ଗ୍ରିନିଜ-ହେନ୍ସଙ୍କୁ କାଟିଲେ ରୋହିତ-ଧାୱନ
ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଭାଗୀଦାରିରୁ ମିଳିଥିବା ୧୨୭୩ ରନ୍ ଏବେ ୱେଷ୍ଟଇଣ୍ଡିଜ୍ ମହାନ ଗର୍ଡନ ଗ୍ରିନିଜ୍-ଦେଶମଣ୍ଡ ହେନ୍ସଙ୍କୁ ପଛରେ ପକାଇ ଦେଇଛି। ରୋହିତ-ଧାୱନ ୨୨ ପାଳିରୁ ୧୨୭୩ ରନ୍ କରିଥିବା ବେଳେ ଗ୍ରିନିଜ୍-ହେନ୍ସ ୧୧୫୨ ରନ୍ ପାଇଁ ୨୯ ପାଳି ଖେଳିଥିଲେ। ଭାରତୀୟ ଯୋଡ଼ି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଷଷ୍ଠ ଥର ଶତକୀୟ ଭାଗୀଦାରି କରିଛନ୍ତି। ପରବର୍ତୀ ସର୍ବାଧିକ ୪ଟି ଶତକୀୟ ଭାଗୀଦାରି ୩ ହଳ ବ୍ୟାଟସମ୍ୟାନ୍ ଗ୍ରିନିଜ୍-ହେନ୍ସ, ଭିଭିଏସ୍ ଲକ୍ଷ୍ମଣ-ସଚିନ୍ ତେନ୍ଦୁଲକର ଏବଂ ଆଜିଙ୍କ୍ୟ ରାହାଣେ-ରୋହିତ ଶର୍ମାଙ୍କ ନାମରେ ରହିଛି। ତୃତୀୟ ଥର ପାଇଁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ଶତକୀୟ ଭାଗୀଦାରି ପ୍ରତିଷ୍ଠା ହୋଇଛି। ଅନ୍ୟ ଦୁଇ ଯୋଡ଼ି ହେଲେ ଇଂଲଣ୍ଡର ଗ୍ରାହାମ୍ ଗୁଚ୍-ଇଆନ୍ ବୋଥାମ (୧୯୯୨) ଏବଂ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ-ଗ୍ରେମ୍ ସ୍ମିଥ୍ (୨୦୦୭)। ଧାୱନ ଏବଂ ରୋହିତ ମଧ୍ୟ ନିଜ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୧୬ ଶତକୀୟ ଭାଗୀଦାରି କରିଛନ୍ତି। ଯାହାକି ତାଙ୍କୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍-ଆଦାମ୍ ଗିଲକ୍ରିଷ୍ଟ (୧୬)ଙ୍କ ସମକକ୍ଷ କରାଇଛି। ଶୀର୍ଷରେ ରହିଛନ୍ତି ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି (୨୧ ଶତକୀୟ ଭାଗୀଦାରି)। ସବୁ ୱିକେଟ୍କୁ ମିଶାଇଲେ ସଚିନ-ଗାଙ୍ଗୁଲି (୨୬), ତିଳକରତ୍ନେ ଦିଲସାନ-କୁମାର ସାଙ୍ଗାକାରା (୨୦) ଆଗରେ ରହିଛନ୍ତି। ରୋହିତ-ଧାୱନଙ୍କ ୧୬ ଶତକୀୟ ଭାଗୀଦାରି ମଧ୍ୟରୁ ୧୩ଟି ବିଜୟରେ ଲାଗିଛି। ମାତ୍ର ୨ ଥର ଭାରତ ହାରିଥିଲା ରବିବାର ମ୍ୟାଚ୍ ପୂର୍ବରୁ। ୨ ବର୍ଷ ତଳେ ଶ୍ରୀଲଙ୍କା ବିପକ୍ଷରେ ଏହି ଭାରତୀୟ ଯୋଡ଼ି ସମାନ ଓଭାଲ୍ ପଡ଼ିଆରେ ୧୩୭ ରନ୍ କରିବା ସତ୍ତ୍ବେ ଭାରତ ହାରିଥିଲା। ଅନ୍ୟ ଉଦାହରଣଟି ହେଉଛି ଚଳିତ ବର୍ଷର ମୋହାଲି ଦିନିକିଆ। ଯେତେବେଳେ ରୋହିତ-ଧାୱନ ପ୍ରଥମ ୱିକେଟ୍ ପାଇଁ ୧୯୩ ରନ୍ କରିବା ସତ୍ତ୍ବେ ଅଷ୍ଟ୍ରେଲିଆ ନିକଟରୁ ଭାରତ ହାରିଯାଇଥିଲା। ରବିବାର ରୋହିତ-ଧାୱନଙ୍କ ୧୨୭ ରନ୍ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ରେ ଦ୍ବିତୀୟ ସର୍ବୋଚ୍ଚ ପ୍ରଥମ ୱିକେଟ୍ ଭାଗୀଦାରି। ୨୦୦୭ରେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଏବଂ ଏବି ଡି’ଭିଲିୟର୍ସ ୧୬୦ ରନ୍ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶତକୀୟ ଭାଗୀଦାରି କୀର୍ତ୍ତି
କୌଣସି ଆଇସିସି ପ୍ରତିଯୋଗିତାରେ ରୋହିତ ଏବଂ ଧାୱନ ଷଷ୍ଠ ଥର ପାଇଁ ଶତକୀୟ ଭାଗୀଦାରି କରିବା ସହିତ ଆଦାମ୍ ଗିଲକ୍ରିଷ୍ଟ୍-ମାଥ୍ୟୁ ହେଡେନ୍ଙ୍କ ସମକକ୍ଷ ହୋଇଛନ୍ତି। ଦିଲସାନ୍-ସାଙ୍ଗାକାରା ୫ ଥର ଏବଂ ହରସେଲ୍ ଗିବ୍ସ-ଗ୍ୟାରି କର୍ଷ୍ଟେନ ୪ ଥର ଏଭଳି କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ରେ ସଂଗୃହୀତ ଶେଷ ୫ ଶତକ କିନ୍ତୁ ପ୍ରତିପକ୍ଷ ଦଳକୁ ବିଜୟ ଦେଇ ପାରିନଥିଲା। ୧୯୯୯ ମସିହାରେ ଅଜୟ ଜାଦେଜା (୧୦୦*), ନିଲ୍ ଜନ୍ସନ୍ (୧୩୨*), ହରସେଲ୍ ଗିବ୍ସ (୧୦୧), ୨୦୦୭ରେ କେଭିନ୍ ପିଟରସନ୍ (୧୦୪) ଏବଂ ୨୦୧୫ରେ କୁମାର ସାଙ୍ଗାକାରା (୧୦୪) ଏହି ୫ ହତଭାଗ୍ୟ ଖେଳାଳି ଥିଲେ।