ସମ୍ବଲପୁର/ଭୁବନେଶ୍ବର: ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସନ୍ତରଣରେ ବ୍ୟକ୍ତିଗତ ତଥା ରାଜ୍ୟ ପାଇଁ ଦ୍ବିତୀୟ ପଦକ ଜିତିଛନ୍ତି ପ୍ରତ୍ୟାଶା ରାୟ। ଶନିବାର ୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ରୌପ୍ୟ ଜିତିଥିବା ଏହି ଉଦୀୟମାନ ସନ୍ତରଣ ତାରକା ୨୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ମଧ୍ୟ ସେହି ସଫଳତା ଦୋହରାଇଛନ୍ତି। ସୋମବାର ଗୁଆହାଟୀର ଡ. ଜାକିର ହୁସେନ୍ ସନ୍ତରଣ କେନ୍ଦ୍ରରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟରେ ୨ ମିନିଟ୍ ୩୦.୮୫ ସେକେଣ୍ଡ ସମୟ ନେଇ ପ୍ରତ୍ୟାଶା ଦ୍ବିତୀୟ ରୌପ୍ୟ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଲ ସ୍ବର୍ଣ୍ଣ ଏବଂ ଆସାମର ରୈନିତା ଗୋଗୋଇ କାଂସ୍ୟ ପଦକ ପାଇଛନ୍ତି। ପ୍ରତ୍ୟାଶାଙ୍କ ପ୍ରଦର୍ଶନରେ ତାଙ୍କ ସହ ଯାଇଥବା ପ୍ରଶିକ୍ଷକ ଗଂଗାଧର ଓରାମ ସନ୍ତୋଷ ବ୍ୟକ୍ତ କରିଛନ୍ତି ଓ ସେ ଆହୁରି ପଦକ ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ପ୍ରତ୍ୟାଶାଙ୍କ ସଫଳତା ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରେରିତ କରିବ ବୋଲି ଓଡ଼ିଶା ସନ୍ତରଣ ସଂଘର କର୍ମକର୍ତ୍ତାମାନେ ଆଶାବ୍ୟକ୍ତ କରିଛନ୍ତି। ସୋମବାରର ଦ୍ବିତୀୟ ପଦକ ଓଡ଼ିଶା ବାଳିକା ହକିରୁ ପାଇଥିଲା। ଏଥି ସହିତ ଓଡ଼ିଶାର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ସେଥି ମଧ୍ୟରେ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୪ କାଂସ୍ୟ ପଦକ।
ଏହି ପ୍ରତିଯୋଗିତାରେ ସୋମବାର ଓଡ଼ିଶା ବାଳିକା ହକି ଦଳ କାଂସ୍ୟ ପଦକ ହାସଲ କରି ନେଇଥିଲା। ରାଜ୍ୟ ୧୭ ବର୍ଷରୁ କମ୍ ଦଳ ସୋମବାର ଖେଳିଥିବା କାଂସ୍ୟ ପଦକ ମ୍ୟାଚ୍ରେ ଆସାମକୁ ୨-୧ ଗୋଲ୍ରେ ପରାସ୍ତ କରି ଏହି ସଫଳତା ଲାଭ କରିଥିଲା। ଓଡ଼ିଶା ପକ୍ଷରୁ ଜ୍ୟୋତି ଛେତ୍ରୀ ପଞ୍ଚଦଶ ମିନିଟ୍ରେ ମ୍ୟାଚ୍ର ପ୍ରଥମ ଗୋଲ୍ ଦେଇଥିଲେ। ମାତ୍ର ଦୁଇ ମିନିଟ୍ ପରେ ଅସୀମା ରାଉତ ଆଉ ଏକ ଗୋଲ୍ ଦେବା ପରେ ପ୍ରଥମ କୋଡ଼ିଏ ମିନିଟ୍ ଭିତରେ ହିଁ ଓଡ଼ିଶା ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଏହି ଧାରା ୫୨ ମିନିଟ୍ ପର୍ଯ୍ୟନ୍ତ ଲାଗି ରହିଥିଲା। ତେବେ ୫୩ ମିନିଟ୍ରେ ଆୟୋଜକ ଆସାମ ପକ୍ଷରୁ ମିକା ସୁରିନ ସେଥିମଧ୍ୟରୁ ଗୋଟିଏ ଗୋଲ୍ ଶୁଝାଇ ଦେଇଥିଲେ। ପରବର୍ତୀ ୭ ମିନିଟ୍ ଖେଳରେ ଆସାମ ବହୁ ଚେଷ୍ଟା କରିଥିଲେ ମଧ୍ୟ ଓଡ଼ିଶା ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇ ନଥିଲା। ଫଳରେ ଓଡ଼ିଶା ଗୋଟିଏ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇ କାଂସ୍ୟ ପଦକ ହାସଲ କରିଥିଲା। ତେବେ ଓଡ଼ିଶା ୧୭ ବର୍ଷରୁ କମ୍ ବାଳକ ହକି ଦଳକୁ ଭାଗ୍ୟ ସାଥ୍ ଦେଇ ନଥିଲା। ତୀବ୍ର ସଂଘର୍ଷପୂର୍ଣ୍ଣ କାଂସ୍ୟ ପଦକ ମୁକାବିଲାର ନିର୍ଧାରିତ ସମୟ ମଧ୍ୟରେ ଉଭୟ ଓଡ଼ିଶା ଏବଂ ପ୍ରତିପକ୍ଷ ପଞ୍ଜାବ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ସେଥିପାଇଁ ମ୍ୟାଚ୍ର ଫଳାଫଳ ପେନାଲ୍ଟି ସୁଟ୍ଆଉଟ୍ରେ ନିର୍ଣ୍ଣୟ କରାଯାଇଥିଲା। ଏଥିରେ ପଞ୍ଜାବ ୩-୨ରେ ବାଜି ମାରି ନେଇଥିଲା। ଓଡ଼ିଶା ପାଇଁ ନିର୍ଧାରିତ ସମୟ ମଧ୍ୟରେ ପୈଲୁସ ଲାକ୍ରା (୧୯ ମିନିଟ୍) ଓ ଯସ୍ମାନ ମୁଣ୍ଡା (୨୫ ମିନିଟ୍) ଦେଇଥିଲେ।
ଖେଲୋ ଇଣ୍ଡିଆ: ପ୍ରତ୍ୟାଶାଙ୍କୁ ଦ୍ବିତୀୟ ରୌପ୍ୟ, ହକିରୁ କାଂସ୍ୟ
/sambad/media/post_attachments/wp-content/uploads/2020/01/fs54hsf574h89fs7h98fs74hsf4h65sf4h65fs4h65sf4h65sf4h65f4sh65fs4hsfhfshsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)