ପୂଜାରା ଶତକ: ୪୪୩/୭ରେ ଘୋଷଣା

ମେଲ୍‌ବର୍ନ: କାଁ ଭାଁ ବାଉଁସକୁ ଛାଡ଼ିଦେଲେ ବୋଲରମାନେ ମେଲବର୍ନ ପିଚ୍‌ରୁ ସହାୟତା ପାଉନଥିଲେ। ଭାରତୀୟ ବ୍ୟାଟସମ୍ୟାନ୍‌ ଏହାର ଫାଇଦା‌ ନେଇ ବଡ଼ ସ୍କୋର୍ ବି ଛିଡ଼ା କରି ଦେଇଛନ୍ତି। ୪୪୩/୭ରେ ପାଳି ଘୋଷଣା କରି ଅଷ୍ଟ୍ରେଲିଆକୁ ତୃତୀୟ ଦିନର ଟର୍ନିଂ ଟ୍ରାକ୍‌ରେ ଖେଳିବାର ଆହ୍ବାନ ବି ରଖିଛନ୍ତି। ଚେତେଶ୍ବର ପୂଜାରାଙ୍କ ଆଉ ଏକ ଶତକ, କୋହଲିଙ୍କ ସହ ୧୭୦ ରନ୍ ଭାଦୀଦାରି ଏବଂ ଭାରତ ପାଳି ୧୭୦ତମ ଓଭରରେ ଘୋଷଣା ହେବା ଦ୍ବିତୀୟ ଦିନର ମୁଖ୍ୟାଂଶ ଥିଲା। ଅଷ୍ଟ୍ରେଲିଆ ଖେଳିଥିବା ୬ ଓଭରରେ ଆରୋନ୍ ଫିଞ୍ଚ୍‌ ଓ ମାର୍କସ ହାରିସ ଭାରତୀୟ ବୋଲରଙ୍କ ନିକଟରେ ବେଶ ଅସୁବିଧାରେ ପଡ଼ିଥିଲେ। ବଲ୍ ହେଲମେଟ୍‌ରେ ବାଜିବା, ଇନ୍ ସାଇଡ୍ ଏବଂ ଆଉଟ୍ ସାଇଡ୍ ଏଜ୍ ଯିବା ଭଳି ଦୃଶ୍ୟ ଏକ ପ୍ରକାର ଘରୋଇ ପ୍ରାରମ୍ଭିକ ଯୋଡ଼ିଙ୍କୁ ନଚାଇଥିଲା। ଏଥର ବକ୍ସିଂ ଡେ’ ଟେଷ୍ଟ୍ କେଉଁ ଆଡ଼କୁ ଢଳିବ ଏବଂ ଫଳାଫଳର ସଙ୍କେତ ଦେବ କି ନାହିଁ ଶୁକ୍ରବାର ତୃତୀୟ ଦିବସ ଖେଳରୁ ହିଁ ଆଭାସ ମିଳିଯିବ। ଗୁରୁବାର ସକାଳେ ଭାରତର ଦୁଇ ପୂର୍ବ ସଂଧ୍ୟା ସାଥୀ ଚେତେଶ୍ବର ପୂଜାରା ଏବଂ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ଜାରି ରଖିଥିଲେ। ପ୍ରଥମ ଅଧିବେଶନରେ ଏହି ଯୋଡ଼ି ଅତୁଟ ରହିଥିଲେ ବି ୨୮ ଓଭରରୁ ୬୨ ରନ୍ ଯୋଡ଼ିଥିଲେ। ଏହା ପୂର୍ବରୁ କିନ୍ତୁ କୋହଲି ନିଜର ୨୦ତମ ଅର୍ଧଶତକ ଏବଂ ପୂଜାରା ନିଜର ୧୭ତମ ଟେଷ୍ଟ୍ ଶତକ ହାସଲ କରି ନେଇଥିଲେ। ଆଡିଲେଡ୍‌ ପରେଚଳିତ ଗସ୍ତରେ ପୂଜାରାଙ୍କ ଏହା ଦ୍ବିତୀୟ ଶତକ। କୋହଲି କିନ୍ତୁ ନିଜର ୨୬ତମ ଶତକ ସୁଯୋଗ ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇ ଏକ ସର୍ଟ ବଲ୍‌କୁ ଥାର୍ଡ ମ୍ୟାନ୍ ଉପରେ ଖେଳିବାକୁ ଯାଇ ସୀମା ରେଖା ନିକଟରେ ଆରୋନ୍ ଫିଞ୍ଚ୍‌ଙ୍କ ହାତରେ ଧରାପଡ଼ିଥିଲେ। ୨୦୪ ବଲରୁ ୯ ଚୌକା ସହିତ ଏହି ଭାରତୀୟ ଅଧିନାୟକ ୮୨ ରନ୍ କରିଥିଲେ। ପୂଜାରାଙ୍କ ସହିତ ‌ତୃତୀୟ ୱିକେଟ୍‌ ପାଇଁ ଯୋଡ଼ିଥିବା ୧୭୦ ରନ୍ ଭାଗୀଦାରି କିନ୍ତୁ ଭାରତକୁ ବଡ଼ ସ୍କୋର୍ ଦିଗରେ ନେଇଥିଲା। ପୂଜାରା (୧୦୬, ୩୧୯ ବଲ, ୧୦ ଚୌକା) ପ୍ୟାଟ କମିନ୍ସଙ୍କ ଏକ ତଳୁଆ ବଲ୍‌ରେ ବୋଲଡ୍‌ ହୋଇଯାଇଥିଲେ। ଏହା ପରେ ଅଜିଙ୍କ୍ୟ ରାହାଣେ (୩୪, ୭୬ ବଲ, ୨ ଚୌକା), ଋଷବ ପନ୍ତ୍ (୩୯, ୭୬ ବଲ, ୩ ଚୌକା) ଏବଂ ରୋହିତ ଶର୍ମା (୬୩*, ୧୧୪ ବଲ, ୫ ଚୌକା) ଢେର କିଛି ସମୟ କ୍ରିଜ୍‌ରେ ବିତାଇଥିଲେ। ରୋହିତ ଶର୍ମା ଢେର ସଂଘର୍ଷ କରିଥିଲେ ମଧ୍ୟ ନିଜ ପ୍ରତ୍ୟାବର୍ତନ ପାଳିରେ ଦଶମ ଅର୍ଧଶତକ ହାସଲ କରି ନେଇଥିଲେ। ରବୀନ୍ଦ୍ର ଜାଦେଜା (୪)ଙ୍କ ୱିକେଟ୍‌ ପତନ ସହିତ ଅଧଘଣ୍ଟା ପୂର୍ବରୁ ଭାରତ ୪୪୩/୭ରେ ପାଳି ଘୋଷଣା କରି ଦେଇଥିଲେ। ଭାରତର ରନ୍‌ ହାର (୨.୬୧)କୁ ଛାଡ଼ିଦେଲେ ଅନ୍ୟ କିଛି ଚିନ୍ତାଜନକ ନଥିଲା। କୋହଲି ଏବଂ ରା‌ହାଣେ ତଳୁଆ ବଲ୍‌ରେ ଆଉଟ୍ ହେବା ଭାରତୀୟ ବୋଲରଙ୍କ ପାଇଁ ଆଶା ‌ଦେଖାଇଛି। ତେବେ ପ୍ରଥମ ପାଳିରେ ମୋଟ ୧୬୯.୪ ଓଭର ଖେଳିବା ୨୦୦୭ ମସିହା ପରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ୍‌ରେ କୌଣସି ଟେ‌ଷ୍ଟ୍‌ ତୁଳନାରେ ଭାରତ ପାଇଁ ଦୀର୍ଘତମ ଥିଲା।

ଗାଙ୍ଗୁଲିଙ୍କୁ ଟପିଲେ; ଲକ୍ଷ୍ମଣଙ୍କ ସମକକ୍ଷ
ମେଲ୍‌ବର୍ନ: ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ‌‌ଚେତେଶ୍ବର ପୂଜାରା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେ‌ଷ୍ଟ୍‌ରେ ଧୈର୍ଯ୍ୟପୂର୍ଣ୍ଣ ଶତକ ଜମାଇଛନ୍ତି। ଏହା ପୂଜାରାଙ୍କ ଟେଷ୍ଟ୍‌ ଜୀବନର ସପ୍ତଦଶ ଶତକ ଥିଲା। ତେବେ ଗୁରୁବାର ଦ୍ବିତୀୟ ଦିବସରେ ସେ ବ୍ୟକ୍ତିଗତ ୧୦୬ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ଏକ ମାଇଲଖୁଣ୍ଟ୍‌ ଛୁଇଁଛନ୍ତି। ଟେଷ୍ଟ୍‌ରେ ୧୭ ଶତକ ଜମାଇବାରେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (୧୬)ଙ୍କୁ ପଛରେ ଛାଡ଼ି ଦେଇଥିଲା ‌ବେଳେ ଭିଭିଏସ୍‌ ଲକ୍ଷ୍ମଣଙ୍କ ସମକକ୍ଷ ହୋଇଛନ୍ତି। ଲକ୍ଷ୍ମଣ ୨୨୫ ପାଳି ଖେଳି ୧୭ ଶତକ ହାସଲ କରିଥିଲା ବେଳେ ପୂଜାରା ଏହାର ସମକକ୍ଷ ହେବା ପାଇଁ ୧୧୨ ପାଳି ଖେଳିଛନ୍ତି। ତେବେ ଗାଙ୍ଗୁଲି ତାଙ୍କ ନାମରେ ରଖିଥିବା ୧୬ ଶତକ ୧୮୮ ପାଳିରୁ ହାସଲ କରିଥିଲେ। ପୂଜାରା ମଧ୍ୟ ପଞ୍ଚମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭା‌ବେ ମେଲ୍‌ବର୍ନ କ୍ରିକେଟ୍‌ ପଡ଼ିଆରେ ବକ୍ସିଂ ଡେ ଟେଷ୍ଟ୍‌ରେ ଶତକ ହାସଲ କରିବାର ଗୌରବ ପାଇଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ୍‌, ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହ‌େଣେ ମେଲ୍‌ବର୍ନରେ ବକ୍ସିଂ ଡେ ଟେଷ୍ଟ୍‌ରେ ଶତକ ଜମାଇ ସାରିଛନ୍ତି। ଏହି ପଡ଼ିଆରେ ପୂଜାରା ୧୦୬ ରନ୍‌ କରିଥିଲା ବେଳେ ସଚିନ୍ ୧୯୯୯ରେ ୧୧୬ ରନ୍‌, ସେହବାଗ୍‌ ୨୦୦୩ରେ ୧୯୫ ରନ୍‌, କୋହଲି ୨୦୧୪ରେ ୧୬୯ ରନ୍‌ ଏବଂ ରାହାଣେ ୨୦୧୪ରେ ୧୪୭ ରନ୍‌ କରିଥିଲେ।

ବିଜୟ ପାଇଁ ଢେର ରନ୍ ଅଛି: ପୂଜାରା
ମେଲବର୍ନ: କ୍ରିଜ୍‌ରେ ମୋଟ ୧୧୬.୫ ଓଭର କଟାଇଥିବା ଚେତେଶ୍ବର ପୂଜାରା ବ୍ୟକ୍ତିଗତ ଭାବେ ୩୧୯ ବଲ୍ ଖେଳି ୧୦୬ ରନ୍ କରିଛନ୍ତି। ଭାରତର ରନ୍ ହାର କମ୍‌ ହୋଇଥିଲେ ବି ବୋର୍ଡରେ ରହିଥିବା ସ୍କୋର୍‌ (୪୪୩/୭) ଭାରତର ବିଜୟ ପାଇଁ ଢେର ବୋଲି କହିଛନ୍ତି ପୂଜାରା। ‘ରନ୍ ସଂଗ୍ରହ ପାଇଁ ଏହା ଏକ କଠୋର ପିଚ୍‌, ପ୍ରଥମ ଦୁଇ ଦିନରେ ଆମେ ଦେଖିଛୁ ପିଚ୍‌ କ୍ରମେ ଖରାପ ହେବାରେ ଲାଗିଛି। ବ୍ୟାଟସ୍‌ମ୍ୟାନଙ୍କୁ ଏକପ୍ରକାର ଦୁର୍ବ୍ୟବହାର ଦେଖାଇଛି। ଦିନକୁ ୨୦୦ ରନ୍ ଏଠାରେ କଷ୍ଟକର ଥିଲା। ମୁଁ ଭାବୁଛି ତୃତୀୟ ଦିନରୁ ରନ୍ ସଂଗ୍ରହ ଏତେ ସହଜ ହେବ ନାହିଁ। ଆମ ବୋଲରଙ୍କ ପାଇଁ ୱିକେଟ୍‌ ନେବାକୁ ଢେର ରନ୍ ରହିଛି’ ବୋଲି କହିଛନ୍ତି ପୂଜାରା। ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଆରୋନ୍ ଫିଞ୍ଚ୍ ମଧ୍ୟ ପିଚ୍‌ର ଅବନତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ‘ଏ ୱିକେଟ୍‌ ଏତେ ଶୀଘ୍ର ଖରାପ ହୋଇଯିବ ବୋଲି ଆମେ ଆଶା କରିନଥିଲୁ। ଭାରତକୁ ଚାପରେ ପକାଇବା ଲାଗି ଆମକୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ସମସ୍ତ ୩ ଫଳାଫଳ, ଭାରତ ବିଜୟ, ଅଷ୍ଟ୍ରେଲିଆ ବିଜୟ କିମ୍ବା ଅମୀମାଂସିତ ଲାଗି ଏହି ପିଚ୍‌ ଏବେ ବିକଳ୍ପ ରଖିଛି’ ବୋଲି ଫିଞ୍ଚ୍ କହିଛନ୍ତି।

ସମ୍ବନ୍ଧିତ ଖବର