ଭୁବନେଶ୍ବର : କରୋନା ମହାମାରୀର ପ୍ରକୋପ ପାଇଁ କ୍ରିକେଟ୍ ଦୁନିଆ ଏବେ ଠପ୍ ହୋଇଯାଇଛି। ନା ଖେଳ ହେଉଛି, ନା ଖେଳାଳି ବାହାରକୁ ବାହାରି ପାରୁଛନ୍ତି। ବର୍ଷ ସାରା ଗହଳ ଚହଳ ରହୁଥିବା କ୍ରିକେଟ୍ ପଡ଼ିଆ ଏବେ ପୂରା ଖାଁ ଖାଁ। ହେଲେ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀଙ୍କ ଏକ ବୟାନ ପାଇଁ ଭାରତୀୟ କ୍ରିକେଟ୍ ଜଗତ ଗତ ଦୁଇ ଦିନ ହେବ ଅଚାନକ ଚଳଚଞ୍ଚଳ ହୋଇ ଯାଇଛି। ଚାରିଆଡ଼େ ଶାସ୍ତ୍ରୀଙ୍କ ସେହି ବୟାନକୁ ନେଇ ଚର୍ଚା। ୧୯୮୫ ମସିହାର ବେନସନ୍ ଆଣ୍ଡ୍ ହେଜେସ୍ ବିଶ୍ବ ଚାମ୍ପିଅନସିପ୍ ଜିତିଥିବା ମହାନ କ୍ରିକେଟର ସୁନିଲ ଗାଭାସ୍କରଙ୍କ ଦଳ ଭଲ ନା ବିରାଟ କୋହଲିଙ୍କ ନେତୃତ୍ବାଧୀନ ସାଂପ୍ରତିକ ଭାରତୀୟ ଦଳ ଭଲ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। କାରଣ ଶାସ୍ତ୍ରୀଙ୍କ ମତରେ ୧୯୮୫ ମସିହାର ସେହି ଦଳ ଏବେକାର କୋହଲି ବାହିନୀକୁ ଧୂଳି ଚଟାଇବାକୁ ପୂରା ସକ୍ଷମ ଥିଲା। ସେହି ଦଳ ଯେ କୌଣସି ସମୟ ଓ ସ୍ଥାନରେ କୋହଲି ବାହିନୀକୁ ଅଡ଼ୁଆରେ ପକାଇବାର ଦମ୍ଭ ରଖୁଥିଲା ବୋଲି ଶସ୍ତ୍ରୀ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। କ୍ରିକେଟ୍‌ର ଗୋଟିଏ ପିଢ଼ି ସହ ଅନ୍ୟ ପିଢ଼ିର ତୁଳନା ଏକ ବିତର୍କିତ ବିଷୟ ହେଲେ ମଧ୍ୟ ଶାସ୍ତ୍ରୀଙ୍କ ସିଧା କଥା ପରେ, ବିଶେଷଜ୍ଞମାନେ ଏଥିନେଇ ବିଭାଜିତ ମତ ପୋଷଣ କରିଛନ୍ତି। ତେବେ ଶାସ୍ତ୍ରୀ ଉଭୟ ଦଳ ସହ (ସେତେବେଳେ ଖେଳାଳି ଏବେ ପ୍ରଶିକ୍ଷକ) ଜଡ଼ିତ ଥିବାରୁ ତାଙ୍କ ମତ ହୁଏତ ଠିକ୍ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Advertisment

publive-image ୧୯୮୫ ମସିହା ଭାରତୀୟ ଦଳ
ସୁନିଲ ଗାଭାସ୍କର (ଅଧିନାୟକ), ମହିନ୍ଦର ଅମରନାଥ, ମହମ୍ମଦ ଆଝାରୁଦ୍ଦିନ, ରୋଜର ବିନ୍ନି, କପିଳ ଦେବ, ମଦନ ଲାଲ, ଚେତନ ଶର୍ମା, ରବି ଶାସ୍ତ୍ରୀ, ଲକ୍ଷ୍ମଣ ଶିବରାମକୃଷ୍ଣନ୍, କୃଷ୍ଟମାଚାରି ଶ୍ରୀକାନ୍ତ, ଦିଲୀପ ଭେଙ୍ଗସରକାର, ସଦାନନ୍ଦ ବିଶ୍ବନାଥ, ମନୋଜ ପ୍ରଭାକର, ଅଶୋକ ମାଲହୋତ୍ରା।

ଖାଲି କୋହଲି ବାହିନୀ ନୁହଁ, ୮୫’ ଦଳ ୮୩’ଠୁ ବି ଭଲ ଥିଲା: ଶାସ୍ତ୍ରୀ
ଅଶି ଦଶକକୁ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ସୁବର୍ଣ୍ଣ ଯୁଗର ମାନ୍ୟତା ମିଳେ। ୧୯୮୩ ମସିହାରେ ଭାରତ ନାଟକୀୟ ଢଙ୍ଗରେ ଦୁର୍ଦ୍ଧର୍ଷ ତଥା ତାରକା ଖଚିତ ୱେଷ୍ଟଇଣ୍ଡିଜ୍ ଦଳକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବ ବିଜେତା ହୋଇଥିଲା। ମାତ୍ର ଦୁଇ ବର୍ଷ ପରେ ଅଷ୍ଟ୍ରେଲିଆରେ ଆୟୋଜିତ ବେନସନ୍ ଆଣ୍ଡ ହେଜେସ୍ ବିଶ୍ବ ଚାମ୍ପିଅନସିପ୍ ଜିତି ନିଜ ଶ୍ରେଷ୍ଠତ୍ବକୁ ପୁଣି ଥରେ ପ୍ରମାଣିତ କରିଥିଲା ଭାରତ। ୧୯୮୩ରେ ମହାନ ଅଲରାଉଣ୍ଡର କପିଳ ଦେବଙ୍କ ନେତୃତ୍ବରେ ତତ୍‌କାଳୀନ ଭାରତୀୟ କ୍ରିକେଟ୍ ଦଳ କ୍ରିକେଟ୍‌ର ମକ୍କା ‘ଲର୍ଡସ’ରେ ନୂଆ ଇତିହାସ ରଚିଥିଲା। ଅନ୍ୟପକ୍ଷରେ ୧୯୮୫ରେ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ବିଶ୍ବ ଚାମ୍ପିଅନସିପରେ ବିଜେତା ହୋଇଥିଲା। ଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜେତା ହେବା ଖେଳାଳିଙ୍କ ସହ କୋଟି କୋଟି ଭାରତୀୟଙ୍କ ଖୁସି ବହୁଗୁଣା ବଢ଼ାଇ ଦେଇଥିଲା। ସଂଯୋଗବଶତଃ ଏବେକାର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସେହି ଚାମ୍ପିଅନସିପର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶାସ୍ତ୍ରୀ ଏଥିପାଇଁ ଦାମୀ ଅଡି କାର୍‌ ପୁରସ୍କାର ବାବଦରେ ପାଇଥିଲେ। ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ସେହି କାର୍‌ରେ ମେଲବର୍ନ ପଡ଼ିଆ ଭିତରେ ବୁଲି ଉତ୍ସବ ପାଳନ କରିବାର ଦୃଶ୍ୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ସୁଖଦ ସ୍ମୃତି ହୋଇ ରହିଛି। ଏହି ଘଟଣାକୁ ୩୫ ବର୍ଷ ବିତି ଗଲାଣି। ଶାସ୍ତ୍ରୀ କିନ୍ତୁ ସେଦିନର ସେହି ଅନନ୍ୟ ସଫଳତାକୁ ଭୁଲି ନାହାନ୍ତି। ଏକ ଅନ୍‌ଲାଇନ୍ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶାସ୍ତ୍ରୀ ଭାରତର ସେହି ସଫଳତା ନେଇ ବହୁତ ବଡ଼ ବୟାନ ଦେଇଛନ୍ତି। ଗୋଟିଏ ପିଢ଼ିର କ୍ରିକେଟରଙ୍କ ସଫଳତାକୁ ଅନ୍ୟ ପିଢ଼ି ସହ ତୁଳନା କରାଯାଇ ନପାରେ। ‌ହେଲେ ୧୯୮୫ର ସେହି ଭାରତୀୟ ଦଳ ଧଳବଲ୍ କ୍ରିକେଟ୍‌ରେ ସାଂପ୍ରତିକ କୋହଲି ଦଳଙ୍କୁ ଅଡ଼ୁଆରେ ପକାଇପାରେ ବୋଲି ସେ ଖୋଲାଖୋଲି ଭାବେ କହିଛନ୍ତି। ଏପରିକି ୧୯୮୩ ମସିହାରେ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳଠାରୁ ୧୯୮୫ ମସିହା ବିଶ୍ବ ଚାମ୍ପିଅନସିପ୍ ଦଳ ସବୁଦୃଷ୍ଟିରୁ ଶକ୍ତିଶାଳୀ ଥିଲା। କାରଣ ଏହି ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସନ୍ତୁଳନ ଅନନ୍ୟ ଓ ଅସାଧାରଣ ଥିଲା ବୋଲି ଶାସ୍ତ୍ରୀ ମତ ରଖିଛନ୍ତି। ଉଭୟ ଦଳର ସଦସ୍ୟ ଥିବା ଶାସ୍ତ୍ରୀ କହିଛନ୍ତି ଯେ ୧୯୮୩ ବିଶ୍ବକପ୍ ଦଳର ୮୦ ପ୍ରତିଶତ ଖେଳାଳି ୧୯୮୫ ଦଳରେ ଥିଲେ ହେଲେ ଲକ୍ଷ୍ମଣ ଶିବରାମକୃଷ୍ଣନ୍, ସଦାନନ୍ଦ ବିଶ୍ବନାଥ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ଭଳି ଯୁବ ଖେଳାଳିଙ୍କ ଉପସ୍ଥିତି ପାଇଁ ୧୯୮୫ ଦଳର ମାନ ଢେର ଭଲ ଥିଲା। ଏଥିରେ ସନ୍ଦେହ ନାହିଁ।

୨୦୧୮-୧୯ ଋତୁରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏହା ଏକ ଐତିହାସିକ ସଫଳତା ଥିଲା। ଲାଲ୍ ବଲ୍ କ୍ରିକେଟ୍‌ରେ କୋହଲି ବାହିନୀ କମାଲ କରିଥିଲା। ହେଲେ ଧଳାବଲ୍ କଥା ପଡ଼ିଲେ ୮୫' ମସିହା ଦଳ ସ୍ବତନ୍ତ୍ର। ସେତେବେଳର ଖେଳାଳି ଓ ଏବେକାର ପ୍ରଶିକ୍ଷକ ଭାବେ ମୁଁ କହି ପାରିବି ୮୫' ମସିହା ଦଳକୁ ଧଳାବଲ୍‌ରେ ହରାଇବା ଅତ୍ୟନ୍ତ କଷ୍ଟକର ବୋଲି ଶାସ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ୧୯୮୫ ବିଶ୍ବ ଚାମ୍ପିଅନସିପରେ ଭାରତର କୃଷ୍ଣମାଚାରୀ ଶ୍ରୀକାନ୍ତ ସର୍ବାଧିକ ୨୩୮ ଏବଂ ଶିବରାମକୃଷ୍ଣନ୍ ସର୍ବାଧିକ ୧୦ ୱିକେଟ୍ କରାୟତ୍ତ କରିଥିଲେ। ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଶାସ୍ତ୍ରୀ ଓ ଶ୍ରୀକାନ୍ତଙ୍କ ଅର୍ଧଶତକ ବଳରେ ଭାରତ ୪୭.୨ ଓଭରରେ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରୀକାନ୍ତ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥି‌ଲେ।

publive-image

୩୫ ବର୍ଷର ବ୍ୟବଧାନ; ତୁଳନା ଯୁକ୍ତିସଙ୍ଗତ ନୁହେଁ
୩୫ ବର୍ଷ ବିତିଗଲାଣି। ଇତିମଧ୍ୟରେ କ୍ରିକେଟରେ ବହୁତ କିଛି ବଦଳିଯାଇଛି। ଅଲିମ୍ପିକ୍ସ ରେକର୍ଡ଼ଗୁଡ଼ିକ ଯେମିତି ଉନ୍ନତ ହୋଇଚାଲିଛି, କ୍ରିକେଟରେ ମଧ୍ୟ ପ୍ରତିଟି କ୍ଷେତ୍ର ଉନ୍ନତ ହେଉଛି। କିଏ କ’ଣ କେବେ ଭାବିଥିଲା, ଦିନିକିଆ କ୍ରିକେଟ୍‌ରେ କୋଉ ଦଳ ୪୦୦ ରନ୍ କରିପାରିବ ବୋଲି? ବେଳବେଳେ ପ୍ରଶ୍ନ ହୁଏ, ବ୍ରେଡ୍‌ମ୍ୟାନ୍‌ଙ୍କୁ କିଏ ଟପିପାରିବ, ତେନ୍ଦୁଲକରଙ୍କୁ କିଏ ଟପିପାରିବ? ଏଇଟା ସେହିଭଳି ଗୋଟିଏ କଥା। ଦେଖୁଦେଖୁ କୋହଲି ତ ପୁଣି ତେନ୍ଦୁଲକରଙ୍କ ଟପିବାକୁ ବସିଲେଣି! ଆଜିକାଲି କ୍ରିକେଟ ବହୁତ ପ୍ରତିଯୋଗିତାମୂଳକ ହେଲାଣି। ଶାରୀରିକ ଫିଟ୍‌ନେସ, କ୍ଷେତ୍ରରକ୍ଷଣ ଆଦିରେ ବ୍ୟାପକ ଉନ୍ନତି ହୋଇଛି। ତେଣୁ ତୁଳନା ଯୁକ୍ତସଂଗତ ନୁହେଁ। ୧୯୮୩ର ବିଶ୍ବବିଜୟୀ ୱେଷ୍ଟଇଣ୍ଡିଜ୍ ଦଳକୁ କିଏ କେବେ ହରେଇପାରିବ ବୋଲି ଭାବୁଥିଲା? ଭାରତ ତ ପୁଣି ହରେଇଲା ନା ନାହିଁ? ତେଣୁ କିଏ ଭଲ ତାହା ଖେଳରୁ ଜଣାପଡ଼ିବ ନା କୋଉ ଗୋଟିଏ ଫଳାଫଳରୁ?
-ସୌମ୍ୟରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ, ‘ସମ୍ବାଦ’ ଗ୍ରୁପ୍‌

କୋହଲି ବାହିନୀର ପେସାଦାର ଭାବନା ଅଧିକ
ସେହି ଦଳରେ ବି ଭଲ ଖେଳାଳି ଥିଲେ, ଆଜିର ଦଳରେ ମଧ୍ୟ ଦକ୍ଷ ଖେଳାଳି ଅଛନ୍ତି। ଫରକ ଏତିକି ଯେ ଏବେକାର ଖେଳାଳିଙ୍କ ପେସାଦାର ମନୋବୃତ୍ତି ଅତୀତର ଖେଳାଳିଙ୍କ ଅପେକ୍ଷା ଅଧିକ। ଆଜିର ଖେଳାଳିମାନେ କ'ଣ କରୁଛନ୍ତି, କ'ଣ କରିବାକୁ ଚାହୁଁଛନ୍ତି, ତାହା ଭଲ ଭାବରେ ଜାଣିଛନ୍ତି। ଅତୀତରେ କ୍ରିକେଟ୍‌କୁ ଅଧିକତର ସୌଖିନ ଭାବେ ଖେଳା ଯାଉଥିଲା। ଯଦିଓ ଗୋଟିଏ ପିଢ଼ିର ଖେଳାଳିଙ୍କ ସହ ଅନ୍ୟ ପିଢ଼ିର ଖେଳାଳିଙ୍କ ତୁଳନା କରାଯାଇ ନପାରେ, ତଥାପି ମୁଁ କହି ପାରିବି ଯେ ଏବେକାର ଖେଳାଳି ଅଧିକ ଶୃଙ୍ଖଳିତ। ଦେଖନ୍ତୁ ପୂର୍ବରୁ କେହି ଦେଖୁ ନଥିଲେ ଯେ ଆପଣ କେତେ ବଲ୍‌ରୁ କେତେ ରନ୍ କରିଛନ୍ତି। ଏବେ କିନ୍ତୁ ଆପଣ ଏକ ନିର୍ଦିଷ୍ଟ ସଂଖ୍ୟକ ବଲରୁ ନିର୍ଦ୍ଦିଷ୍ଟ ସଂଖ୍ୟକ୍ ରନ୍ ନକଲେ ଦଳରେ ସ୍ଥାନ ପାଇବା ଆପଣଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। କ୍ରିକେଟର ଖେଳିବା ଶୈଳୀ, ନିୟମ ସବୁ କିଛି ବଦଳି ଯାଇଛି। ଏଣୁ ଏସବୁ କୁ ବିଚାରକୁ ନେଲେ କୋହଲି ବହିନୀ ମଧ୍ୟ କିଛି କମ୍ ନୁହେଁ ବୋଲି ମୁଁ କହି ପାରିବି। ଗାଭାସ୍କର, କପିଳ ଦେବ, ମଦନଲାଲ, ଅମରନାଥଙ୍କ ଭଳି ଖେଳାଳି ଥିବା ୧୯୮୫ ମସିହା ଭାରତୀୟ ଦଳ ସନ୍ତୁଳିତ ଥିଲା ନିଶ୍ଚିତ। କିନ୍ତୁ ସେମାନଙ୍କଠାରୁ ପ୍ରଶଂସକ ଓ ଦର୍ଶକଙ୍କ ଆଶା ଅଲଗା ଥିଲା। ଏବେ ଯାହା ବଦଳି ଯାଇଛି। ଚାପ ବି ବଢ଼ିଛି। କୋହଲି ଓ ତାଙ୍କ ସମସାମୟିକ ଖେଳାଳି ନେଉଥିବା ଚାପ ପୂର୍ବର ଖେଳାଳିଙ୍କଠାରୁ ନିଶ୍ଚିତ ଭାବେ ଅଧିକ ବୋଲି ଶାସ୍ତ୍ରୀଙ୍କ ବୟାନ ଉପରେ ମତ ପ୍ରକାଶ କରି କହିଛନ୍ତି ବରିଷ୍ଠ ପ୍ରଶିକ୍ଷକ ଲଲିତେନ୍ଦୁ ମହାନ୍ତି।
-ଲଲିତେନ୍ଦୁ ମହାନ୍ତି, କ୍ରିକେଟ୍ ପ୍ରଶିକ୍ଷକ

ବେନସନ୍ ଆଣ୍ଡ ହେଜେସ୍ ଦଳ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକଦିବସୀୟ ଦଳ
ବର୍ତ୍ତମାନର ଭାରତୀୟ କ୍ରିକେଟ୍ ଧାରାକୁ ପାଖରୁ ଦେଖୁଥିବା ତଥା ୧୯୮୫ ମସିହା ବେନସନ ଆଣ୍ଡ ହେଜେସ୍ ବିଶ୍ବ ଚାମ୍ପିଅନସିପର ସମସ୍ତ ମ୍ୟାଚ୍ ଟେଲିଭିଜନରେ ଦେଖିବା ସହ ୧୯୮୩ ମସିହା ବିଶ୍ବକପର ସେମିଫାଇନାଲ୍ ଏବଂ ଫାଇନାଲର ସିଧାପ୍ରସାରଣ ଦେଖିଥିବା ମଣିଷ ଭାବେ ମୁଁ କହିପାରେ ଯେ ୧୯୮୫ ମସିହାରେ ବେନସନ୍ ଆଣ୍ଡ ହେଜେସ୍ ବିଶ୍ବ ଚାମ୍ପିଅନସିପ୍ ଜିତିଥିବା ଭାରତୀୟ ଦଳ ହେଉଛି ଭାରତର ସର୍ବକାଳୀନ ଶ୍ରେଷ୍ଠ ଏକଦିବସୀୟ ଦଳ। କାହିଁକି ନା ୫୦ ଓଭର କ୍ରିକେଟ୍ ପାଇଁ ଯେଉଁ ଦଳୀୟ ମିଶ୍ରଣର ଆବଶ୍ୟକତା ଥାଏ ତଥା ‌ଯେଉଁଠି ପ୍ରତିଯୋଗିତା ଖେଳାଯାଉଥିଲା, ସେହି ଦେଶର ପିଚ୍‌ ଦେଖି ଯେଭଳି ଖେଳାଳିଙ୍କର ଦରକାର ଥିଲା, ଭାରତୀୟ ଦଳରେ ସେଭଳି ଖେଳାଳି ଥିଲେ। ଭାରତୀୟ ଚୟନକର୍ତା ଏକାଧିକ ଅଲରାଉଣ୍ଡରଙ୍କୁ ଦଳରେ ରଖିଥି‌ଲେ। ରବି ଶାସ୍ତ୍ରୀ ସ୍ପିନ୍ ବୋଲିଂ କରୁଥିଲେ, ତା ସହ ବ୍ୟାଟିଂ ବି କରୁଥିଲେ। ସେହିଭଳି କପିଳ ଦେବ, ମଦନ ଲାଲ, ରୋଜର ବିନ୍ନଙ୍କ ଭଳି ଅଲରାଉଣ୍ଡ ‌ଦକ୍ଷତା ଥିବା ଖେଳାଳି ଦଳରେ ଥିଲେ। ଭାରତ ଆଗଧାଡ଼ି, ମଝି ଓ ଶେଷ ଆଡ଼କୁ ତିନିଟିଯାକ ପର୍ଯ୍ୟାୟରେ ବହୁତ ଭଲ କରୁଥିଲା। ସିମ୍ ବୋଲିଂର ଦରକାର ଥିଲା ବେଳେ ଭାରତୀୟ ଦଳରେ ୫ରୁ ୬ ଜଣ ଦକ୍ଷ ବୋଲର ଥିଲେ। ସବୁଠାରୁ ବଡ଼ କଥା ହେଲା ୧୯୮୩ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିବା ମହିନ୍ଦର ଅମରନାଥ ଭାରତୀୟ ଦଳରେ ଥିଲେ। ଆଉ ଏକ ଭଲ କଥା ହେଲା ଲେଗ୍ ସ୍ପିନର ମ୍ୟାଚ୍ ଜିତାଇବାର ବିଶ୍ବାସ ଯେତେବେଳେ ନଥିଲା ସେତେବେଳେ ଲକ୍ଷ୍ମଣ ଶିବରାମକୃଷ୍ଣନଙ୍କୁ ଦଳରେ ନେଇ ଭାରତୀୟ ଚୟନକର୍ତ୍ତା ମାଷ୍ଟରଷ୍ଟ୍ରୋକ୍ ‌ଖେଳିଥିଲେ। ସେ ଏକାଧିକ ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲେ। ସେହିଭଳି ସଦାନନ୍ଦ ବିଶ୍ବନାଥଙ୍କ ରୂପରେ ଭାରତୀୟ ଦଳରେ ଜଣେ କୁଶଳୀ ଓ ଉତ୍ସାହୀ ୱିକେଟ୍ ରକ୍ଷକ ଥିଲେ। ମୋଟାମୋଟି ଭାବେ କହିବାକୁ କଲେ ସେବେକାର ଭାରତୀୟ ଦଳରେ ଥିବା ସନ୍ତୁଳନ ଆଗକୁ ଆଉ ଦେଖିବାକୁ ମିଳିନି। ଏଣୁ ମୁଁ ନିଃସନ୍ଦେହରେ କହି ପାରିବି ଯେ ୧୯୮୫ ମସିହାର ଭାରତୀୟ ଦଳ ଏବେକାର କୋହଲି ବାହିନୀଠାରୁ ଅନେକ ଗୁଣରେ ଭଲ ଓ ଶକ୍ତିଶାଳୀ ଥିଲା।
-ସମ୍ବିତ ମହାପାତ୍ର, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ

କୋହଲିଙ୍କ ଦଳ ଉନ୍ନତ
ରବି ଶାସ୍ତ୍ରୀ ବର୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବାରୁ ଏଭଳି କଥାକୁ ସେ ନିଶ୍ଚିତ କିଛି ଭାବିଚିନ୍ତି କହିଥିବେ। ସମାନ ସମୟରେ ଏକଥା ମଧ୍ୟ ସ୍ବାଭାବିକ ଭାବେ ମନକୁ ଆସୁଛି ରବି ଶାସ୍ତ୍ରୀ ନିଜେ ୧୯୮୫ ବେନସନ୍ ହେଜେସ୍‌ ବିଶ୍ବ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାରୁ ଆଶକ୍ତିରେ ଏଭଳି କହି ଥାଇପାରନ୍ତି। ତେବେ ପ୍ରତିଦ୍ବନ୍ଦ୍ବିତା ଦୃଷ୍ଟିକୋଣରୁ ଦେଖିଲେ ବର୍ତ୍ତମାନର ବିରାଟ କୋହଲି ଦଳ ୧୯୮୫ ମସିହାର ସୁନିଲ ଗାଭାସ୍କରଙ୍କ ଦଳଠାରୁ ଉନ୍ନତ ରହିଛି। କିନ୍ତୁ ସେତେବେଳେ ଦଳୀୟ ଭାବନାରେ ମ୍ୟାଚ୍‌ ଜିତାଯାଉଥିଲା ଏବେ ସେ ସବୁ ନାହିଁ। ଖେଳାଳିଙ୍କ ଫିଟନେସ୍‌ ସ୍ତର, ବିଭିନ୍ନ ରଣକୌଶଳ, ଡିଆର୍‌ଏସ୍‌ର ପ୍ରୟୋଗ ଆଦି ଅନେକ କିଛି ମ୍ୟାଚ୍‌ ଫଳାଫଳକୁ ନିର୍ଣ୍ଣୟ କରୁଛି। ଅଷ୍ଟ୍ରେଲିଆରେ ଗାଭାସ୍କରଙ୍କ ଦଳ ଜିତିବା ନିଶ୍ଚିତ ଅପୂର୍ବ ସଫଳତା ଥିଲା। ସେହି ଦୃଷ୍ଟିରୁ ୩୫ ବର୍ଷ ମଧ୍ୟରେ ଥିବା ଦୁଇ ଦଳକୁ ତୁଳନା କରି ହେବ ନାହିଁ।
-ଶିଶିର କୁମାର ପଣ୍ଡା, କ୍ରିକେଟ୍‌ ବିଶେଷଜ୍ଞ