ତିରୁବନ୍ତପୁରମ୍/ରୋହତକ୍/ଲକ୍ଷ୍ନୌ: କେରଳ, ସୌରାଷ୍ଟ୍ର ଓ ରେଳବାଇ ଚଳିତ ରଣଜୀ ଋତୁରେ ଦମ୍ଦାର ବିଜୟ ସହ ନିଜ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ତିନି ଦଳ ତିନି ଦିନ ମଧ୍ୟରେ ନିଜ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇଛନ୍ତି। ଘରୋଇ ପଡ଼ିଆରେ କେବଳ କେରଳ ମ୍ୟାଚ୍ ଜିତିଥିଲା ବେଳେ ଉଭୟ ହରିଆନା ଓ ଉତ୍ତର ପ୍ରଦେଶ ପରାଜୟର ସାମ୍ନା କରିଛନ୍ତି।
ତିରୁବନ୍ତପୁରମ୍ରେ ଖେଳାଯାଇଥିବା ଗ୍ରୁପ୍-ବିର ଏକ ମ୍ୟାଚ୍ରେ ଘରୋଇ କେରଳ ଦଳ ୯ ଓ୍ଵିକେଟ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ପ୍ରଥମ ପାଳିରେ ୨୦୨ ରନ୍ କରିଥିବା ଝାଡ଼ଖଣ୍ଡ ଦ୍ୱିତୀୟ ପାଳିରେ ମାତ୍ର ୮୯ ରନ୍ କରିପାରିଥିଲା। ଜବାବରେ ପ୍ରଥମ ପାଳିରେ ୨୫୯ ରନ୍ କରିଥିବା କେରଳ ୩୩ ରନ୍ର ବିଜୟ ଲକ୍ଷ୍ୟକୁ ଗୋଟିଏ ଓ୍ଵିକେଟ୍ ବିନିମୟରେ ହାସଲ କରିନେଇଥିଲା। ଝାଡ଼ଖଣ୍ଡ ପ୍ରଥମ ପାଳିରେ ୫୦ ରନ୍ରେ ୬ ଓ୍ଵିକେଟ୍ ନେଇଥିବା କେରଳ ବୋଲର ଜଲାଜ୍ ସାକ୍ସେନା ଦ୍ୱିତୀୟ ପାଳିରେ ୨୭ ରନ୍ରେ ୫ ଓ୍ଵିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ କେଏସ୍ ମନୀଷ ୪୨ ରନ୍ରେ ୪ ଓ୍ଵିକେଟ୍ ନେଇଥିଲେ। ୭୭ ରନ୍ରେ ମୋଟ ୧୧ ଓ୍ଵିକେଟ୍ ଅକ୍ତିଆର କରିଥିବା ସାକ୍ସେନା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ରୋହତକ୍ରେ ଖେଳାଯାଇଥିବା ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ଘରୋଇ ହରିଆନାକୁ ଏକ ପାଳି ଓ ୩୧ ରନ୍ରେ ସୌରାଷ୍ଟ୍ର ପରାସ୍ତ କରିଦେଇଛି। ସୌରାଷ୍ଟ୍ର ପ୍ରଥମ ପାଳିରେ ୨୭୮ ରନ୍ କରିବା ପରେ ହରିଆନାର ପ୍ରଥମ ପାଳିକୁ ୧୦୭ ଓ ଦ୍ୱିତୀୟ ପାଳିକୁ ୧୪୦ ରନ୍ରେ ଶେଷ କରିଦେଇଥିଲା। ପ୍ରଥମ ପାଳିରେ ବିଜୟୀ ଦଳ ପକ୍ଷରୁ ସାନନ୍ଦିଆ ୪, ଉନାଦ୍କଟ୍ ୩ ଓ ପଟେଲ ୩ ଓ୍ଵିକେଟ୍ ନେଇଥିଲା ବେଳେ ଦ୍ୱିତୀୟ ପାଳିରେ ଉନାଦ୍କଟ୍ ୩, ପଟେଲ ୩ ଓ ସାନନ୍ଦିଆ ୨ ଓ୍ଵିକେଟ୍ ନେଇଥିଲେ। ସୌରାଷ୍ଟ୍ର ପାଳିରେ ୬୮ ରନ୍ କରିଥିବା ପ୍ରେରକ ମଙ୍କଡ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।
ଅନ୍ୟପକ୍ଷରେ ଲକ୍ଷ୍ନୌରେ ଖେଳାଯାଇଥିବା ଗ୍ରୁପ୍-ଏର ଏକ ମୁକାବିଲାରେ ରେଳବାଇ ଦଳ ୨୧ ରନ୍ରେ ଘରୋଇ ଉତ୍ତର ପ୍ରଦେଶକୁ ପରାସ୍ତ କରିଦେଇଛି। ରେଳବାଇ ଦଳ ପ୍ରଥମ ପାଳିରେ ୧୮୨ ଓ ଦ୍ୱିତୀୟ ପାଳିରେ ୧୬୧ ରନ୍ କରିଥିଲା। ଫଳରେ ପ୍ରଥମ ପାଳିରେ ୨୫୦ ରନ୍ କରିଥିବା ଉତ୍ତର ପ୍ରଦେଶ ନିକଟରେ ୯୪ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ଘରୋଇ ଦଳ ଦ୍ୱିତୀୟ ପାଳିରେ ମାତ୍ର ୭୨ ରନ୍ କରିପାରିଥିଲା। ଅବିନାଶ ଯାଦବ (୪/୨୬), ଅନୁରିତ୍ ସିଂହ (୩/୨୫) ଓ ଡିଏନ୍ ବନ୍ସଲ (୨/୧୧) ଉତ୍ତର ପ୍ରଦେଶ ଦ୍ୱିତୀୟ ପାଳି ବିପର୍ଯ୍ୟୟ ଘଟାଇଥିଲେ। ଅବିନାଶ ଯାଦବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
କେରଳ, ସୌରାଷ୍ଟ୍ର, ରେଳବାଇ ବିଜୟୀ
/sambad/media/post_attachments/wp-content/uploads/2017/10/download-1-8.jpg)