ଗୌହାଟୀ/କୋଲ୍କାତା,: ଚଳିତ କନିଷ୍ଠ ଫିଫା ବିଶ୍ୱକପ୍ (୧୭ ବର୍ଷରୁ କମ୍)ର ପ୍ରଥମ ସେମିଫାଇନାଲ୍କୁ ଗୌହାଟୀରୁ କୋଲ୍କାତା ସ୍ଥାନାନ୍ତର କରାଯାଇଛି। ଇଂଲଣ୍ଡ ଏବଂ ବ୍ରାଜିଲ୍ ମଧ୍ୟରେ ଖେଳାଯିବାକୁ ଥିବା ଏହି ସେମିଫାଇନାଲ୍କୁ ଗୌହାଟୀର ଇନ୍ଦିରାଗାନ୍ଧୀ ଆଥ୍ଲେଟିକ୍ ଷ୍ଟାଡିୟମ୍ର ପିଚ୍ ଖରାପ କାରଣରୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ବିଗତ କିଛି ଦିନ ଧରି ଲଗାଣ ବର୍ଷା କାରଣରୁ ପଡ଼ିଆ କର୍ଦମାକ୍ତ ହୋଇପଡ଼ିଥିଲା। ଉଭୟ ଦଳର ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ଖେଳ ପରିବେଶକୁ ଠିକ୍ ରଖିବା ଲକ୍ଷ୍ୟରେ ଆଲୋଚନା ପରେ ଫିଫା ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୁଧବାର ଅପରାହ୍ଣ ୫ଟାରେ କୋଲ୍କାତାର ସଲ୍ଟଲେକ୍ ସ୍ଥିତ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଇଂଲଣ୍ଡ ଓ ବ୍ରାଜିଲ୍ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ୍ ପୂର୍ବ ନିର୍ଧାରିତ ଖେଳସୂଚୀ
ଅନୁସାରେ ନଭି ମୁମ୍ବାଇରେ ରାତି ୮ଟାରେ ସ୍ପେନ୍ ଓ ମାଲି ମଧ୍ୟରେ ଖେଳାଯିବ। ଗୌହାଟୀ ସେମିଫାଇନାଲ୍ ପାଇଁ ଟିକେଟ୍ କିଣିଥିବା ପ୍ରଶଂସକମାନଙ୍କୁ ଏହା ଫେରାଇଦେବାର ବ୍ୟବସ୍ଥା ହୋଇଛି। ନଗଦ ରାଶି ଦେଇ କିଣିଥିବା ପ୍ରଶଂସକମାନଙ୍କ ପାଇଁ ଅକ୍ଟୋବର ୨୪ ଓ ୨୫ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କିନ୍ତୁ ଅନଲାଇନ୍ କ୍ରେତାଙ୍କ ଲାଗି ଅକ୍ଟୋବର ୨୮ରୁ ନଭେମ୍ବର ୧୧ ତାରିଖ ମଧ୍ୟରେ ଫେରାଇ ପାରିବେ। କୌଣସି ଗୌହାଟୀ ଟିକେଟଧାରୀ ଚାହିଁଲେ ନିଜ ପରିଚୟପତ୍ର ସହିତ କୋଲ୍କତାରେ ସେମିଫାଇନାଲ୍ ଦେଖିପାରିବେ ବୋଲି ଫିଫାର େଓ୍ଵବ୍ସାଇଟ୍ରେ କୁହାଯାଇଛି।