କଲମ୍ବୋ: ଶ୍ରୀଲଙ୍କାର ଲେଗ୍ ସ୍ପିନର ଜେଫ୍ରି ଭେଣ୍ଡରସେଙ୍କୁ ଗୋଟିଏ ବର୍ଷ ପାଇଁ କ୍ରିକେଟ୍ରୁ ବାସନ୍ଦ କରାଯାଇଛି। ତାଙ୍କ ସହିତ ହୋଇଥିବା ବାର୍ଷିକ ଚୁକ୍ତିର ୨୦ ପ୍ରତିଶତ ରାଶି ଜରିମାନା ଲଗାଯାଇଛି। ଆଚରଣ ବିଧି ଉଲଂଘନ କରିଥିବାରୁ ଏହି କ୍ରିକେଟରଙ୍କ ବିରୋଧରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଭେଣ୍ଡରସେଙ୍କୁ େଓ୍ଵଷ୍ଟଇଣ୍ଡିଜ୍ ଗସ୍ତରେ ବାରବାଡସରେ ଖେଳାଯିବାକୁ ଥିବା ୩ୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଘରକୁ ପଠାଇ ଦିଆଯାଇଛି। ସେଣ୍ଟ ଲୁସିଆରେ ‘ନାଇଟ୍ ଆଉଟ୍’ ପରେ ଶ୍ରୀଲଙ୍କା କ୍ରିକେଟ୍ ଭେଣ୍ଡରସେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨ୟ ଟେଷ୍ଟ ଡ୍ର ହେବା ପରେ ଭେଣ୍ଡରସେ ୩ ଜଣ ଅନ୍ୟ ଖେଳାଳି ସେଣ୍ଟ ଲୁସିଆର ଏକ ନାଇଟ୍ କ୍ଲବ ଯାଇଥିଲେ। ପରଦିନ ସକାଳୁ ୨୮ ବର୍ଷିଅ କ୍ରିକେଟର ନିଜର ପ୍ରକୋଷ୍ଠରେ ନଥିବାରୁ ଟିମ୍ ମ୍ୟାନେଜମେଣ୍ଟ ପୁଲିସ ଥାନାରେ ଅଭିଯୋଗ କରିଥିଲା। କିଛି ଘଣ୍ଟାର ଅନ୍ତରାଳେ ହୋଟେଲ ପହଞ୍ଚି ଭେଣ୍ଡରସେ ଟିମ୍ ମ୍ୟାନେଜମେଣ୍ଟକୁ କହିଥିଲେ ଅନ୍ୟ ଖେଳାଳିମାନେ ତାଙ୍କୁ ନାଇଟ୍ କ୍ଲବରେ ଏକାକି ଛାଡ଼ି ହୋଟେଲ ଫେରି ଆସିଥିଲେ ଓ ସେ ରାସ୍ତା ଭୁଲି ଯାଇଥିଲେ।
ଭେଣ୍ଡରସେଙ୍କ କାରବିଆଇ ଗସ୍ତ ଜୁନ ୨୩ରେ ଶେଷ ହୋଇଯାଇଥିଲା କିନ୍ତୁ ଶ୍ରୀଲଙ୍କା କ୍ରିକେଟ ତାଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛି। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଏକ ଯାଞ୍ଚ କମିଟି ଟିମ୍ ମ୍ୟାନେଜର ଅସଙ୍କା ଗୁରୁସିଂହାଙ୍କ ରିପୋର୍ଟ ଦାଖଲ କରିଥିଲା। ଏହି କାରଣରୁ ଶ୍ରୀଲଙ୍କାର ଦକ୍ଷିଣ ଆଫ୍ରିକା ଗସ୍ତରେ ଭେଣ୍ଡରସେଙ୍କୁ ସାମିଲ କରାଯାଇ ନାହିଁ।
ଭେଣ୍ଡରସେଙ୍କ ଘଟଣା ନେଇ ଶ୍ରୀଲଙ୍କା କ୍ରିକେଟ ନିଲମ୍ବନ ଓ ଜରିମାନା ଲଗାଇଛି। ଶ୍ରୀଲଙ୍କା କ୍ରିକେଟ ଖେଳାଳିଙ୍କୁ କହିଛି, ସଜା ସମୟରେ ଯଦି ସେ ଚୁକ୍ତିର କୌଣସି ନିୟମ ଉଲଂଘନ କରନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଭେଣ୍ଡରସେ ପ୍ରଥମ ଥର ବିବାଦକୁ ଆସି ନାହାନ୍ତି। ସେ ଗତବର୍ଷ ଭାରତ ଗସ୍ତରେ ମଧ୍ୟ ଆସିବା ପୂର୍ବରୁ ଅନେକ ଘରୋଇ ମ୍ୟାଚ ଖେଳି ନଥିଲେ, ଫଳରେ ତାଙ୍କୁ ଚେତାବନି ମିଳିଥିଲା।