ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ମନସୁର ଅଲୀ ଖାନ୍ ପଟୌଦୀ ଏକ ପରିଚିତ ବ୍ୟକ୍ତିତ୍ବ। ‘ଦ ନବାବ ଅଫ୍ ପଟୌଦୀ’ ନାମରେ ସମସ୍ତଙ୍କ ନିକଟରେ ଜଣାଶୁଣା ଥିଲେ। ଭାରତ ପାଇଁ ମନସୁର୍ ୪୬ ଟେଷ୍ଟ୍ ଖେଳିଥିଲେ କିନ୍ତୁ ସେଥିରୁ ୪୦ଟିରେ ଅଧିନାୟକତ୍ବ କରିଥିଲେ। ୬ଟି ଶତକ ସହିତ ମୋଟ ୨୭୯୩ ରନ୍ ସଂଗ୍ରହ କରିଥିଲେ। ଭାରତର ପ୍ରଥମ ବିଦେଶ ଶୃଙ୍ଖଳା ବିଜୟୀ ଅଧିନାୟକତ୍ବର ଗୌରବ ତାଙ୍କ ନିକଟକୁ ଯାଏ। ନ୍ୟୁଜିଲାଣ୍ଡ୍ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାକୁ ତାଙ୍କ ନେତୃତ୍ବାଧୀନ ଦଳ ୨-୧ରେ ଜିତିଥିଲା। ଟାଇଗର୍ଙ୍କ ଖେଳ ଜୀବନର ସବୁଠାରୁ ସ୍ବତନ୍ତ୍ର କଥାଟି ହେଉଛି ସେ ଅଧିକାଂଶ ମ୍ୟାଚ୍ ଗୋଟିଏ ଆଖିରେ ଖେଳିଥିଲେ। ୧୯୬୧ ମସିହାରେ ଇଂଲଣ୍ଡରେ ଏକ କାର ଦୁର୍ଘଟଣାରେ ନିଜ ଡାହାଣ ଆଖିଟିକୁ ହରାଇଥିଲେ। ଏହି ତଥ୍ୟଟିକୁ କିନ୍ତୁ ବିଶ୍ବାସ କରିପାରୁନଥିଲେ ପୂର୍ବତନ ଇଂଲଣ୍ଡ ଅଧିନାୟକ ଜିଓଫ୍ ବୟକଟ। ପଟୌଦୀଙ୍କ ସୁପୁତ୍ର ତଥା ବଲିଉଡ୍ ସୁପରଷ୍ଟାର୍ ସୈଫ ଅଲୀ ଖାନ୍ ସୋମବାର ବୟକଟ୍ଙ୍କ ସମ୍ପର୍କରେ ଏଭଳି କଥାର ଅବତାରଣା କରିଛନ୍ତି। ‘ବୟକଟଙ୍କ ଆଦୌ ବିଶ୍ବାସ ହେଉନଥିଲା ମନସୁର୍ ଗୋଟିଏ ଆଖିରେ ଦେଖିପାରୁନାହାନ୍ତି।
ତାଙ୍କର ଏକ ପ୍ରତିକ୍ରିୟା ଦେଖି ମୁଁ ରାଗି ଯାଇଥିଲି। ‘ମୁଁ ତୁମ ବାପାଙ୍କ କଥା ଶୁଣିଛି, ଗୋଟିଏ ଆଖିରେ ଟେଷ୍ଟ୍ କ୍ରିକେଟ୍ ଖେଳିବା ସମ୍ଭବ ନୁହେଁ’ ବୋଲି ବୟକଟ୍ ତାଙ୍କୁ କହିଥିଲେ। ଏହା ପରେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି ‘ତା ମାନେ କ’ଣ ମୋ ପିତା ମିଛ କହୁଥିଲେ? ଏହାର ଜବାବରେ ବୟକଟ୍ କହିଥିଲେ ‘ମୁଁ ଭାବୁଛି ସେ ଛଳନା କରୁଥିଲେ’। ଏହି କଥାକୁ ମୁଁ ଆସି ପିତାଙ୍କୁ କହିଥିଲି ସେ ମଧ୍ୟ ବିରକ୍ତ ହୋଇଯାଇଥିଲେ। ପିତା କହିଥିଲେ ‘ମୁଁ ଗୋଟିଏ ଆଖିରେ ବି ଯଥେଷ୍ଟ ଭଲ’। ମୁଁ ଏଭଳି ଅହଂକାରୀ ମନ୍ତବ୍ୟ କେବେ ଶୁଣି ନ ଥିଲି ବୋଲି ସୈଫ ପ୍ରକାଶ କରିଥିଲେ। ପିତାଙ୍କ କ୍ରିକେଟ୍ ବିତସ୍ପୃହ କଥା ମଧ୍ୟ ସୈଫ କହିଥିଲେ। ଷାଠିଏ ଦଶକରେ ମାତ୍ରାଧିକ କ୍ରିକେଟ୍ ଖେଳାଯିବା କାରଣରୁ ସେ ଆଗ୍ରହ ହରାଇଥିଲେ। ତାଙ୍କର ଯଦି କୌଣସି ଗସ୍ତରେ ଯିବାକୁ ଇଚ୍ଛା ନ ହୁଏ ତେବେ ସେ ସିଧା ସିଧା କହିଦିଅନ୍ତି ‘ମୁଁ ଉପଲବ୍ଧ ନାହିଁ’।