କୋଲକାତା: ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଅନେକ ଥର ସ୍ବୀକାର କରିଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳି ପାଇବା ଭାରତ ପାଇଁ ଭାଗ୍ୟର କଥା। ସମାନ କଥାକୁ ମଧ୍ୟ ସ୍ବୀକାର କରିଛନ୍ତି ଧୋନିଙ୍କ ପିଲାଦିନର ପ୍ରଶିକ୍ଷକ କେଶବ ବାନାର୍ଜୀ। ବିଶ୍ବକପ୍ ଯାଉଥିବା ଅପେକ୍ଷାକୃତ ଯୁବଦଳ ପାଇଁ ମହେନ୍ଦ୍ର ସିଂହ ଧୋନି ଠିକଣା ମାର୍ଗଦର୍ଶକ। ଏମ୍ଏସ୍ ଧୋନି କ୍ରିକେଟ୍ ଏକାଡେମି କ୍ଲିନିକ୍ର ଶୁଭାରମ୍ଭ କରିବା ଅବସରରେ କେଶବ କହିଥିଲେ, ଧୋନିଙ୍କ କୌଶଳରେ ଥିବା ବିଚକ୍ଷଣତା ଅତୁଳନୀୟ। ମ୍ୟାଚ୍ ଏବଂ କୌଶଳ ପ୍ରସ୍ତୁତରେ କୋହଲିଙ୍କ ପାଇଁ ସେ ଜଣେ ସଠିକ୍ ଦିଗଦର୍ଶକ। ମ୍ୟାଚ୍କୁ ପଢ଼ିବା ଏବଂ ବୁଝିବା କ୍ଷେତ୍ରରେ କୋହଲିଙ୍କଠାରୁ ଧୋନି ଉନ୍ନତ। କୋହଲି ଯେ କୌଣସି ସମୟରେ ସହଯୋଗ ଆବଶ୍ୟକ କଲେ ଧୋନିଙ୍କ ନିକଟକୁ ଯାଇଥାନ୍ତି। ଧୋନି ଦଳରେ ନ ଥିଲେ କୋହଲିଙ୍କୁ ସାହାଯ୍ୟ କରିବାକୁ କେହି ନ ଥାନ୍ତେ’ ବୋଲି କହିଥିଲେ କେଶବ। ଧୋନିଙ୍କ ବ୍ୟାଟିଂ ସ୍ଥାନକୁ ନେଇ ବହୁ ଚର୍ଚା ଚାଲିଥିଲେ ମଧ୍ୟ କେଶବଙ୍କ ବିଶ୍ବାସ ସେ ହିଁ ୪ ନମ୍ବରରେ ବ୍ୟାଟିଂ କରିବେ। ଏହି ସ୍ଥାନରେ ଖେଳିଲେ ତାଙ୍କୁ ଆବଶ୍ୟକ ସମୟ ମିଳିଥାଏ। କିନ୍ତୁ ୫/୬ ନମ୍ବରରେ ଆସିଲେ ପ୍ରଥମ ବଲରୁ ହିଟ୍ କରିବାକୁ ପଡ଼ିଥାଏ। ମୋ ବିଶ୍ବାସ ବିଶ୍ବକପ୍ରେ ଧୋନି ୪ ନମ୍ବରରେ ବ୍ୟାଟିଂ କରିବେ। ଏହା ଦ୍ବାରା ଅନ୍ୟମାନେ ମୁକ୍ତଭାବେ ବ୍ୟାଟିଂ କରିପାରିବେ। ଏହା ମୋ ବ୍ୟକ୍ତିଗତ ମତ ବୋଲି କେଶବ ପ୍ରକାଶ କରିଥିଲେ। ବହୁ କ୍ରିକେଟ୍ ପଣ୍ଡିତ ଋଷବ ପନ୍ତ୍ଙ୍କୁ ବିଶ୍ବକପ୍ ସୁଯୋଗ ମିଳିବା ପଛରେ ଯୁକ୍ତି ବାଢ଼ିଥିଲେ ମଧ୍ୟ କେଶବ ଏଥିରେ ଏକମତ ନୁହନ୍ତି। ତାଙ୍କୁ ସୁଯୋଗ ଦେବା ବହୁତ ଆଗୁଆ ହୋଇଯିବ। ଭାରତ ନିକଟରେ ଏତେ ବେଞ୍ଚ୍ ଷ୍ଟ୍ରେଙ୍ଗଥ (ସଂରକ୍ଷିତ ଖେଳାଳି) ରହିଛନ୍ତି ଯେ ବିଶ୍ବକପ୍ ପରେ ତାଙ୍କୁ ଦଳରେ ନିଆଯିବା ଉଚିତ୍। ବିଶ୍ବକପ୍ ପରେ ଧୋନି ଅବସର ନେଇଯିବେ କି ବୋଲି ପ୍ରଶ୍ନ ହେବାରୁ କେଶବ କହିଥିଲେ, ‘ଆପଣ ଚାହୁଁଛନ୍ତି କି ସେ ଅବସର ନେଇ ଯାଆନ୍ତୁ (ହସିକରି) ? ଦେଖନ୍ତୁ ସେ କେତେ ଫିଟ୍ ଅଛନ୍ତି, ତାହା ହିଁ ସବୁଠୁ ମୁଖ୍ୟ କଥା। ସେ କେବେ ଅବସର ନେବେ ତାଙ୍କ ପତ୍ନୀ କି ପିତା ବି ଜାଣିନଥିବେ ବୋଲି କେଶବ ଶେଷରେ ପ୍ରକାଶ କରିଥିଲେ।
‘‘ଧୋନିଙ୍କ ଭଳି ମ୍ୟାଚ୍ ବୁଝିବା ସାମର୍ଥ୍ୟ କୋହଲିଙ୍କ ପାଖରେ ନାହିଁ’’
/sambad/media/post_attachments/wp-content/uploads/2019/05/Untitled-9-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)