ଲକ୍ଷୌ୍ନ: ଦୀନେଶ କାର୍ତିକଙ୍କ ନେତୃତ୍ୱରେ ଇଣ୍ଡିଆ ରେଡ୍ ଦଳ ଚଳିତ ବର୍ଷର ଦଲୀପ୍ ଟ୍ରଫି ବିଜେତା ହୋଇଛି। ଫାଇନାଲ୍ରେ ଏହି ଦଳ ୧୬୩ ରନ୍ରେ ସୁରେଶ ରାଇନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲୁ ଦଳକୁ ପରାସ୍ତ କରି ଟ୍ରଫି ଜିତି ନେଇଛି। ଏହି ୫ ଦିନିଆ ଦିବାରାତ୍ର ଫାଇନାଲ୍ର ଚତୁର୍ଥ ଦିବସରେ ହିଁ ଫଳାଫଳ ମିଳିଯାଇଛି। ପ୍ରଥମ ପାଳିରେ ପୃଥ୍ଵୀ ସ’ଙ୍କ କୀର୍ତିମାନ ଭରା ଏବଂ ଦୀନେଶ କାର୍ତ୍ତିକଙ୍କ ଉପଯୋଗୀ ଶତକ ସାଙ୍ଗକୁ ଅଲ୍ରାଉଣ୍ଡର ଓ୍ଵାସିଂଟନ୍ ସୁନ୍ଦରଙ୍କ ୮୮ ରନ୍ ବଳରେ ୪୮୩ ରନ୍ କରିଥିବା ରେଡ୍ ଦଳ ବ୍ଲୁ ଦଳର ପ୍ରଥମ ପାଳିକୁ ୨୯୯ ରନ୍ରେ ଅଟକାଇ ଦେଇ ୧୮୪ ରନ୍ର ଅଗ୍ରଣୀ ପାଇଥିଲା। ଏହାପରେ ରେଡ୍ ଦଳ ଦ୍ୱିତୀୟ ପାଳିରେ ବାବା ଇନ୍ଦ୍ରଜିତ୍ (୫୯)ଙ୍କ ଅର୍ଧଶତକ ଓ ଓ୍ଵାସିଂଟନ୍ ସୁନ୍ଦରଙ୍କ ୪୨ ରନ୍ ସହାୟତାରେ ୨୦୮ ରନ୍ କରିପାରିଥିଲା। ଫଳରେ ବ୍ଲୁ ଦଳ ନିକଟରେ ୩୯୩ ରନ୍ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ଜବାବ ଦେବାକୁ ଯାଇ ବ୍ଲୁ ଦଳ ଗୁରୁବାର ଚତୁର୍ଥ ଦିବସରେ ୨୨୯ ରନ୍ରେ ତା’ର ଦ୍ୱିତୀୟ ପାଳି ଶେଷ କଲା। ଭାର୍ଗବ ଭଟ୍ଟ ୫୧, ଅଧିନାୟକ ରାଇନା ୪୫, ମନୋଜ ତିଓ୍ଵାରୀ ୩୮ ରନ୍ କରି କିଛି ସମୟ ଲଢ଼ିଥିଲେ ମଧ୍ୟ ଏହା ପରାଜୟ ଏଡାଇବା ପାଇଁ ଯଥେଷ୍ଟ ହୋଇନଥିଲା। ପ୍ରଥମ ପାଳିରେ ୫ ଲେଖାଏଁ ଓ୍ଵିକେଟ୍ ବାଣ୍ଟି ନେଇଥିବା ଓ୍ଵାସିଂଟନ୍ ସୁନ୍ଦର ଓ ବିଜୟ ଗୋହିଲ୍ ଦ୍ୱିତୀୟ ପାଳିରେ ୯ ଓ୍ଵିକେଟ୍ ବାଣ୍ଟି ନେଇଥିଲେ। ସୁନ୍ଦର ଦ୍ୱିତୀୟ ପାଳିରେ ୮୭ ରନ୍ରେ ୬ ଓ ଗୋହିଲ୍ ୧୦୨ ରନ୍ରେ ୩ ଓ୍ଵିକେଟ୍ ନେବାରୁ ବ୍ଲୁ ଦଳ ୪୮ ଓଭରରେ ସମସ୍ତ ଖେଳାଳିଙ୍କୁ ହରାଇ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଚତୁର୍ଥ ଦିବସରେ ୨୫୦ ରନ୍ ମଧ୍ୟରେ ମୋଟ ୧୩ ଓ୍ଵିକେଟ୍ର ପତନ ଘଟିଥିଲା। ରେଡ୍ ଦଳ ତା’ର ପୂର୍ବଦିନ ସ୍କୋର୍ ୧୮୭/୭ରେ ଆଉ ୨୧ ରନ୍ ଯୋଡ଼ି ଅବଶିଷ୍ଟ ୩ ଓ୍ଵିକେଟ୍ ହରାଇଥିଲା ବେଳେ ବ୍ଲୁ ଦଳ ୨୨୯ ରନ୍ରେ ୧୦ଟିଯାକ ଓ୍ଵିକେଟ୍ ହରାଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୧୩୦ ରନ୍ ଓ ୧୧ ଓ୍ଵିକେଟ୍) ପାଇଁ ଓ୍ଵାସିଂଟନ୍ ସୁନ୍ଦରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଦଲୀପ୍ ଟ୍ରଫି ଜିତିଲା ଇଣ୍ଡିଆ ରେଡ୍: ସୁନ୍ଦରଙ୍କ ସୁନ୍ଦର ପ୍ରଦର୍ଶନ, ବ୍ଲୁ ୧୬୩ ରନ୍ରେ ପରାସ୍ତ
/sambad/media/post_attachments/wp-content/uploads/2017/09/dt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)