ରମାନଙ୍କୁ ପଦ୍ମ ଭାବେ ଗ୍ରହଣ କରାହୁଏ। ଏହି ଚେତନା-ପଦ୍ମମାନେ ହିଁ କମଳାତ୍ମିକାଙ୍କ ପରିଚୟ। ତେଣୁ ସେ କମଳ ସ୍ୱରୂପିଣୀ। ଆଜ୍ଞାଚକ୍ରର ସ୍ଥିତି ଥିଲେ ହିଁ ଅନ୍ୟ ସବୁ ଚକ୍ର ବା ପଦ୍ମର ସ୍ଥିତି। ଆଜ୍ଞାଚକ୍ର ବା ଦ୍ୱିଦଳ ପଦ୍ମର ଚେତନା ହିଁ ନିମ୍ନସ୍ଥ ପାଞ୍ଚଟି ଚକ୍ରରେ କ୍ରିୟମାଣ ହୋଇଥାଏ। ତେଣୁ ଶରୀର-ତନ୍ତ୍ରର ସମସ୍ତ କମଳଙ୍କର ଦେବୀ ବା ମହାବିଦ୍ୟା ହେଉଛନ୍ତି ଆଜ୍ଞାଚକ୍ରରୂପୀ କମଳା। ଏହାଙ୍କ ମାଧ୍ୟମରେ ସାଧକ ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ କରେ। କେହି କେବେବି ସଂସାରର କୌଣସି ଉପାଦାନ ବା ଐଶ୍ୱର୍ଯ୍ୟକୁ ନିଜର କରିପାରିବ ନାହିଁ। କେବଳ କିଛି ସମୟ ପାଇଁ ଏଗୁଡ଼ିକର ଗୁଣ, ଶୋଭା ଓ ସୌନ୍ଦର୍ଯ୍ୟକୁ ଦର୍ଶନ, ଅନୁଭବ ବା ଉପଭୋଗ କରିହୁଏ। ଏହି ଅନୁଭବ ହେଉଛି ଜ୍ଞାନ ଏବଂ କୌଣସି ବିଷୟରେ ଜ୍ଞାନପ୍ରାପ୍ତି ହେଉଛି ପ୍ରକୃତ ଐଶ୍ୱର୍ଯ୍ୟ।
ଶରୀର-ତନ୍ତ୍ରର ସମସ୍ତ ଐଶ୍ୱର୍ଯ୍ୟ ବା ଜ୍ଞାନପ୍ରାପ୍ତିର କାରଣ ହୁଏ ମହାବିଦ୍ୟା କମଳାତ୍ମିକାଙ୍କ ଦର୍ଶନ। ସାଧକ ଅନୁଭବ କରନ୍ତି, ଯେ ଆଜ୍ଞାଚକ୍ରର ଚେତନାର ବ୍ୟାପ୍ତିଦ୍ୱାରା ହିଁ ପିଣ୍ଡବ୍ରହ୍ମାଣ୍ଡର ପ୍ରତି କୋଷିକାରେ ଜୀବନୀଶକ୍ତିର ପଦ୍ମ ପ୍ରସ୍ଫୁଟିତ ହୋଇଛି। ଏହି ମହାବିଦ୍ୟାଙ୍କ ନିକଟରେ ହାତୀ ଥାଆନ୍ତି। ହାତୀ ହେଉଛି ଶକ୍ତି, କର୍ମତତ୍ପରତା, ଐଶ୍ୱର୍ଯ୍ୟ ଓ ମନର ପ୍ରତୀକ। କମଳାତ୍ମିକାଙ୍କ ଦର୍ଶନ ପାଇଁ ଆବଶ୍ୟକ ହଏ ମନର ହାତୀ ଭଳି ମତ୍ତ ଶକ୍ତି, ଯାହା ଏକନିଷ୍ଠ ହୋଇ କୌଣସି ବାଧାବିଘ୍ନ ନମାନି ସାଧନାରେ ଆଗକୁ ମାଡ଼ିଚାଲେ।

ଏହି ମହାବିଦ୍ୟାଙ୍କର ତୃତୀୟ ନୟନ ଆଜ୍ଞାଚକ୍ରର ପ୍ରତୀକ। ଆଜ୍ଞାଚକ୍ରରେ କମଳାଙ୍କ ଦର୍ଶନ ଦ୍ୱାରା ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କର ସମସ୍ତ ଅଭାବ ଦୂର ହୁଏ। ସେ ଅନୁଭବ କରନ୍ତି, ଯେ ସଂସାରର ସମସ୍ତ ଅନୁଭବ ବା ଜ୍ଞାନରୂପୀ ଐଶ୍ୱର୍ଯ୍ୟର ଉତ୍ସ ତାଙ୍କ ଭିତରେ ବିଦ୍ୟମାନ। ଏଥି ସହିତ ସାଧକଙ୍କର ସବୁ ପ୍ରକାରର ଲୋଭ ମୋହ ମଧ୍ୟ ନଷ୍ଟ ହୋଇଯାଏ। ଏହା ହିଁ ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ କମଳାତ୍ମିକାଙ୍କର ପ୍ରକୃତ କୃପା।