ପ୍ରିଟୋରିଆ: ଦକ୍ଷିଣ ଆଫ୍ରିକାର ପୂର୍ବତନ ପାରା ଅଲିମ୍ପିକ୍ସ କ୍ରୀଡ଼ାବିତ୍‌ ଓସ୍କାର ପ୍ରିଟୋରିୟସ୍‌ଙ୍କୁ ପାରୋଲ୍‌ରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ତାଙ୍କ ପ୍ରେମିକା ରିଭା ଷ୍ଟିନ୍‌କାମ୍ପଙ୍କୁ ୨୦୧୩‌ ମସିହାରେ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ୧୩ ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା। ଯେଉଁଥିରୁ ସେ ୯ ବର୍ଷ ଜେଲ୍‌ରେ କଟାଇ ସାରିଛନ୍ତି। ଏବେ ପାରୋଲ୍‌ରେ ସେ ଜେଲ୍‌ରୁ ବାହାରିବା ସହ ସାମାଜିକ ଜୀବନ ଅତିବାହିତ କରିପାରିବେ ବୋଲି କରେକ୍ସନ୍ସ ବିଭାଗ ପକ୍ଷରୁ କୁହାଯାଇଛି। କୋର୍ଟରେ ପ୍ରିଟୋରିୟସ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ, ୧୩ ତାରିଖ ରାତିରେ ସେ ଓ ରିଭା ଏକାଠି ଶୋଇବାକୁ ଯାଇଥିଲେ। ୧୪ ତାରିଖ ସକାଳେ ବାଥ୍‌ରୁମ୍‌ ଭିତରୁ କିଛି ଶବ୍ଦ ଶୁଣାଯାଇଥିଲା। ସେ ଭାବିଥିଲେ କେହି ଜଣେ ତାଙ୍କ ଘର ଭିତରକୁ ପଶି ଆସିଛନ୍ତି। ତେଣୁ ସେ ତାଙ୍କ ପିସ୍ତଲ କାଢ଼ି, ରିଭାଙ୍କୁ ପୁଲିସ ଡକାଇବାକୁ ଜୋର୍‌ରେ କହିଥିଲେ। ‌ପ୍ରୋସ୍ଥେଟିକ୍‌ ଗୋଡ଼ ଲଗାଇ ନଥିବାରୁ ସେ ବାଥରୁମ୍‌ ପର୍ଯ୍ୟନ୍ତ ଯାଇପାରି ନଥିଲେ।

Advertisment

ତେଣୁ ଗୁଳି ଚଳାଇଥିଲେ। ପରେ ବେଡ୍‌ରେ ରିଭା ନଥିବା ଦେଖିବାକୁ ପାଇବାରୁ ତାଙ୍କର ସନ୍ଦେହ ହୋଇଥିଲା ଓ ବାଲ୍‌କୋନି ଯାଇ ସାହାଯ୍ୟ ପାଇଁ ଚିତ୍କାର କରିଥିଲି। ପରେ ଜଣାପଡ଼ିଥିଲା ଯେ, ସେ ତାଙ୍କ ପ୍ରେମିକାଙ୍କୁ ଭୁଲ୍‌ବସତଃ ଗୁଳି ମାରି ଦେଇଥିଲେ। କିନ୍ତୁ ସରକାରୀ ଓକିଲଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ରିଭାଙ୍କ ପ୍ରତି ଈର୍ଷାନ୍ବିତ ହୋଇ ପ୍ରିଟୋରିୟସ୍‌ ତାଙ୍କୁ ହତ୍ୟା କରିଛନ୍ତି। କିନ୍ତୁ କୋର୍ଟ ତାଙ୍କୁ ୧୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ। ଦକ୍ଷିଣ ଆଫ୍ରିକାର ଜେଲ୍‌ ନିୟମ ଅନୁସାରେ ଯେଉଁମାନେ ତାଙ୍କ ଦଣ୍ଡର ଅର୍ଦ୍ଧାଧିକ ସମୟ ଜେଲ୍‌ରେ କଟାଇ ସାରିଥି‌ବେ ସେମାନେ ପାରୋଲ୍‌ ପାଇଁ ଯୋଗ୍ୟ ହେବେ। ପ୍ରିଟୋରିୟସ୍‌ ୯ ବର୍ଷରୁ ଅଧିକ ସମୟ ଜେଲ୍‌ରେ କାଟି ସାରିଥିବାରୁ ତାଙ୍କୁ ପାରୋଲ୍‌ ମିଳିଥିବା କରେକ୍ସନ୍ସ ବିଭାଗ ପକ୍ଷରୁ ଏକ ବିବୃତ୍ତିରେ ଜଣାଯାଇଛି। ପାରୋଲ୍‌ ସମୟରେ ସେ ପ୍ରିଟୋରିଆରେ ରହିବେ ଏବଂ କୌଣସି ମାଦକ କିମ୍ବା ନିଷିଦ୍ଧ ଦ୍ରବ୍ୟ ଗ୍ରହଣ କରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।