୬ ଥର ବିଜେତା ଜୋକୋଭିକ୍ଙ୍କ ବିଦାୟ
Sambad is now on WhatsApp
Join and get latest news updates delivered to you via WhatsApp
ଫେଡେରରଙ୍କ ଚର୍ତୁଦଶ କ୍ୱାର୍ଟର ପ୍ରବେଶ
କ୍ୱାର୍ଟର୍ରେ ହାଲେପ୍-ପି୍ଲସ୍କୋଭା, କର୍ବର-କିଜ୍ ମୁହାଁମୁହିଁ
ମେଲ୍ବର୍ନ: ଅଷ୍ଟ୍ରେଲିଆନ୍ ଓପନରେ ସୋମବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୬ ଥର ବିଜେତା ନୋଭାକ ଜୋକୋଭିକ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି।
ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ‘ଅଷ୍ଟ୍ରେଲିଆନ୍ ଓପନ୍’ର ପୁରୁଷ ଏକକ ପ୍ରିକ୍ୱାର୍ଟରରୁ ପୂର୍ବତନ ଶୀର୍ଷ ଖେଳାଳି ତଥା ୬ ଥରଥର ବିଜେତା ନୋଭକ୍ ଜୋକୋଭିକ୍ ଏବଂ ପଞ୍ଚମ ମାନ୍ୟତା ଡୋମିନିକ୍ ଥିମ୍ ବିଦାୟ ନେଇଛନ୍ତି। ସର୍ବିଆ ତାରକା ଜୋକୋଭିକ୍ ଅପ୍ରତ୍ୟାଶିତ ଭାବେ ୭-୬, ୭-୫, ୭-୬ ସେଟ୍ରେ ଦକ୍ଷିଣ କୋରିଆର ହୁନ୍ ଚୁଙ୍ଗ୍ଙ୍କଠୁ ହାରିଯାଇଥିଲେ। ସେପଟେ ଖେଳ ଜୀବନର ସବୁଠାରୁ ସ୍ମରଣୀୟ ବିଜୟ ସହ ୨୧ ବର୍ଷୀୟ ଚୁଙ୍ଗ୍ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ପକ୍କା କରି ନେଇଥିଲେ। ପରବର୍ତୀ ପର୍ଯ୍ୟାୟରେ ଚୁଙ୍ଗ୍ ଆମେରିକାର ତେନିସ୍ ସାଣ୍ଡ୍ଗ୍ରେନ୍ଙ୍କୁ ଭେଟିବେ।
ପ୍ରଥମ ଥର ଲାଗି କ୍ୱାର୍ଟର୍ ଫାଇନାଲ୍ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ସାଣ୍ଡ୍ଗ୍ରେନ୍ ଅଷ୍ଟ୍ରିଆର ଥିମ୍ଙ୍କୁ ୬-୨, ୪-୬, ୭-୬, ୬-୭, ୬-୩ ସେଟ୍ରେ ପରାସ୍ତ କରିଥିଲେ। ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ସ୍ୱିଜରଲାଣ୍ଡ୍ ତାରକା ରୋଜର ଫେଡେରର୍ ଚର୍ତୁଦଶ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ୬-୪, ୭-୬, ୬-୨ ସେଟ୍ରେ ହଙ୍ଗେରିଆର ମାର୍ଟନ୍ ଫୁସୋଭକ୍ସଙ୍କୁ ହରାଇଥିଲେ। କ୍ୱାର୍ଟର୍ ଫାଇନାଲ୍ରେ ଫେଡେରର୍ ଚେକ୍ଗଣରାଜ୍ୟର ତୋମକ୍ ବର୍ଦିଚ୍ଙ୍କୁ ଭେଟିବେ। ଊନ୍ନବିଂଶ ମାନ୍ୟତା ବର୍ଦିଚ୍ ୬-୧, ୬-୪, ୬-୪ ସେଟ୍ରେ ୨୫ ମାନ୍ୟତା ଇଟାଲିର ଫାବିଓ ଫଗନିନିଙ୍କୁ ପରାସ୍ତ କରିଥିଲେ।
ମହିଳା ଏକକ କ୍ୱାର୍ଟର୍ ଫାଇନାଲ୍ରେ ଶୀର୍ଷ ମାନ୍ୟତା ରୋମାନିଆ ସୁନ୍ଦରୀ ସିମୋନା ହାଲେପ୍ଙ୍କ ଭେଟ ଷଷ୍ଠ ମାନ୍ୟତା ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭାଙ୍କ ସହ ହେବ। ସେହିପରି ୨୧ ମାନ୍ୟତା ଜର୍ମାନିର ଆଞ୍ଜେଲିକ୍ କେର୍ବର୍ଙ୍କ ସପ୍ତଦଶ ମାନ୍ୟତା ଆମେରିକା ଲଳନା ମାଦିସନ୍ କିଜ୍ଙ୍କ ସହ ହେବ। ସୋମବାର ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ହାଲେପ୍ ୬-୩, ୬-୨ ସେଟ୍ରେ ଜାପାନ୍ର ନାଓମି ଓସକାଙ୍କୁ ହରାଇଥିଲେ। ପ୍ଲିସ୍କୋଭା ନିଜ ଦେଶର ୨୦ ମାନ୍ୟତା ଖେଳାଳି ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ୬-୭, ୬-୩, ୬-୨ ସେଟ୍ରେ, କେର୍ବର୍ ୪-୬, ୭-୫, ୬-୨ ସେଟ୍ରେ ତାଇଓ୍ଵାନ୍ର ସି ସୁ-େଓ୍ଵଇଙ୍କୁ ଏବଂ ମାଦିସନ୍ କିଜ୍ ୬-୩, ୬-୨ ସେଟ୍ରେ ଅଷ୍ଟମ ମାନ୍ୟତା କାରୋଲିନ୍ ଗ୍ରାସିଆଙ୍କୁ ପରାସ୍ତ କରି କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ।
ପୁରୁଷ ଯୁଗଳରୁ ଭାରତୀୟଙ୍କ ଅଭିଯାନ ଶେଷ
ପୁରୁଷ ଯୁଗଳରୁ ଭାରତୀୟ ଖେଳାଳିଙ୍କ ଅଭିଯାନ ଶେଷ ହୋଇଛି। ରବିବାର ଲିଆଣ୍ଡର ପେସ୍ ଓ ପୂରବ ରାଜା କ୍ୱାର୍ଟର୍ ଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲା ବେଳେ ସୋମବାର ପ୍ରି-କ୍ୱାର୍ଟର ଫାଇନାଲ୍ରୁ ଅଲଗା ଅଲଗା ସାଥୀଙ୍କୁ ନେଇ ଖେଳୁଥିବା ରୋହନ ବୋପାନ୍ନା ଏବଂ ଦିଭିଜ ସରଣ ନିଜ ନିଜ ମ୍ୟାଚ୍ ହାରି ବିଦାୟ ନେଇଥିଲେ। ଫ୍ରାନ୍ସର ଏଡଓ୍ଵାର୍ଡ ରୋଜର-ଭାସେଲିନ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୬-୪, ୬-୭, ୩-୬ ସେଟ୍ରେ ଅଷ୍ଟ୍ରିଆ ଓ କ୍ରୋଏସିଆ ଯୋଡ଼ି ଓଲିଭର ମାରାକ-ମାଟ୍ ପାଭିକ୍ଙ୍କଠୁ ହାରି ଯାଇଥିଲେ। ସେହିଭଳି ଆମେରିକାର ରାଜୀବ ରାମଙ୍କୁ ସାଥୀ କରିଥିବା ସରଣ ୬-୩, ୬-୭, ୪-୬ ସେଟ୍ରେ ପୋଲାଣ୍ଡ୍-ବ୍ରାଜିଲ ଯୋଡ଼ି ଲୁକାସ୍ କୁବୋଟ ଓ ମାର୍ସିଲୋ ମେଲୋଙ୍କଠୁ ପରାଜୟ ବରଣ କରିଥିଲେ।