ଦଲିପ ଟ୍ରଫି ସେମିରେ ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ ଦୃଢ଼

କୋଇମ୍ବାଟୁର/ସାଲେମ : ଦଲିପ ଟ୍ରଫି ସେମିଫାଇନାଲ୍‌ ଦ୍ବୟରେ ଦ୍ବିତୀୟ ଦିନରୁ ହିଁ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ସ୍ଥିତି ଦୃଢ଼ କରିନେଇଛନ୍ତି।

କୋଇମ୍ବାଟୁରଠାରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ୍‌ରର ଶୁକ୍ରବାର ମୋଟ ୧୪ ୱିକେଟ୍‌ର ପତନ ଘଟିଛି। ପଶ୍ଚିମାଞ୍ଚଳ ପ୍ରଥମ ପାଳି ମାତ୍ର ୨୫୭ ରନ୍‌ରେ ଶେଷ ହୋଇଥିଲେ ମଧ୍ୟ ଏହାର ‌ବୋଲରମା‌‌ନେ କେନ୍ଦ୍ରାଞ୍ଚଳର ପ୍ରଥମ ପାଳିକୁ ମାତ୍ର ୧୨୮ ରନ୍‌ରେ ଶେଷ କରିଦେଇଛନ୍ତି। ଅଧିନାୟକ କରଣ ଶର୍ମା ସର୍ବାଧିକ ୩୪ ରନ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେଙ୍କ ପଶ୍ଚିମାଞ୍ଚଳ ପକ୍ଷରୁ ତନୁଶ କୋଟିଆଁ (୩/୧୭), ଜୟଦେବ ଉନାଦକତ୍ (୩/୨୪), ଅତୀତ ‌ସେଠ (୨/୨୭), ଚିନ୍ତନ ଗଜା (୧/୨୫), ସାମ୍ସ ମୁଲାନି (୧/୩୦) ସମସ୍ତ ୧୦ ୱିକେଟ୍ ବାଣ୍ଟି ନେଇଥିଲେ। ପ୍ରଥମ ପାଳିରେ ୧୨୯ ରନ୍‌ର ଅଗ୍ରଣୀ ପାଇଥିବା ପଶ୍ଚିମାଞ୍ଚଳ ଦ୍ବିତୀୟ ଦିନ ଶେଷ ସୁଦ୍ଧା ୩ ୱିକେଟ୍‌ ବିନିମୟରେ ୧୩୦ ରନ୍‌ ସଂଗ୍ରହ କରିଛି। ଫଳରେ ହାତରେ ୭ ୱିକେଟ୍‌ ଥାଇ ଏହି ଦଳ ୨୫୯ ରନ୍‌ ଅଗ୍ରଣୀ ରହିଛି। ପ୍ରଥମ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବା ପୃଥୀ ସ’ ଦ୍ବିତୀୟ ପାଳିରେ ଆକର୍ଷଣୀୟ ଶତକ (୧୦୪*, ୯୬ ବଲ୍, ୧୧ ଚୌକା, ୩ ଛକା) ହାସଲ କରିଛନ୍ତି। ଅଧିନାୟକ ରାହାଣେ କିନ୍ତୁ ଉଭୟ ପାଳିରେ (୮, ୧୨) ବିଫଳ ହୋଇଛନ୍ତି। ପୃଥୀ ସ’ଙ୍କ ସହିତ ଅର୍ମାନ ଜାଫର (୭*) ଅପରାଜିତ ଅଛନ୍ତି। ଅଙ୍କିତ ରାଜପୁତ ୨ ଏବଂ ଅନିକେତ ଚୌଧୁରୀ ଗୋଟିଏ ୱିକେଟ୍ ନେଇଛନ୍ତି।

ସାଲେମରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଉତ୍ତରାଞ୍ଚଳ ବିପକ୍ଷରେ ୩ଟି ଶତକ ବଳରେ ଦକ୍ଷିଣାଞ୍ଚଳ ୬୩୦/୮ରେ ପାଳି ଘୋଷଣା କରିଛି। ରୋହନ କୁନୁମ୍ମଲ (୧୪୩), ହନୁମା ବିହାରୀ (୧୩୪)ଙ୍କ ପରେ ୱିକେଟରକ୍ଷକ ରିକି ଭୁଇ (୧୦୩*) ମଧ୍ୟ ଶତକ ହାସଲ କରିଥିଲେ। ରିକିଙ୍କ ଶତକ ହାସଲ ପରେ ଅଧିନାୟକ ହନୁମା ବିହାରୀ ପାଳି ଘୋଷଣା କରିଥିଲେ। ମୟଙ୍କ ଡଗର ୩ଟି ଏବଂ ନିଶାନ୍ତ ସିନ୍ଧୁ ଓ ପୁଲକିତ ନାରଙ୍ଗ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି। ଦ୍ବିତୀୟ ଦିନ ସୁଦ୍ଧା ଉତ୍ତରାଞ୍ଚଳ କୌଣସି ୱିକେଟ୍‌ ନ ହରାଇ ୨୪ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର