ଭୁବନେଶ୍ବର: ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ କନିଷ୍ଠ ଓ ଉପକନିଷ୍ଠ ପାରା ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଓଡ଼ିଶା ୩ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୫ କାଂସ୍ୟ ସହ ମୋଟ ୧୩ ପଦକ ପାଇଛି। ମଙ୍ଗଳବାର ୧ ସ୍ବର୍ଣ୍ଣ ଓ ୨ କାଂସ୍ୟ ପାଇଥିବା ଓଡ଼ିଶା ବୁଧବାର ଏଥିରେ ଆଉ ୧୦ (୨ ସ୍ବର୍ଣ୍ଣ, ୩ ରୌପ୍ୟ, ୫ କାଂସ୍ୟ) ପଦକ ଯୋଡ଼ିଛି। ଗତକାଲି ସଟ୍‌ପୁଟ୍‌ରେ ସ୍ବର୍ଣ୍ଣ ଜିତିଥିବା ଅନନ୍ୟା ସ୍ବାଇଁ ଆଜି ୧୭ ବର୍ଷରୁ କମ୍‌ ବାଳିକା ଜାଭ୍‌ଲିନ୍‌ ଏଫ୍‌-୫୪ରେ ସ୍ବର୍ଣ୍ଣ ପଦକ ଜିତି ଯୁଗଳ ସଫଳତା ପାଇଛନ୍ତି। ସେ ୮.୫୭ ମିଟର ଜାଭ୍‌ଲିନ୍‌ ଫିଙ୍ଗି ଏହି ପଦକ ଜିତିଥିଲେ।

Advertisment

ରୁପାଲିନ୍‌ ସାହୁ ୧୭ ବର୍ଷରୁ କମ୍‌ ବାଳିକା ଟି-୧୩ ଲଙ୍ଗଜମ୍ପ୍‌ରେ ରୌପ୍ୟ ଓ ୧୦୦ ମିଟର ଦୌଡ଼ରେ କାଂସ୍ୟ ଜିତି ନିଜ ପଦକ ସଂଖ୍ୟାକୁ ୨ରେ ପହଞ୍ଚାଇଥିଲେ। ନିଗନ୍ତଭାନୁ ମଲ୍ଲିକ ଟି-୪୦/୪୧ ଜାଭ୍‌ଲିନ୍‌ରେ ସ୍ବର୍ଣ୍ଣ ଏବଂ ଡିସ୍‌କସ୍‌ ଓ ସଟ୍‌ପୁଟ୍‌ରେ୨ କାଂସ୍ୟ ଜିତିଥିଲେ। ଫଳରେ ସେ ୩ ପଦକ ସହ ଘରକୁ ଫେରିଛନ୍ତି। ଟି-୧୨ ଲଙ୍ଗ ଜମ୍ପ୍‌ରେ ମୁକେଶ ସାହୁ ୩.୭୨ ମିଟର ଡେଇଁ ରୌପ୍ୟ ପାଇଥିଲେ। ୧୯ ବର୍ଷରୁ କମ୍‌ ସଟ୍‌ପୁଟ୍‌ ଏଫ୍‌-୩୬ରେ ଜୟପ୍ରକାଶ (୭.୬୫ ମିଟର) ରୌପ୍ୟ ଜିତିଥିଲେ। ବିପିନ ମାଝି ୪୦୦ ମିଟର ରେସ୍‌କୁ ୫୯.୯୭ ସେକେଣ୍ଡରେ ଶେଷ କରି କାଂସ୍ୟ ପାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୫ ଜଣ ଖେଳାଳି ଭାଗ ନେଇଥିଲେ।