କରାଚି: ପାକିସ୍ତାନର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ଗ୍ରାଣ୍ଟ ଫ୍ଲାୱାର ପୂର୍ବତନ ଅଧିନାୟକ ୟୁନିସ ଖାନ୍ଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନର ବ୍ୟାଟିଂ ପ୍ରଶିକ୍ଷକ ଥିବା ଏହି ଜିମ୍ବାୱେ ତାରାକା ନିଜ ଭାଇ ଆଣ୍ଡି ଫ୍ଲାୱାର ଓ ଉପସ୍ଥାପକ ନିଲ ମନଥ୍ରୋପଙ୍କ ସହ ‘ଫଲୋଇଂ ଅନ୍ କ୍ରିକେଟ୍ ପଡସଟ୍’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ ଯେ ୟୁନିସଙ୍କୁ ସମ୍ଭାଳିବା ବହୁତ କଷ୍ଟକର ଥିଲା। ତାଙ୍କୁ କିଛି ପରାମର୍ଶ ଦେବାକୁ ଚାହୁଁଥିଲା ବେଳେ ଦିନେ ୟୁନିସ ମୋ ତଣ୍ଟିରେ ଛୁରି ଲଗାଇ ଦେଇଥିଲେ। ଫ୍ଲାୱାରଙ୍କ ଏଭଳି ଅଭିଯୋଗ ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୌଣସି ମନ୍ତବ୍ୟ ରଖିବାକୁ ମନାକରି ଦେଇଛି। ସଂପ୍ରତି ୟୁନିସ ପାକିସ୍ତାନ କ୍ରିକେଟ୍ ବୋର୍ଡର ବ୍ୟାଟିଂ ପ୍ରଶିକ୍ଷକ ଥିଲା ବେଳେ ଦଳ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ୟୁନିସ ବି ଏପର୍ଯ୍ୟନ୍ତ ଫ୍ଲାୱାରଙ୍କ ଅଭିଯୋଗ ଉପରେ କୌଣସି ମତ ଦେଇନାହାନ୍ତି। ସଂପ୍ରତି ୱର୍ସେଷ୍ଟରସାୟାରରେ ଥିବା ପାକିସ୍ତାନ ଗଣମାଧ୍ୟମ ପ୍ରବନ୍ଧକ ଏହି ଘଟଣା ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପାକିସ୍ତାନର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ୟୁନିସ ଟେଷ୍ଟ୍ରେ ୧୦,୦୦୦ ରନ୍ କରିଛନ୍ତି।
ହେଲେ ସେହି ସମୟରେ ପାକିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ମିକି ଆର୍ଥର ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ଫ୍ଲାୱାରଙ୍କ ଅଭିଯୋଗ ଭିତ୍ତିରେ ଆର୍ଥର ମଧ୍ୟ ଘଟଣା ସମୟରେ ଉପସ୍ଥିତ ଥିଲେ। ଏପରିକି ତାଙ୍କ ହସ୍ତକ୍ଷେପ ପରେ ଫ୍ଲାୱାର ଆଶ୍ବସ୍ତ ହୋଇଥିଲେ। ଆର୍ଥରଙ୍କ କହିବା କଥା ହେଲା, ୨୦୧୬ ବ୍ରିସବେନ ଟେଷ୍ଟରେ ଜିମ୍ବାୱେର ପୂର୍ବତନ କ୍ରିକେଟର ଫ୍ଲାୱାରଙ୍କ ବ୍ୟାଟିଂ ଉପଦେଶ ସହିତ ୟୁନିସଙ୍କର ମତଭେଦ ରହିଥିଲା। ଏଥିପାଇଁ ଫ୍ଲାୱାରଙ୍କ ତଣ୍ଟିରେ ୟୁନିସ ଛୁରି ଲଗାଇଥିଲେ। ଏଭଳି ଅଭିଯୋଗ ଫ୍ଲାୱାର ଏକ ସୋ’ରେ ନିକଟରେ ଆଣିଥିଲେ। ହେଲେ ଫ୍ଲାୱାରଙ୍କ ଏହି ଅଭିଯୋଗରେ ସତ୍ୟତା ନାହିଁ। ୟୁନିସ୍ ଧରିଥିବା ଛୁରି ଏକ ଲହୁଣିବୋଳା (ଡାଇନିଂ) ଛୁରି ଥିଲା। ବ୍ରେକ୍ଫାଷ୍ଟ ସମୟରେ ୟୁନିସ ମଜାରେ ଲହୁଣିବୋଳା ଛୁରି ତାଙ୍କ ବେକରେ ଲଗାଇଥିଲେ ଏବଂ କହିଥିଲେ ଖାଇବା ସମୟରେ ତୁମେ କୌଣସି ଉପଦେଶ ଦିଅନାହିଁ। ବ୍ରେକ୍ଫାଷ୍ଟ୍ ଟେବୁଲ୍ରେ ଏଭଳି ଉଭୟଙ୍କ ମଧ୍ୟରେ ଥଟ୍ଟାମଜା ହୋଇଥିଲା, ଗୋଳମାଳ ନୁହେଁ ବୋଲି ଆର୍ଥର କହିଛନ୍ତି। ମୁଁ ୟୁନିସ୍ଙ୍କୁ ଶାନ୍ତ କରାଇଥିଲି ଏବଂ ଦ୍ବିତୀୟ ପାଳିରେ ତାଙ୍କଠୁ ବଡ଼ ସ୍କୋର୍ ଚାହୁଁଥିଲି। ଏଥିପାଇଁ ସେ ଧନ୍ୟବାଦ ଦେଇଥିଲେ। ୟୁନିସ ପ୍ରଥମ ପାଳିରେ ଶୂନରେ ଆଉଟ୍ ହୋଇଥିଲା ବେଳେ ଦ୍ବିତୀୟ ପାଳିରେ ୬୫ ରନ୍ କରିଥିଲେ। ସିଡ୍ନିରେ ୧୭୫* ରନ୍ କରି ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/younis.jpg)