ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଗୁରୁବାର ଏକ ବୃହତ୍ ବିପର୍ଯ୍ୟୟ ଘଟିଛି। ଗତଥର ବିଜୟିନୀ ସିମୋନା ହାଲେପ୍୍ କ୍ବାର୍ଟର ଫାଇନାଲ୍ରେ ହାରି ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି। ରୋଲାଁ ଗ୍ୟାରସ୍ରେ ବୁଧବାର ବର୍ଷା ଯୋଗୁଁ ଫ୍ରେଞ୍ଚ୍ ଓପନ୍ର ସମସ୍ତ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଏକାଦଶ ଦିବସରେ କୌଣସି ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ଏହି ସବୁ ମ୍ୟାଚ୍ ଗୁରୁବାର ଖେଳାଯାଇଥିଲା। ସେଥିରେ ମହିଳା ଏକକ ବର୍ଗ କ୍ବାର୍ଟର ଫାଇନାଲ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ରୋମାନିଆ ଲଳନା ହାଲେପ୍ ହାରିଗଲେ। ତାଙ୍କୁ ଆମେରିକାର ୧୭ ବର୍ଷ ବୟସ୍କା ଅମାନ୍ଦା ଆନିଶିନୋଭା ସିଧାସଳଖ ସେଟ୍ ୬-୨ ଓ ୬-୪ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେବା ସହିତ ନିଜେ ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଫଳରେ ୨୦୦୫-୦୭ ପରେ ପ୍ରଥମ ମହିଳା ଭାବେ ଏଠାରେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଟ୍ରଫି ବଜାୟ ରଖିବା ଆଶା ହାଲେପ୍ଙ୍କର ମଉଳି ଯାଇଛି। ୨୦୦୫ରୁ ୨୦୦୭ ମଧ୍ୟରେ ବେଲ୍ଜିୟମ୍ର ଜଷ୍ଟିନ୍ ହେନିନ୍ କ୍ରମାଗତ ତିନି ଥର ଫ୍ରେଞ୍ଚ୍ ଓପନ୍ ଜିତି ଏହି ଗୌରବ ନିଜ ନାମରେ ରଖିଛନ୍ତି। ଅନ୍ୟପକ୍ଷରେ ୨୦୦୦ ମସିହା ପରେ ଜନ୍ମ ଗ୍ରହଣ କରିଥିବା ଆନିଶିମୋଭା ପ୍ରଥମ ଖେଳାଳି ଭାବେ କୌଣସି ଗ୍ରାଣ୍ଡ୍ ସ୍ଲାମ୍ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲା ବେଳେ ଏବେ ସେମିଫାଇନାଲ୍ ପହଞ୍ଚିଥିବାରୁ ୧୯୯୭ କ୍ରୋଏସିଆର ଇଭା ମାଜୋଲିଙ୍କ ପରେ ପ୍ରଥମ ସର୍ବକନିଷ୍ଠ ମହିଳା ଖେଳାଳି ଭାବେ ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ସେମିଫାଇନାଲ୍ରେ ଆନିଶିମୋଭାଙ୍କ ମୁକାବିଲା ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟିଙ୍କ ସହ ହେବ। ଗୁରୁବାର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ବାର୍ଟି ସିଧାସଳଖ ୬-୩, ୭-୫ ସେଟ୍ରେ ଚତୁର୍ଦଶ ମାନ୍ୟତାପ୍ରାପ୍ତ ଆମେରିକାର ମାଡିସନ୍ କିଜ୍ଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ଅବତୀର୍ଣ୍ଣ ହୋଇଛନ୍ତି।
ସେମିଫାଇନାଲ୍ରେ ଜୋକୋଭିକ୍-ଥିମ୍
ପୁରୁଷ ଏକକ ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ୍ ଜୋକୋଭିକ୍ ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ଡୋମିନିକ୍ ଥିମ୍ ବିଜୟ ପଥରେ ଆଉ ପାଦେ ଅଗ୍ରସର ହୋଇଛନ୍ତି। ଗୁରୁବାର ନିଜ ନିଜର କ୍ବାର୍ଟର ଫାଇନାଲ୍ ମ୍ୟାଚ୍କୁ ସହଜରେ ଜିତି ନେଇ ସେମିଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ସର୍ବିଆ ତାରକା ଜୋକୋଭିକ୍ ପଞ୍ଚମ ମାନ୍ୟତାପ୍ରାପ୍ତ ଜର୍ମାନି ତାରକା ଆଲେକ୍ଜାଣ୍ଡର ଭେରେଭ୍ଙ୍କୁ ୭-୫, ୬-୨ ଓ ୬-୨ ସିଧାସଳଖ ସେଟ୍ରେ ପରାସ୍ତ କରି ଦେଇଥିଲା ବେଳେ ଅଷ୍ଟ୍ରିଆ ତାରକା ଥିମ୍ ସିଧାସଳଖ ୬-୨, ୬-୪ ଓ ୬-୨ ସେଟ୍ରେ ଦଶମ ମାନ୍ୟତାପ୍ରାପ୍ତ ରୁଷିଆର କାରେନ୍ କାଚାନୋଭ୍ଙ୍କୁ ପରାସ୍ତ କରିଦେଇଛନ୍ତି। ଫଳରେ ପ୍ରଥମ ରୁଷୀୟ ତାରକା ଭାବେ ୨୦୧୦ (ମିଖାଇଲ୍ ୟୁଝ୍ନୀ) ପରେ ରୋଲାଁ ଗ୍ୟାରସ୍ରେ କ୍ବାର୍ଟର ଫାଇନାଲ୍ ପହଞ୍ଚିଥିବା କାଚାନୋଭ୍ ଆଉ ଆଗକୁ ବଢ଼ିପାରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-1-4.jpg)