ରାହୁଲ ସୁଯୋଗର ସଦୁପଯୋଗ କରନ୍ତୁ

-ହର୍ଷ ଭୋଗଲେ-

ଚଳିତ କ୍ରିକେଟ୍ ବିଶ୍ବକପ୍ ପାଇଁ ‘ବର୍ଷା’ ବିନା ନିମନ୍ତ୍ରଣରେ ହଠାତ୍ ପହଞ୍ଚି ଯାଇଥିବା ଅତିଥି। ପାୱାର ପ୍ଲେ, ମ୍ୟାଚ୍ ଫଳାଫଳ ଏବଂ ନେଟ୍ ରନ୍ ରେଟ୍ ଅପେକ୍ଷା ଇଂଲଣ୍ଡରେ ହେଉଥିବା ଅଦିନିଆ ବର୍ଷାକୁ ନେଇ ଏବେ ଅଧିକ ଚର୍ଚା। ଭାରତୀୟ କ୍ରିକେଟ୍‌ ଦଳର ୪ ନମ୍ବର ସ୍ଥାନକୁ ନେଇ ପୁଣି ଥରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ବହୁ ତର୍କ ବିତର୍କ ପରେ ରାହୁଲ ଏହି ସ୍ଥାନ ଅର୍ଜନ କରି ନେଇଥିଲେ। ଏବେ କିନ୍ତୁ ତାଙ୍କୁ ପାଳି ଆରମ୍ଭ କରିବାକୁ ପଡ଼ିବ। ଯେଉଁଠି ତାଙ୍କୁ ଅଧିକ ଧୈର୍ଯ୍ୟ, କଠୋରତା ଦେଖାଇ ପାଳି ଗଢ଼ିବାକୁ ପଡ଼ିବ। ନିକଟ ଅତୀତରେ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ଉତଥାନ ପତନ ଦେଇ ଗତି କରିଛି। ତେବେ ହଠାତ୍ ମିଳିଥିବା ନୂଆ ସୁଯୋଗର ରାହୁଲ ଭରପୁର ସଦୁପଯୋଗ କରିବା ଉଚିତ। ବିଶ୍ବକପ୍ ଏକ ଲମ୍ବା ପ୍ରତିଯୋଗିତା, ମାତ୍ର ୧୫ ଜଣରେ ଏହାକୁ ଖେଳିବା, ବିନା ରୋ‌ଷେୟାରେ ଭୋଜିର ଆୟୋଜନ କରିବା ଭଳି। ସେଥିପାଇଁ ସଂରକ୍ଷିତ ଖେଳାଳିମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ। ବିଶ୍ବକପ୍‌ରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଭାରତ ଏଭଳି ଅନିଶ୍ଚିତତା ପାଇଁ ଭଲ ବିକଳ୍ପ ବାଛିଛି। ଗୁରୁବାର ମ୍ୟାଚ୍ ପୂରା ୫୦ ଓଭରିଆ ହେଉ ବୋଲି ଭାରତ ଚାହୁଁଥିବ। ପ୍ରଥମ ଦୁଇ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମାନେ ୨ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ଥିବେ। ନ୍ୟୁଜିଲାଣ୍ଡ ପଏଣ୍ଟ ତାଲିକାର ଶୀର୍ଷରେ ଥିଲେ ମଧ୍ୟ କୌଣସି ବଡ଼ ଦଳକୁ ଏପର୍ଯ୍ୟନ୍ତ ଭେଟିନାହିଁ। ସେମାନେ ଏବେ ଲମ୍ବା ରେସ୍‌ରେ ପ୍ରାରମ୍ଭିକ ଅଗ୍ରଣୀ ଲାଭ କରିଥିବା ଖେଳାଳି ସଦୃଶ। ଆସନ୍ତାକାଲି ହିଁ କିୱି ଦଳ ପ୍ରଥମ ବଡ଼ ପ୍ରତିବନ୍ଧକର ସମ୍ମୁଖୀନ ହେବ। ପ୍ରତ୍ୟେକ ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ଥିଲେ ଭଲ ହୋଇଥାଆନ୍ତା। ହେଲେ ଏହାକୁ କାର୍ଯ୍ୟକାରୀ କରିବା ଅତି କଷ୍ଟକର। ଯେମିତି ଘୂର୍ଣ୍ଣିଝଡ଼ ଏବଂ ମରୁଡ଼ିକୁ ଘୃଣା କରିବା ସତ୍ତ୍ବେ କୃଷକକୁ ପ୍ରତ୍ୟେକ ବର୍ଷ ଶସ୍ୟ ଉତ୍ପାଦନ କରିବାକୁ ପଡ଼େ, ସେମିତି କ୍ରିକେଟରମାନେ ମଧ୍ୟ ଏହାକୁ ବୁଝି ସବୁବେଳେ ସବୁ ପ୍ରତିକୂଳ ପରିସ୍ଥିତିରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କଲେ ବହୁତ ଭଲ।

ସମ୍ବନ୍ଧିତ ଖବର