ଅଗଷ୍ଟ ୧୧ରେ ଫେରିବ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ: କରୋନା କଟକଣା ପରେ ହାଇଦ୍ରାବାଦ ଓପନ୍‌ ହେବ ପ୍ରଥମ ପ୍ରତିଯୋଗିତା

International badminton will return on August 11

ହାଇଦ୍ରାବାଦ: ସାଂପ୍ରତିକ ବିଶ୍ବବ୍ୟାପୀ କରୋନା ମହାମାରୀ ଯୋଗୁଁ କ୍ରୀଡ଼ା ଦୁନିଆ ସ୍ଥାଣୁ ପାଲଟିଯାଇଛି। ଅଧିକାଂଶ ପ୍ରତିଯୋଗିତା ବାତିଲ ହୋଇଥିଲା ବେଳେ ଅନ୍ୟ କେତେକ ସ୍ଥଗିତ ରହିଛି। ତେବେ କୋଭିଡ୍‌-୧୯ କଟକଣାରେ କିଛି କୋହଳ ହେବା ପରେ ଏବେ ବ୍ୟାଡ୍‌ମିଣ୍ଟନ ପୁନଃଆରମ୍ଭ ନେଇ ଆଶା ସଞ୍ଚାର ହୋଇଛି। ଅଗଷ୍ଟ ୧୧ ତାରିଖରୁ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ ଫେରିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୫ରେ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଶେଷ ହେବାପରଠାରୁ ଆଉ କୌଣସି ବ୍ୟାଡ୍‌ମିଣ୍ଟନ ଖେଳାଯାଇନାହିଁ। ତେବେ ଅଗଷ୍ଟ ୧୧ ତାରିଖରୁ ପୁନଃଆରମ୍ଭ ହେବାକୁ ଯାଉଥିବା ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନରେ ହାଇଦ୍ରାବାଦ ଓପନ୍‌ ହିଁ ପ୍ରଥମ ପ୍ରତିଯୋଗିତା ହେବ। କରୋନା ମହାମାରୀ ଯୋଗୁଁ ଯଦିଓ ଅଧିକାଂଶ ପ୍ରମୁଖ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେନି ତଥାପି ୫ ମାସ ପରେ ଫେରିବାକୁ ଥିବା ବ୍ୟାଡ୍‌ମିଣ୍ଟନ ସଂପୂର୍ଣ୍ଣ ଭିନ୍ନ ରୂପ ନେବ।

ହାଇଦ୍ରାବାଦ ଓପନ୍‌ ପରେ ପରବର୍ତୀ ପ୍ରତିଯୋଗିତା ଭାବେ ଚାଇନା ମାଷ୍ଟର୍ସ ସୁପର ୧୦୦ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଲିଙ୍ଗ୍‌ସୁଇଠାରେ ଆୟୋଜିତ ହେବ। ଅନ୍ୟପକ୍ଷରେ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ତାଇପେଇ ଓପନ୍‌ ସୁପର ୩୦୦ରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ତାଇପେଇରେ ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ହେଲେ ପୁନଃଆରମ୍ଭ ପରେ ଚାଇନା ଓପନ୍‌ ୧୦୦୦ ହେବ ପ୍ରଥମ ବଡ଼ ପ୍ରତିଯୋଗିତା। ଏହା ଚାଙ୍ଗ୍‌ଝୁଠାରେ ଖେଳାଯିବ। ସେହିପରି ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ଓପନ୍‌ ବିଡବ୍ଲୁଏଫ୍‌ ସୁପର ୫୦୦ ପ୍ରତିଯୋଗିତା ଏବେ ନୂଆଦିଲ୍ଲୀରେ ଡିସେମ୍ବର ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସୟଦ୍‌ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ ସୁପର ୩୦୦ ପ୍ରତିଯୋଗିତା ଲକ୍ଷ୍ନୌରେ ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଫଳରେ ଗୁଆଙ୍ଗ୍‌ଝୁ‌ରେ ଆୟୋଜିତ ଋତୁ ଶେଷ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍‌ସ ଗୋଟିଏ ସପ୍ତାହ ଘୁଞ୍ଚିଯିବ। ଏହା ଡିସେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ୍‌ ଘୋଷଣା କରିଛି। ଆମେ ବହୁ ଯୋଜନା ଏବଂ ସଦସ୍ୟ ସଂଘମାନଙ୍କ ସହ ବିଚାରବିମର୍ଶ କରିବା ପରେ ପ୍ରତିଯୋଗିତା ଆୟୋଜନ ପୁନଃଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ବିଶ୍ବ ବ୍ୟାଡ୍‌ମିଣ୍ଟନ ସଂଘର ମହାସଚିବ ଥୋମାସ୍‌ ଲୁଣ୍ଡ୍‌। ବ୍ୟାଡ୍‌ମିଣ୍ଟନକୁ ଫେରାଇ ଆଣିବା ପାଇଁ ଯୋଜନା କରିବାରେ ଆମକୁ ବହୁତ ଅସୁବିଧା ହୋଇଛି। ତଥାପି ଆତ୍ମବିଶ୍ବାସ ସହ ଏହି କ୍ରୀଡ଼ାକୁ ଅଗେଇ ନେବାର ଯୋଜନା କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର