ଘରୋଇ ଖେଳାଳିଙ୍କ ଆଘାତ ପରିଚାଳନାକୁ ଗୁରୁତ୍ବ ଦେବ ବିସିସିଆଇ
The BCCI will focus on managing injuries to domestic players
ନାଗପୁର: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବେ ଘରୋଇ ଖେଳାଳିଙ୍କ ଆଘାତ ଏବଂ କାର୍ଯ୍ୟଭାର ପରିଚାଳନା ଉପରେ ନଜର ରଖିବ। ପୂର୍ବରୁ କେବଳ ଭାରତ-ଏ ଏବଂ ୧୯ ବର୍ଷରୁ କମ୍ ଖେଳାଳିଙ୍କ ସ୍ତରରେ ନଜର ରଖୁଥିଲା। ଏଥିପାଇଁ ଗତ ବର୍ଷ ଘରୋଇ ଖେଳାଳିଙ୍କ ଆଘାତ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥିଲା ବିସିସିଆଇ। ନିକଟରେ ଜାତୀୟ କ୍ରିକେଟ୍ ଏକାଡେମି (ଏନସିଏ) ଦେଶର ସମସ୍ତ ବ୍ୟାୟାମ ପ୍ରଶିକ୍ଷକଙ୍କ ଏକ ୱେବ୍ ସମ୍ମିଳନୀ କରିଥିଲା। ଏହି ସମ୍ମିଳନୀରେ ଗତ ରଣଜୀ ଟ୍ରଫି ଋତୁ ବେଳେ ବ୍ୟାୟାମ ପ୍ରଶିକ୍ଷକଙ୍କ ଦ୍ବାରା ସଂଗୃହୀତ ମ୍ୟାଚ୍ ତଥ୍ୟ ସହ ନୂଆ କରି ‘ଖେଳକୁ ଫେରିବା’ (ଆରଟିପି) ପ୍ରଣାଳୀ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଘାତ ନୀରିକ୍ଷଣ। ଖେଳାଳିମାନେ ଆମର ଘରୋଇ ବ୍ୟାୟାମ ପ୍ରଶିକ୍ଷକ ଉପରେ ଅଧିକ ବିଶ୍ୱାସ ରଖିଥାନ୍ତି। ଏହି ପ୍ରକ୍ରିୟା ନିଶ୍ଚିତ ଭବିଷ୍ୟତରେ ଆମକୁ ଭଲ ଫଳ ଦେବ ବୋଲି ୱେବ୍ନରରେ ଜଣେ ରାଜ୍ୟ ଦଳର ବରିଷ୍ଠ ବ୍ୟାୟାମ ପ୍ରଶିକ୍ଷକ ପ୍ରକାଶ କରିଛନ୍ତି। ଆଉ ଜଣେ ବ୍ୟାୟାମ ପ୍ରଶିକ୍ଷକ କହିଛନ୍ତି ଯେ ଘରୋଇ ସ୍ତରରେ ବହୁତ ଗୁଡ଼ିଏ କ୍ରିକେଟ୍ ଖେଳାଯାଉଛି। ରଣଜୀ ଟ୍ରଫି ବାଦ୍ ଦିନିକିଆ, ଟ୍ବେଣ୍ଟି-୨୦ ଏହା ସହ ଆଇପିଏଲ୍। ତେଣୁ କାର୍ଯ୍ୟଭାରକୁ ସଠିକ୍ ଭାବରେ ପରିଚାଳନା ହେବା ଆବଶ୍ୟକ। ଉଦାହରଣ ସ୍ୱରୂପ ଯଦି ଜଣେ ଦ୍ରୁତ ବୋଲର ପୂର୍ବ ମ୍ୟାଚ୍ରେ ଅଧିକ ବୋଲିଂ କରେ ତେବେ ପରବର୍ତ୍ତୀ ମ୍ୟାଚ୍ ପୂର୍ବ ନେଟ୍ସରେ ତାଙ୍କୁ କମ୍ ବୋଲିଂ ଦେବା ଦରକାର। ଦ୍ରୁତ ବୋଲରମାନଙ୍କୁ କିଭଳି ଅଧିକ ବିଶ୍ରାମ ନେଇପାରିବେ ତା’ଉପରେ ରାଜ୍ୟଗୁଡ଼ିକ ଚିନ୍ତା କରିବା ଆବଶ୍ୟକ। ଯଦି ଏହାକୁ ଠିକ୍ରେ ପରିଚାଳନା କରା ନଯାଏ ତେବେ ଭଲ ପ୍ରତିଭାକୁ ହରାଇବାକୁ ପଡ଼ିବ। ଜଣେ ଦ୍ରୁତ ବୋଲର ଶୀର୍ଷସ୍ତରରେ ପହଞ୍ଚିବାକୁ ହେଲେ ଫିଟ୍ନେସ୍ସ୍ତର ଭଲ ରହିବା ଦରକାର। ସଂଗୃହିତ ତଥ୍ୟ ଆଘାତ ପରିସ୍ଥିତିକୁ ଯାଞ୍ଚ କରିବାରେ ସହଯୋଗ କରିବ ବୋଲି ସେ କହିଛନ୍ତି।
ଗତ ବର୍ଷ ବ୍ୟାୟାମ ପ୍ରଶିକ୍ଷକଙ୍କୁ ନିଜ ନିଜ ରାଜ୍ୟର ୧୬ ବର୍ଷରୁ କମ୍ ଦଳର ଖେଳାଳିଙ୍କଠୁ ଆରମ୍ଭ କରି ବରିଷ୍ଠ ଖେଳାଳିଙ୍କ ତଥ୍ୟ ଅଫ୍ଲୋଡ୍ କରିବାକୁ ବିସିସିଆଇ କହିଥିଲା। ଏହି ସମସ୍ତ ତଥ୍ୟକୁ ବ୍ୟାୟାମ ପ୍ରଶିକ୍ଷକମାନେ ଅପ୍ଲୋଡ୍ କରିଥିଲେ। ଏହି ତଥ୍ୟ ଆର୍ଟିପି ପାଇଁ ଭଲ କାମ ଦେବ। ଆଘାତ ପରେ ଖେଳାଳି ପୁଣି ଥରେ ପଡ଼ିଆକୁ ଫେରିଲା ବେଳେ ଏହା ଯାଞ୍ଚ କରିବାରେ ସହଯୋଗ କରିବ। କିଭଳି ପୂନର୍ବାର ଆଘାତ ସମସ୍ୟା ଦେଖାଯିବନି ସେଥିଲାଗି ବ୍ୟାୟାମ ପ୍ରଶିକ୍ଷକ ବିଭିନ୍ନ ପଦ୍ଧତି ଆପଣେଇଥା’ନ୍ତି ବୋଲି ସେ କହିଛନ୍ତି। ସଂପ୍ରତି କ୍ରିକେଟ୍ ଆଘାତ ଉପରେ ଅନୁସନ୍ଧାନ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ବେଶି ଚାଲିଛି। ଭାରତରେ କିଛି କିଛି ଆରମ୍ଭ ହେଲାଣି। ହେଲେ ଖେଳାଳିମାନଙ୍କ ଆଘାତ ଉପରେ ତଥ୍ୟ ଏନ୍ସିଏ ପାଖରେ ନାହିଁ। ଭାରତୀୟ ଖେଳାଳିଙ୍କ ଶରୀରର ପ୍ରକାର, ଧୈଯ୍ୟ ଓ ଜିନ୍ ବିଦେଶୀ ଖେଳାଳିଙ୍କଠୁ ଅଲଗା। ଗୋଟେ ଉଦାହରଣ ଦେଖିବା ଅଷ୍ଟ୍ରେଲିଆ ଖେଳାଳିଙ୍କ ଅଙ୍ଗପ୍ରତ୍ୟଙ୍ଗରେ ଆଘାତ ଲାଗେ ତେବେ ସେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପରୀକ୍ଷା ପରେ ଫିଟ୍ ଘୋଷିତ ହୁଅନ୍ତି। କିନ୍ତୁ ଭାରତୀୟଙ୍କ ପାଇଁ ଭିନ୍ନ। ସେମାନଙ୍କୁ ସେହି ସ୍ତରର ପରୀକ୍ଷା ଦେବାକୁ ପଡ଼ି ନଥାଏ ଏବଂ ସିଧା ଖେଳିବାକୁ ଓହ୍ଲାଇଥାନ୍ତି ବୋଲି ସେ କହିଛନ୍ତି। ବେସ୍ ଲାଇନ୍ ତଥ୍ୟ ଅନୁଯାୟୀ ଏନ୍ସିଏ କିଛି ସାଧାରଣ ଯାଞ୍ଚ କରି ଖେଳାଳିଙ୍କୁ ଖେଳିବା ଲାଗି ଅନୁମତି ଦେବ। ଏନ୍ସିଏ ଏକ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ପଦ୍ଧତି କରିବାକୁ ସ୍ଥିର କରିଛି। ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିବ। ଖେଳାଳିମାନେ ଏକ ପରୀକ୍ଷା ଦେବେ ଉତ୍ତୀର୍ଣ୍ଣ ହେଲେ ଖେଳିପାରିବ। କୌଣସି ଖେଳାଳିଙ୍କୁ ମୂଲ୍ୟାଙ୍କନ କିମ୍ବା ନିଦାନ କରିବାରେ ଜଣେ ବ୍ୟାୟାମ ପ୍ରଶିକ୍ଷକ ଲାଗି କଷ୍ଟସାଧ୍ୟ। ଏଥି ଲାଗି ପ୍ରଶିକ୍ଷକ ଜଣଙ୍କ ଟେଲିକନଫରେନ୍ସିଂ ମାଧ୍ୟମରେ ଏନସିଏର ପରାମର୍ଶ ନେଇ ପାରିବ ବୋଲି ବ୍ୟାୟାମ ପ୍ରଶିକ୍ଷକ ଜଣଙ୍କ କହିଛନ୍ତି।