ବର୍ଣ୍ଣବୈଷମ୍ୟ ଲଢ଼େଇ ପାଇଁ ୭୫୬ କୋଟି ଦେ‌ଲେ ଜୋର୍ଡାନ

ନ୍ୟୁୟର୍କ: ମାନବ ସମାଜରେ ଥିବା ବର୍ଣ୍ଣବୈଷମ୍ୟତା, ଜାତିଆଣ ଭେଦଭାବ ଓ ଅସମାନତା ବିରୋଧରେ ଲଢ଼େଇ କରୁଥିବା ସାମାଜିକ ନ୍ୟାୟ ସଂସ୍ଥାଗୁଡ଼ିକୁ ୧୦୦ କୋଟି ନିୟୁତ ବା ପାଖାପାଖି ୭୫୬ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଆମେରିକୀୟ ବାସ୍କେଟବଲ୍ କିବଂଦନ୍ତି ମାଇକେଲ୍ ଜୋର୍ଡାନ। ଆସନ୍ତା ୧୦ ବର୍ଷ ମଧ୍ୟରେ ସେ ଏହି ଅନୁଦାନ ପ୍ରଦାନ କରିବେ। ଏହା ହେଉଛି କୌଣସି ଖେଳାଳି ସ୍ବେଚ୍ଛା‌ସେବୀ ସଂଗଠନଗୁଡ଼ିକୁ ଦେଇଥିବା ସର୍ବାଧିକ ଆର୍ଥିକ ସହାୟତା।

ସୂଚନାଯୋଗ୍ୟ ଯେ ଆମେରିକାର ଜଣେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ ପୁଲିସ ଅତ୍ୟାଚାରରେ ମୃତ୍ୟୁ ବରଣ କରିବା ପରେ ସମଗ୍ର ବିଶ୍ବରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୃଷ୍ଣକାୟମାନେ ସମ୍ମୁଖୀନ ହେଉଥିବା ଭେଦଭାବ ବିରୋଧରେ ଆମେରିକାର ୫୦ଟି ଯାକ ରାଜ୍ୟରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ଚାଲିଛି। ଏଭଳି ସ୍ଥିତିରେ ଆଫ୍ରିକୀୟ-ଆମେରିକୀୟ ଖେଳାଳି ଜୋର୍ଡାନଙ୍କ ଆର୍ଥିକ ସହାୟତା ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଆଗେଇ ଆସିବାକୁ ଅନୁପ୍ରେରିତ କରିବ ବୋଲି ଆଶା କରାଯାଉଛି। ଜୋର୍ଡାନଙ୍କ ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ୧୫୦୦୦ କୋଟି ଟଙ୍କାରୁ ଅଧିକ ହୋଇଥିଲା ବେଳେ ଏହି ଘଟଣା ତାଙ୍କୁ ଦୁଃଖିତ ଓ ବ୍ୟଥିତ କରିଛି ବୋଲି ଜୋର୍ଡାନ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର