ଭୁବନେଶ୍ବର: ଫୁଟବଲ୍ରେ ଓଡ଼ିଶା କ୍ରମେ ଆଗକୁ ବଢ଼ିବାରେ ଲାଗିଛି। ମହିଳାମାନେ ଆଗରୁ ଜାତୀୟ ଦଳରେ ସ୍ଥାନ ପାଉଥିବା ବେଳେ ପୁରୁଷ ବର୍ଗରେ ଏବେ ନିୟମିତ ଓଡ଼ିଶା ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇବାରେ ଲାଗିଛନ୍ତି। ସୋମବାର ପ୍ରକାଶିତ ଭାରତୀୟ କନିଷ୍ଠ ବାଳକ ଓ ବାଳିକା ଦଳରେ ମୋଟ ୫ ଜଣଙ୍କୁ ସୁଯୋଗ ମିଳିଥିବାବେଳେ ଶୁଭେନ୍ଦୁ ପଣ୍ଡାଙ୍କୁ ପୁଣି ଥରେ ବାଳକ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ମିଳିଛି। ନେପାଳର କାଠମାଣ୍ଡୁଠାରେ ଅକ୍ଟୋବର ୨୫ରୁ ନଭେମ୍ବର ୩ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ୧୫ ବର୍ଷରୁ କମ୍ ବାଳକ ସାଫ୍ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୁଇ ଅଗ୍ରଭାଗ ଖେଳାଳି ଅମନ ଖାଲକୋ, ପୁରୁଷୋତ୍ତମ କେରକେଟା ଏବଂ ମଧ୍ୟଭାଗ ଖେଳାଳି ଟଙ୍କଧର ବାଗ। ଟଙ୍କଧର ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସର, ଅମନ ରାଉରକେଲାର ଏବଂ ପୁରୁଷୋତ୍ତମ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର। ଭାରତୀୟ ଦଳ ଅକ୍ଟୋବର ୨୫ ଓ ୨୯ ତାରିଖରେ ଯଥାକ୍ରମେ ପାକିସ୍ତାନ ଓ ଭୁଟାନ ବିପକ୍ଷରେ ଗ୍ରୁପ୍ ‘ବି’ ମ୍ୟାଚ୍ ଖେଳିବ। ନଭେମ୍ବର ୩ ତାରିଖରେ ପ୍ଲେ ଅଫ୍ ଖେଳିବା ସମ୍ଭାବନା ରହିଛି। ଏହି ଦଳ ଗତ ମାସରେ ଚୀନ ଗସ୍ତ କରି ଅଭିଜ୍ଞତା ସାଉଁଟିଥିବାରୁ ଦଳର ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡା ସାଫ୍ କପ୍ରେ ଭଲ ପ୍ରଦର୍ଶନ କରିବା େନଇ ଆଶାବାଦୀ ଅଛନ୍ତି। ଦୀର୍ଘ ମିଆଦି ଆଭିମୁଖ୍ୟକୁ ନଜରରେ ରଖି ଏବଂ ବରିଷ୍ଠ ଦଳର ଆବଶ୍ୟକତାକୁ ଗୁରୁତ୍ବ ଦେଇ ଏହି ଦଳ ଗଠିତ ହୋଇଛି। ଏହି ପ୍ରତିଯୋଗିତା ଖେଳାଳିମାନଙ୍କୁ ଆଉ ଏକ ଅନ୍ତର୍ଜାତୀୟ ଏକ୍ସପୋଜର ସୁଯୋଗ ଦେବ। ଚୀନ ଗସ୍ତର ଅଭିଜ୍ଞତା ଦୃଷ୍ଟିରୁ ଏଥର ଉନ୍ନତ ପ୍ରଦର୍ଶନ ଆଶା କରିଛୁ ବୋଲି କହିଛନ୍ତି ଶୁଭେନ୍ଦୁ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗରେ କାର୍ଯ୍ୟରତ ଶୁଭେନ୍ଦୁ ରାଜ୍ୟର ଏକମାତ୍ର ‘ଏ’ ଲାଇେସନ୍ସପ୍ରାପ୍ତ ପ୍ରଶିକ୍ଷକ। ପୁରୁଷ ବର୍ଗରେ କୌଣସି ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବାରେ ସେ ମଧ୍ୟ ପ୍ରଥମ ଓଡ଼ିଆ।
ଅନ୍ୟପକ୍ଷରେ ଥାଇଲାଣ୍ଡରେ ଅକ୍ଟୋବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ ଏଏଫସି ମହିଳା ପ୍ରତିେଯାଗିତା ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ୨ ଜଣ ମନୋନୀତ ହୋଇଛନ୍ତି। ସେମାନେ ହେଲେ କଟକ ସାଇ ଏସଟିସିର ସୋନି ବେହେରା ଏବଂ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଜବାମଣୀ ଟୁଡୁ। ସମସ୍ତ ୫ ଜଣ ଓଡ଼ିଆ ବାଳକ ଓ ବାଳିକାଙ୍କୁ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ସମ୍ପାଦକ ସଂଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ଫୁଟ୍ବଲ୍ ଦଳରେ ୫ ଓଡ଼ିଆ
/sambad/media/post_attachments/wp-content/uploads/2018/10/larja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)