ନୂଆଦିଲ୍ଲୀ: ଭାରତୀୟ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ମହାନତାକୁ ମାପିବାର ଦୁଃସାହସ କରିଛନ୍ତି ପୂର୍ବତନ ୱିକେଟରକ୍ଷକ କିରଣ ମୋରେ। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ସତ, କିନ୍ତୁ ଏହା ପରୋକ୍ଷରେ ପ୍ରଶଂସା ହୋଇଛି। ଭାରତୀୟ ଦଳରେ ପ୍ରାୟ ୪ ବର୍ଷ ଧରି ଗାଭାସ୍କରଙ୍କ ସହ ଖେଳିଥିବା କିରଣ ମୋରେ ଶନିବାର କହିଛନ୍ତି, ‘ମୁଁ ଦେଖିଥିବା ନେଟ୍ସ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୁନିଲ ଗାଭାସ୍କର ଅନ୍ୟତମ ଖରାପ ଖେଳାଳି ଥିଲେ’। ନେଟ୍ସରେ ସେ ସଂଘର୍ଷ କରୁଥିବା ବେଳେ ମ୍ୟାଚ୍ ବେଳକୁ କିଭଳି ପ୍ରତିଦ୍ବନ୍ଦ୍ବୀ ଦଳ ବିପକ୍ଷରେ ରନ୍ର ପାହାଡ଼ ଛିଡ଼ା କରନ୍ତି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ। ନେଟ୍ସରେ ସେ ଅଭ୍ୟାସ ଲାଗି ସେତେଟା ଅଭ୍ୟସ୍ତ ନଥା’ନ୍ତି। ତାଙ୍କ ଅଭ୍ୟାସ ଦେଖିଲେ ଆପଣଙ୍କ ବିଶ୍ବାସ ହେବନି ସେ ଆସନ୍ତାକାଲି ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ସେ କିଭଳି ରନ୍ ସଂଗ୍ରହ କରିବେ ବୋଲି ମନରେ ପ୍ରଶ୍ନ ଆସିବ। କିନ୍ତୁ ଟେଷ୍ଟ୍ ମ୍ୟାଚ୍ରେ ସେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଲେ ୯୯.୯ ପ୍ରତିଶତ ଭିନ୍ନ ହୋଇଯାଆନ୍ତି। ଏହା ଦେଖିଲେ ଆପଣ ନିଶ୍ଚିତ କହିବେ ‘ୱାହା..’ ବୋଲି ମୋରେ ପ୍ରକାଶ କରିଛନ୍ତି।
ଗାଭାସ୍କର କିନ୍ତୁ ଚମତ୍କାର ଏକାଗ୍ରତାର ସହ ବ୍ୟାଟିଂ କରି ବଡ଼ ବଡ଼ ଶତକ ହାସଲ କରିନିଅନ୍ତି। ଅନ୍ୟତମ ମହାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ସର୍ବକାଳୀନ ମହାନ ବ୍ୟାଟସମ୍ୟାନ୍ଙ୍କ ମଧ୍ୟରେ ସେ ରହିଛନ୍ତି। ବିଶ୍ବର ସବୁଠୁ ଭୟଙ୍କର ବୋଲିଂ ଆକ୍ରମଣ ବିପକ୍ଷରେ ସେ ବ୍ୟାଟିଂ କରିଥିଲେ। ଏମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ର ବୋଲିଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଅଷ୍ଟ୍ରେଲୀୟ ଯୋଡ଼ି ଜେଫ୍ ଥମ୍ପସନ୍ ଓ ଡେନିସ୍ ଲିଲି ବି ରହିଥିଲେ। ବିନା ହେଲମେଟ୍ରେ ସେ ଖେଳ ଜୀବନର ଅଧିକାଂଶ ସମୟ ଖେଳିଥିଲେ। ଲୟରେ ଥିଲେ ଗାଭାସ୍କରଙ୍କୁ ଆଉଟ କରିବା ଏକ ଦୁରୂହ ବ୍ୟାପାର ହୋଇଯାଉଥିଲା। ଘରୋଇ କ୍ରିକେଟ୍ରେ ବି ସେ ବଡ଼ ଶୃଙ୍ଖଳିତ ଖେଳାଳି ଥିଲେ। ପଶ୍ଚିମାଞ୍ଚଳ ପାଇଁ ତାଙ୍କ ସହ ଖେଳିବା ବେଳେ ଥରେ ସେ ପାଖାପାଖି ୪୦ ରନ୍ରେ ଆଉଟ୍ ହୋଇଯାଇଥିଲେ। ଡ୍ରେସିଂ ରୁମ୍କୁ ଫେରି ବଡ଼ ବିରକ୍ତ ହୋଇ ଗ୍ଲୋଭସ ଫିଙ୍ଗି ଦେଇଥିଲେ ଏବଂ ବଡ଼ ପାଳି ଖେଳିପାରିନଥିବାରୁ ଏଭଳି ଢଙ୍ଗରେ ଅସନ୍ତୋଷ ପ୍ରକଟ କରିଥିଲେ। ସେ ଏଭଳି ଆଉଟ୍କୁ ପସନ୍ଦ କରନ୍ତିନାହିଁ। ଶୂନ କିମ୍ବା ୫ ରନ୍ କିମ୍ବା ୧୦ ରନ୍ ଭିତରେ ଆଉଟ୍ ହୋଇଗଲେ ଦୁଃଖ କରନ୍ତି ନାହିଁ। କିନ୍ତୁ ଘଣ୍ଟାଏ କାଳ ବ୍ୟାଟିଂ କରିବା ପରେ ଆଉଟ୍ ହେଲେ ଘୃଣା କରନ୍ତି। ‘ମୁଁ କିଭଳି ଆଉଟ୍ ହୋଇଯିବି?’ ବୋଲି କହିଥା’ନ୍ତି। ଏଥିପାଇଁ ଡ୍ରେସିଂ ରୁମ୍ରେ ସେ ସର୍ବଦା ଜଣେ ସମ୍ମାନସ୍ପଦ ବ୍ୟକ୍ତି ଥିଲେ ବୋଲି ମୋରେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବିଶ୍ବ କ୍ରିକେଟ୍ରେ ପ୍ରଥମ ବ୍ୟାଟସମ୍ୟାନ୍ ଭାବେ ଗାଭାସ୍କର ୧୦,୦୦୦ ଟେଷ୍ଟ୍ ରନ୍ ପୂରଣ କରିଥିଲେ। ୧୨୫ ଟେଷ୍ଟ୍ ଖେଳି ୩୪ ଶତକ ସହ ୧୦,୧୨୨ ରନ୍ କରି ଅବସର ନେଇଥିଲେ।