କଲମ୍ବୋ: ତ୍ରିରାଷ୍ଟ୍ରୀ ଶୃଙ୍ଖଳାରେ ଶୁକ୍ରବାର କର ବା ମର ମ୍ୟାଚ୍ରେ ଶ୍ରୀଲଙ୍କାକୁ ଶେଷ ଓଭରରେ ହରାଇବା ପରେ ବାଂଲାଦେଶର ଆତ୍ମବିଶ୍ୱାସ ଫେରିଛି। ମହମ୍ମଦୁଲ୍ଲାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବାଂଲାଦେଶ ଅନ୍ତିମ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇ ‘ନିଦାହାସ୍ ଟ୍ରଫି’ର ଫାଇନାଲକୁ ପ୍ରବେଶ କରିଛି। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ରବିବାର ଫାଇନାଲ୍ ମୁକାବିଲା ହେବ।
ଭାରତ ସହିତ ଅଷ୍ଟ୍ରେଲିଆ ଅଥବା ପାକିସ୍ତାନ ସହିତ ଯେମିତି ପ୍ରତିନ୍ଦ୍ୱନ୍ଦିତା ହୋଇଛି, ବାଂଲାଦେଶ ସହିତ ହୋଇ ନାହିଁ। କିନ୍ତୁ ବିଶ୍ୱ କପ୍ ୨୦୧୫ରେ ମେଲବୋର୍ଣ୍ଣରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ପରେ ସ୍ଥିତି ବଦଳି ଯାଇଥିଲା। ବାଂଲାଦେଶର ଭାବନା ଯେ, ଅମ୍ପାୟାରଙ୍କ ଦ୍ୱାରା ତାଙ୍କ ବିପକ୍ଷରେ ନିଷ୍ପତ୍ତି ଥିଲା। ସେହି ଦିନଠାରୁ ବାଂଲାଦେଶ ପଡ଼ିଆ ଭିତରେ ନିଜକୁ ଭାରତର ବଡ଼ ପ୍ରତିନ୍ଦ୍ୱନ୍ଦି ମନେ କରିଥାଏ। ରୋହିତ ଶର୍ମାଙ୍କ କାନ୍ଧରେ ବାଜିଥିବା ବଲ ବାଂଲାଦେଶୀ ଖେଳାଳିଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲା। ଅମ୍ପାୟାର ଏହାକୁ ‘ନୋ ବଲ୍’ ଦେଇଥିଲେ। ଏହି ଘଟଣା ବାଂଲାଦେଶ କ୍ରିକେଟ ପ୍ରଶଂସକମାନେ ଭୁଲି ନାହାନ୍ତି।
ଭାରତ ପାଇଁ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଯେତିକି ଗୁରୁତ୍ୱପୂର୍ଣ୍ଣ ସେହିଭଳି ବାଂଲାଦେଶ ପାଇଁ ହେଉଛନ୍ତି ତମିମ ଇକବାଲ ଓ ଲିଟନ ଦାସ। ଏହି ଯୋଡ଼ିମାନେ ଯେଉଁଦିନ ଭଲ ଖେଳନ୍ତି ବେଲରମାନେ ଥକି ପଡ଼ିଥାନ୍ତି। ଶିଖର ଧାଓ୍ଵନ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୧୮୮ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ରୋହିତ ଶର୍ମା ବାଂଲାଦେଶ ବିପକ୍ଷରେ ୬୧ଟି ବଲ ଖେଳି ୮୯ ରନ୍ ସଂଗ୍ରହ କରିଛନ୍ତି।
ଉଭୟ ଟିମ୍ର ୨୨ ଜଣ ଖେଳାଳିଙ୍କ ମଧ୍ୟରୁ ଟି-୨୦ରେ ଅଧିକ ଅଭିଜ୍ଞ ହେଉଛନ୍ତି ସୁରେଶ ରାଇନା। ସୌମ୍ୟ ସରକାଙ୍କୁ ରାଇନାଙ୍କ ସହିତ ତୁଳନା କରାଯାଇ ପାରିବ ନାହିଁ। ଦିନେଶ କାର୍ତ୍ତିକ ଓ ମୁସ୍ପିକୁର ରହିମ ମଧ୍ୟ ସମାନ ସ୍ଥିତିରେ ଅଛନ୍ତି। କିନ୍ତୁ ଭାରତୀୟ ଓ୍ଵିକେଟ୍କିପର କାର୍ତ୍ତିକ ବିପରୀତ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିପାରନ୍ତି।