କୋହଲି-ରାହାଣେ ଗଢ଼ିଲେ

ପର୍ଥ୨: ପ୍ରାରମ୍ଭିକ ଯୋଡ଼ି ପୁଣି ଥରେ ବିଫଳ ହେଲେ। ‌ପାଳି ଆରମ୍ଭ ହେଉ ହେଉ ଲୋକେଶ ରାହୁଲ (୨) ଓ ମୁରଲୀ ବିଜୟ (୦) ୮ ରନ୍ ଭିତରେ ପ୍ୟାଭିଲିୟନ ଫେରିଗଲେ। ତଥାପି କୋହଲି, ରାହାଣେ ଓ ପୂଜାରାଙ୍କ ପାଇଁ ଭାରତ ଶନିବାର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୧୭୨ ରନ୍ କରିନେଲା। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୨୬ ରନ୍‌ରେ ଅଟକି ଥିବାରୁ ହାତରେ ୭ ୱିକେଟ୍ ଥାଇ ଭାରତ ଏବେ ୧୫୪ ରନ୍ ପଛରେ ରହିଛି। ସେଥିପାଇଁ ପର୍ଥ ଟେଷ୍ଟର ରୋମାଞ୍ଚ ବଢ଼ି ଯାଇଛି। ଶନିବାର ବିଜୟ ଖାତା‌ ଖୋଲିବାକୁ ବିଫଳ ହେବା ପରେ ଆଡିଲେଡ୍ ବିଜୟର ନାୟକ ଚେତେଶ୍ବର ପୂଜାରା (୨୪) ତୃତୀୟ ଓଭରରେ ପଡ଼ିଆକୁ ଆସିବାକୁ ବାଧ୍ୟ ହେଲେ। ଅଧିନାୟକ ବିରାଟ କୋହଲି (୮୨*) ମଧ୍ୟ ପଞ୍ଚମ ଓଭରରେ ତାଙ୍କୁ ଯୋଗଦେବା ଛଡ଼ା ଅନ୍ୟ କୌଣସି ବାଟ ନଥିଲା। ଉଭୟ ଅସୀମ ଏକାଗ୍ରତାର ପରିଚୟ ଦେଇ ୱିକେଟ୍ ପତନ ଧାରାକୁ ସଫଳତାର ସହ ରୋକି ଦେଇଥିଲେ। ନୂଆ ବଲ୍‌ରେ ଅଷ୍ଟ୍ରେଲିଆ ବୋଲର କରୁଥିବା ଅଗ୍ନିବର୍ଷୀ ବୋଲିଂକୁ ଢେର କିଛି ସମୟ ସାହସର ସହ ପ୍ରତିହତ କରିଥିଲେ। ଏପରିକି ଚା’ ପାନ ବିରତି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ଆଉ ଖୁସି ହେବାର କୌଣସି ମୌକା ଦେଇ ନଥିଲେ। ବିରତି ପରେ କିନ୍ତୁ ପୂଜାରାଙ୍କ ପାଳିରେ ମିଚେଲ ଷ୍ଟାର୍କ ନିଜ ଇନସୁଇଙ୍ଗରରେ ପୂର୍ଣ୍ଣଛେଦ ଟାଣିଥିଲେ। ପୂଜାରା-କୋହଲି ମିଶି ତୃତୀୟ ୱିକେଟରେ ମହତ୍ବପୂର୍ଣ୍ଣ  ୭୪ ରନ୍ ଯୋଡ଼ିଥିଲେ। ଦିନର ପରବର୍ତୀ ୩୧.୪ ଓଭର ଖେଳରେ ଭାରତୀୟ ଅଧିନାୟକ କୋହଲି (୮୨*) ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୫୧*)ଙ୍କ ଯାଦୁ ଦେଖିବାକୁ ମିଳିଥିଲା। କଙ୍ଗାରୁ ବୋଲରଙ୍କୁ  ନୟାନ୍ତ କରି ଏହି ଦୁଇ ଜଣ ଅସମାପ୍ତ ଚତୁର୍ଥ ୱିକେଟରେ ୯୦ ରନ୍ ଯୋଡ଼ିଛନ୍ତି। ପୁଣି ଥରେ ପାଳି ଗଢ଼ିବା ସହ ଭାରତକୁ ସଙ୍କଟରୁ ମୁକାଳି ଭଲ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଉଭୟ ମଧ୍ୟ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଅପରାଜିତ ରହିଥିଲେ। ଦଶମ ଓଭରରେ ଜୋସ୍ ହାଜେଲଉଡଙ୍କୁ ତିନିଟି ଚୌକା ସହ କୋହଲି ତାଙ୍କ ୨୦ତମ ଟେଷ୍ଟ୍‌ ଅର୍ଧଶତକ ପୂରଣ କରିଥିଲେ। ରାହାଣେ ସପ୍ତଦଶ ଅର୍ଧଶତକ ହାସଲ କରି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଏହା ପୂର୍ବରୁ କୋହଲି-ପୂଜାରା ୱିକେଟ୍ ବଞ୍ଚାଇବା ଉପରେ ଧ୍ୟାନ ଦେଉଥିବାରୁ ଭାରତର ପରବର୍ତୀ ଚୌକା ୩୨ତମ ଓଭରରେ ଆସିଥିଲା।

ଇଶାନ୍ତଙ୍କ ଯୁଗଳ ଝଟ୍‌କା‌

ପୂର୍ବରୁ  ଅଷ୍ଟ୍ରେଲିଆ ଶନିବାର ସକାଳେ ପ୍ରଥମ ଦିନର ସ୍କୋର ୨୭୭/୬ରୁ ଖେଳ ଆରମ୍ଭ କରିଥିଲା। ଘରୋଇ ଦଳ ଏଥିରେ ଆଉ ୪୯ ରନ୍ ଯୋଡ଼ି ବଳକା ୪ ୱିକେଟ୍ ହରାଇଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଟିମ୍ ପାଇନ୍ (୩୮) ଓ ପ୍ୟାଟ୍ କମିନ୍ସ (୧୯) ବିପଜ୍ଜନକ ହେବା ପୂର୍ବରୁ ଭାରତୀୟ ବୋଲର ସେମାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। କମିନ୍ସ ବ୍ୟକ୍ତଗତ ସ୍କୋରରେ ଆଉ ମାତ୍ର ୮ ରନ୍ ଯୋଡ଼ିବା ପରେ ଉମେଶ ଯାଦବ ତାଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ସେହିଭଳି କଙ୍ଗାରୁ ଅଧିନାୟକ ପାଇନ୍‌ଙ୍କୁ ଯଶ୍‌ପ୍ରୀତ ବୁମରା ଶିକାର କରି ନେଇଥିଲେ। ଉଭୟ କମିନ୍ସ ଓ ପାଇନ୍ ୩୧୦ ସ୍କୋରରେ ଆଉଟ୍ ହୋଇଥିଲେ। ମିଚେଲ ଷ୍ଟାର୍କ (୬) ଓ ନାଥନ ଲିୟନ (୯*) ପାଳି ଆଗେଇ ନେଉଥିଲା ବେଳେ ଈଶାନ୍ତ ଶର୍ମା (୨୦.୩-୭-୪୧-୪) ଉଭୟଙ୍କୁ ଗୋଟିଏ ଓଭରରେ ଆଉଟ୍ କରି ଅଷ୍ଟ୍ରେଲିଆ ପାଳିକୁ ଶେଷ କରି ଦେଇଥିଲେ। ଈଶାନ୍ତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆରେ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ସେ ମଧ୍ୟ ଲଗାତାର ଦୁଇଟି ୱିକେଟ୍ ନେଇଥିବାରୁ ଦ୍ବିତୀୟ ପାଳିରେ ହ୍ୟାଟ୍ରିକ୍ ସୁଯୋଗରେ ରହିବେ।

ଦ୍ବିତୀୟ ଦିନର ସଂଖ୍ୟା ଖେଳ, ପର୍ଥ ଟେଷ୍ଟ

୪୧: ଟେଷ୍ଟ୍‌ରେ ଇଶାନ୍ତ ଶର୍ମା ୪୧ ଥର ପାଇଁ କୌଣସି ବ୍ୟାଟ୍ସମ୍ୟାନଙ୍କୁ ‘୦’ରେ ଆଉଟ କଲେ। ଏହା କରି ସେ ଜଭାଗଲ ଶ୍ରୀନାଥଙ୍କ କୀର୍ତ୍ତିମାନର ସମକକ୍ଷ ହେଲେ।  କେବଳ ଅନୀଲ କୁମ୍ବଲେ (୭୭), କପିଳ ଦେବ (୬୮), ହରଭଜନ ସିଂହ (୫୮), ରବିଚନ୍ଦ୍ରନ୍‌ ଅଶ୍ବିନ (୫୨) ଏକ୍ଷେତ୍ରରେ ତାଙ୍କ ଆଗରେ ରହିଛନ୍ତି।

୧୪.୪୧: ମୁରଲୀ ବିଜୟ ଓ ଲୋକେଶ ରାହୁଲ ଭାରତ ପାଇଁ ଦ୍ବାଦଶ ଥର ପାଳି ଆରମ୍ଭ କଲେ।  ଏଥିରେ  ସେମାନେ ମାତ୍ର ୧୪.୪୧ ହାରରେ ମୋଟ ୧୭୩ ରନ୍ କରିଛନ୍ତି। ଏହା ବିଦେଶରେ ଯେ କୌଣସି ଭାରତୀୟ ପ୍ରାରମ୍ଭିକ ଯୋଡ଼ିର ସବୁଠାରୁ ଖରାପ ପ୍ରଦର୍ଶନ।

୨୨: ବିଦେଶ ମାଟି‌ରେ ଗତ ୧୯ ପାଳିରେ  ଭାରତୀୟ ପ୍ରାରମ୍ଭିକ ଯୋଡ଼ି ମିଳିତ ଭାବେ ମାତ୍ର ୨୨ ହାରରେ ରନ୍ କରିଛନ୍ତି। ସେଥିମଧ୍ୟରେ ସର୍ବାଧିକ ଭାଗୀଦାରି ହେଉଛି ୬୩।

୪୦.୭୪: ଲୋକେଶ ରାହୁଲ ଟେଷ୍ଟ୍‌ରେ ଏଲ୍‌ବିଡବ୍ଲ୍ୟୁ କିମ୍ବା ବୋଲ୍ଡ ହେବାର ପ୍ରତିଶତ ହେଉଛି ୪୦.୭୪। ୫୪ ପାଳିରୁ ୨୨ ଥର ସେ ଏମିତି ଆଉଟ୍ ହୋଇଛନ୍ତି।

୧୧୮୨: ଚଳିତ ବର୍ଷ ଭାରତୀୟ ଅଧିନାୟକ ବିରାଟ କୋହଲି ୧୧୮୨ ରନ୍ କରିଛନ୍ତି।  ଯାହା କୌଣସି କ୍ୟାଲେଣ୍ଡର ବର୍ଷରେ କୋହଲିଙ୍କର ଦ୍ବିତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଗତବର୍ଷ କୋହଲି ୧୨୧୫ ରନ୍ କରିଥିଲେ।

୨୧: ଟେଷ୍ଟ୍‌ ଅଧିନାୟକ ଭାବେ କୋହଲି ୨୧ରୁ ଅଧିକ ଥର ୮୦ କିମ୍ବା ତା’ଠାରୁ ଅଧିକ ରନ୍ କଲେ। ଏହା କରି ସେ କ୍ଲାଇଭ୍ ଲୟଡ୍ ଓ ବ୍ରାଏନ ଲାରାଙ୍କୁ ଅତିକ୍ରମ କଲେ। ଏବେ କେବଳ ଗ୍ରେମ୍ ସ୍ମିଥ୍ (୩୧), ରିକି ପଣ୍ଟିଂ (୨୭) ଓ ଆଲାନ ବର୍ଡର (୨୩) ତାଙ୍କ ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର