ମୟଙ୍କଙ୍କ କାଉଣ୍ଟି ପ୍ରଦର୍ଶନ ଉପରେ ନଜର: ଏବେ ବି ସଙ୍ଗରୋଧରେ ପନ୍ତ୍‌, ସ‌ାହା

ଡରହାମ୍: ଭାରତୀୟ ଟେଷ୍ଟ୍ ଦଳରେ ନିଜ ସ୍ଥାନକୁ ପୁନଃ ହାସଲ କରିବା ନେଇ ଲଢ଼େଇ କରୁଥିବା ମୟଙ୍କ ଅଗ୍ରୱାଲକୁ ମଙ୍ଗଳବାରଠାରୁ ଏକ ସୁଯୋଗ ମିଳିଯିବ। କାରଣ ଭାରତୀୟ ଦଳକୁ ମିଳିଥିବା ଏକମାତ୍ର ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ମଙ୍ଗଳବାରଠାରୁ ଡରହାମ୍‌ରେ ଖେଳାଯିବ। କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷରେ ଭାରତୀୟ ଏକାଦଶ ଏହି ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌କୁ ମଧ୍ୟ ପ୍ରଥମ ଶ୍ରେଣୀ ମାନ୍ୟତା ମିଳିଛି। କୋଭିଡ୍‌ ପଜିଟିଭ୍‌ ଆସିବା ପରେ ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌ ଏବେ ବି ସଙ୍ଗରୋଧରେ ଥିବାରୁ କେଏଲ୍ ରାହୁଲ ୱିକେଟରକ୍ଷଣ ଦାୟିତ୍ବ ତୁଲାଇବା ନିଶ୍ଚିତ। ପନ୍ତ୍‌ ୧୦ ଦିନିଆ ସଙ୍ଗରୋଧରେ ଥିବା ବେଳେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ସୂଚନା ଦିଆଯାଇଛି। କିନ୍ତୁ ଭାରତୀୟ ଦଳର ସୁରକ୍ଷିତ ଜୈବ ବଳୟ ଭିତରକୁ ପନ୍ତ୍‌ଙ୍କ ପ୍ରବେଶରେ ବିଳମ୍ବ ହେବ। ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖା ଦେଇନଥିଲେ ମଧ୍ୟ ପର୍ଯ୍ୟପ୍ତ ବିଶ୍ରାମ ଲାଗି ପରାମର୍ଶ ଦିଆଯାଇଛି। ପ୍ରଥମ ଟେଷ୍ଟ୍ ପୂର୍ବରୁ ସେ ଅଭ୍ୟାସ ପାଇଁ ଉପଲବ୍‌ଧ ହେବେ କି ନା ସ୍ପଷ୍ଟ କରାଯାଇନାହିଁ। ପନ୍ତ୍‌ଙ୍କ କୋଭିଡ୍‌ ପଜିଟିଭ୍ ରିପୋର୍ଟ ଆସିବା ପରେ ସତକର୍ତତାମୂଳକ ପଦକ୍ଷେପ ସ୍ବରୂପ ଅନ୍ୟତମ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ ମଧ୍ୟ ଏକାନ୍ତବାସରେ ରଖାଯାଇଛି।

ତେବେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ କିଏ ରୋହିତ ଶର୍ମା ଓପନିଂ ଭାଗୀଦାର ହେବ ଆଲୋଚନା ଥମି ନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ଭଲ ଖେଳିଥିବା ଶୁଭମନ ଗିଲ୍‌ ଆହତ ହେବା ପରେ ଏହି ପ୍ରଶ୍ନ ଉଠିଛି। ମୟଙ୍କ ଅଷ୍ଟ୍ରେଲିଆରେ ଭଲ ଫର୍ମରେ ନ ରହିବାରୁ ପ୍ରଥମ ଦୁଇ ଟେଷ୍ଟ୍ ପରେ ବାଦ୍‌ ପଡ଼ିଥିଲେ। ଅବଶ୍ୟ ସଙ୍ଗରୋଧ ନିୟମ କାରଣରୁ ପ୍ରଥମ ଦୁଇ ଟେଷ୍ଟ୍‌ରେ ରୋହିତ ଶର୍ମା ଖେଳିପାରିନଥିବାରୁ ମୟଙ୍କ ସୁଯୋଗ ପାଇଥିଲେ। ପୂର୍ବରୁ ପାଳି ଆରମ୍ଭ କରି କେଏଲ ରାହୁଲ ୨୦୦୦ ରନ୍‌ କରିଥିବାରୁ ଏବେ ତାଙ୍କୁ ମଧ୍ୟକ୍ରମରେ ଖେଳାଇବା ଯୋଜନା ହେଉଛି। ୫ ମ୍ୟାଚ୍‌ ବିଶିଷ୍ଟ ଲମ୍ବା ଶୃଙ୍ଖଳା ହୋଇଥିବାରୁ ପରବର୍ତୀ ଭାଗରେ ଅଜିଙ୍କ୍ୟ ରାହାଣେ ସଂଘର୍ଷ କଲେ ରାହୁଲଙ୍କୁ ସୁଯୋଗ ମିଳିପାରେ। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା କାଉଣ୍ଟି ସିଲେକ୍ଟ ଏକାଦଶରେ ଇଂଲଣ୍ଡର ଏକମାତ୍ର ଅନ୍ତର୍ଜାତୀୟ ଖେଳାଳି ଜମ୍ସେ ବ୍ରେସି ରହିଛନ୍ତି। ଏହି ମ୍ୟାଚ୍‌ରେ ଭାରତ ଉଭୟ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କୁ ନିଶ୍ଚିତ ସୁଯୋଗ ଦେବ। ବୋଲିଂ ବିଭାଗରେ ମହମ୍ମଦ ସିରାଜ, ଯଶପ୍ରୀତ୍ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନ୍‌ ମଧ୍ୟ ଭଲ ଅଭ୍ୟାସ ପାଇବେ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର