ଭୁବନେଶ୍ବର: ଆମେରିକା, କାନାଡ଼ା ସହିତ ୟୁରୋପୀୟ ଦେଶଗୁଡିକରେ ବହୁଳ ଭାବେ ଆଦୃତ ଓ ପ୍ରସାରିତ ଖେଳ ‘କର୍ଣ୍ଣହୋଲ୍’ ଓଡ଼ିଶା ବାଟ ହୋଇ ଭାରତ ପ୍ରବେଶ କରିଛି। ସ୍ପେଶାଲ୍ ଅଲିମ୍ପିକ୍ସ ଓଡ଼ିଶା ଚାପ୍ଟର ପକ୍ଷରୁ ଏହାର ଅନାବରଣ ଉତ୍ସବ ଭୁବନେଶ୍ବର ଉପକଣ୍ଠ ଭଗବାନପୁରଠାରେ ବୁଧବାର ଅନୁଷ୍ଠିତ ହୋଇଥିଲା। ସ୍ପେଶାଲ୍ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଏରିଆ ଡିରେକ୍ଟର ପ୍ରକାଶ ଚନ୍ଦ୍ର ରଥ ଏହି ଖେଳର ନିୟମାବଳୀ ଏବଂ ଖେଳିବା କୌଶଳ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ। ପରିଚାଳନାରେ ସୁଶ୍ରୀ ଅର୍ପିତା ମହାପାତ୍ର, କାଳନ୍ଦୀ ଚରଣ ଭୋଇ ପ୍ରମୁଖ ସହାୟତା କରିଥିଲେ। ୱେବିନାର ଜରିଆରେ ହୋଇଥିବା ଅନାବରଣ ଉତ୍ସବରେ ୧୭୦ରୁ ଉର୍ଦ୍ଧ୍ବ ପ୍ରଶିକ୍ଷକ, ଅଧିକାରୀ ଓ ଖେଳାଳି ଭାଗ ନେଇଥିଲେ। ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ଜାତୀୟ ସ୍ପୋର୍ଟସ ପରିଚାଳକ ଭିକ୍ଟର ରାଜ ଏବଂ ସୁଶ୍ରୀ ସୁଲେଖା ରାଣା ମଧ୍ୟ ଭାଗ ନେଇଥିଲେ। ନିମାପଡ଼ା ବ୍ଲକ୍ ନିଯୋଗ କଷୋଟିଠାରେ ୫୦ ଜଣ ଭିନ୍ନକ୍ଷମଙ୍କୁ ନେଇ ବିଶ୍ବର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଗେମ୍ ଚେଞ୍ଜର୍ ଅର୍ପିତା ମହାପାତ୍ର ଏହାକୁ ପରିଚାଳନା କରିଥିଲେ। ସ୍ପେଶାଲ୍ ଅଲିମ୍ପିକ୍ସ ଭାରତ ଏହାକୁ ଡେଭଲପମେଣ୍ଟାଲ୍ ସ୍ପୋର୍ଟସ ବିଭାଗରେ ରଖିଛି ଯାହାକୁ ହର୍ବାଲାଇଫ୍ ପ୍ରାୟୋଜିତ କରୁଛି। ସ୍ପେଶାଲ୍ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଏହାକୁ ଭାରତ ପଦାର୍ପଣ କରାଇବାରେ ପ୍ରମୁଖ ଭୂମିକା ନେଇଥିବାରୁ ଜାତୀୟ ସ୍ତରର ୱେବିନାରରେ ଉଚ୍ଚ ପ୍ରଶଂସା କରାଯାଇଛି।
କେମିତି ଖେଳାଯାଏ
ଆମେରିକା ସହିତ ୟୁରୋପରେ ବିଶେଷ ଭାବେ ଖେଳାଯାଉଥିବା ଏହି ଖେଳକୁ ଏକକ ଏବଂ ଯୁଗଳ ବର୍ଗରେ ଖେଳାଯାଏ। ଉଭୟ ଖେଳାଳି କିମ୍ବା ଦଳ ୨୭ ଫୁଟ ଦୂରତା ଏବଂ ୮ ଫୁଟ ଓସାର ବିଶିଷ୍ଟ ଇନ୍ଡୋର୍ କିମ୍ବା ଆଉଟ୍ ଡୋର୍ ପଡିଆରେ ଏହା ଖେଳିପାରିବେ। ୨ରୁ ୪ ଜଣ ଏଥିରେ ଖେଳିବେ। ଉଭୟ ପାର୍ଶ୍ବରେ ଅଧା ଟେକି ହୋଇ ଥିବା ବୋର୍ଡର ହୋଲ୍ ଲକ୍ଷ୍ୟରେ ମକାଭର୍ତ୍ତି ଛୋଟ ଛୋଟ ବ୍ୟାଗ୍କୁ ଫିଙ୍ଗିବାକୁ ହେବ। ହୋଲ୍ରେ ପଶିଲେ ୩ ପଏଣ୍ଟ ଏବଂ ବୋର୍ଡରେ ଅଟକିଲେ ୧ ପଏଣ୍ଟ ମିଳିବ। ପ୍ରଥମେ ୨୧ ପଏଣ୍ଟ ଅର୍ଜନ କରୁଥିବା ଖେଳାଳି କିମ୍ବା ଦଳ ବିଜୟୀ ହୋଇଥାଏ। ମକାଭର୍ତ୍ତି ବ୍ୟାଗ୍ ବ୍ୟବହାର ହେଉଥିବାରୁ ଏହି ଖେଳକୁ ବାଗୋ ମଧ୍ୟ କୁହାଯାଇଥାଏ।