ପର୍ଥ, : ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍ ଏଲ୍)ରେ ମଙ୍ଗଳବାର ଭାରତୀୟ ପୁରୁଷ ଓ ମହିଳା ଦଳ ନିଜ ନିଜର ବିଜୟ ହାସଲ କରିଛନ୍ତି। ପୁରୁଷ ଦଳ ୨-୦ ଗୋଲ୍ରେ ଏସିଟି (ଅଷ୍ଟ୍ରେଲିଆନ୍ କ୍ୟାପିଟାଲ ଟେରିଟୋରି)କୁ ପରାସ୍ତ କରିଥିଲା ବେଳେ ମହିଳା ଦଳ ୧-୦ ଗୋଲରେ ତାସ୍ମାନିଆକୁ ହରାଇଛି। ଏସିଟି ବିପକ୍ଷରେ ଅଫାନ୍ ୟୁସୁଫ୍ (ପଞ୍ଚମ ମିନିଟ୍) ଓ ଅର୍ମନ୍ କ୍ୟୁରେସୀ (୪୬ ମିନିଟ୍) ଗୋଲ୍ କରି ଭାରତକୁ ଏକପାଖିଆ ବିଜୟ ଭେଟି ଦେଇଥିଲା ବେଳେ ସଂଗୀତା କୁମାରୀଙ୍କ ୧୯ ମିନିଟ୍ ଗୋଲ୍ ବଳରେ ମହିଳା ଦଳ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତାସ୍ମାନିଆକୁ ପରାସ୍ତ କରିଥିଲା। ଏହି ବିଜୟ ସହ ପୁରୁଷ ଦଳ ପୁଲ୍-ବିରୁ ଦ୍ୱିତୀୟ ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଯାଇଛି।
ଗ୍ରୁପ୍ ପର୍ଯ୍ୟାୟରେ ୪ ମ୍ୟାଚ୍ ଖେଳି ପୁରୁଷ ଦଳ ୨ ବିଜୟ ଓ ୧ ପରାଜୟ ପାଇଥିଲା ବେଳେ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖି ମୋଟ ୭ ପଏଣ୍ଟ ଅକ୍ତିଆର କରିନେଇଛି। ସେହିପରି ମହିଳା ଦଳ ଗ୍ରୁୁପ୍-ବିରେ ୪ ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲ କରିଛି। ଏହି ଦଳ ଗୋଟିଏ ମ୍ୟାଚ୍ ଅମୀମାଂସିତ ରଖିଥିଲା ବେଳେ ୩ ପରାଜୟ ବରଣ କରି ୩ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛି। ମହିଳା ଦଳ ଗ୍ରୁପ୍ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନ ପାଇଥିଲା ବେଳେ ଏବେ ପଞ୍ଚମରୁ ଦଶମ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ। ପୁରୁଷ ଦଳ ସେମିଫାଇନାଲ୍ ପର୍ଯ୍ୟାୟରେ ଗୁରୁବାର ଭିକ୍ଟୋରିଆ ଭିକିଙ୍ଗ୍ସ ସହ ମୁକାବିଲା କରିବାକୁ ଥିଲା ବେଳେ ମହିଳା ଦଳ ସେହି ଗୁରୁବାର େଓ୍ଵଷ୍ଟର୍ନ ଅଷ୍ଟ୍ରେଲିଆ ଡାଇମଣ୍ଡ୍ସକୁ ଭେଟିବ।