ଗୋଆ/କୋଚି: ଘାନା, କଲମ୍ବିଆ ଓ ଆମେରିକା (ଗ୍ରୁପ୍-ଏ), ପାରାଗୁଏ, ମାଲି (ଗ୍ରୁପ୍-ବି), ଇରାନ୍, ଜର୍ମାନି (ଗ୍ରୁପ୍-ସି) ପରେ ବ୍ରାଜିଲ୍, ସ୍ପେନ୍ ଓ ନାଇଜର୍ ଗ୍ରୁପ୍-ଡି’ରୁ ଚଳିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ର ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ବ୍ରାଜିଲ ୩ ମ୍ୟାଚ୍ରୁ ୩ ବିଜୟ ସହ ଗ୍ରୁପ୍-ଡି’ର ପ୍ରଥମ ସ୍ଥାନରେ ରହିଥିଲା ବେଳେ ସ୍ପେନ୍ ୩ ମ୍ୟାଚ୍ରୁ ୨ ବିଜୟ ସହ ଦ୍ୱିତୀୟ ଏବଂ ନାଇଜର ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ୍ ସହ ଅନ୍ୟତମ ଶ୍ରେଷ୍ଠ ତୃତୀୟ ସ୍ଥାନ ସହ ପ୍ରି-କ୍ୱାର୍ଟର୍ ଫାଇନାଲ୍ ପ୍ରବେଶ କରିଛି। ଏଥି ସହିତ ବିଶ୍ୱକପ୍ ପଦାର୍ପଣରେ ନାଇଜର ପ୍ରି-କ୍ୱାର୍ଟର୍ ଫାଇନାଲ୍ ଖେଳିବାର ଇତିହାସ ରଚିଛି।
ଗୋଆସ୍ଥିତ ପଣ୍ଡିତ ଜବାହରଲାଲ୍ ନେହୁର ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ୍-ଡି ଅନ୍ତର୍ଗତ ଏକ ମ୍ୟାଚ୍ରେ ଶୁକ୍ରବାର ଶକ୍ତିଶାଳୀ ବ୍ରାଜିଲ ଦଳ ୨-୦ ଗୋଲ୍ରେ ନାଇଜରକୁ ପରାସ୍ତ କରିଥିଲା। ଏହି ଦୁଇ ଗୋଲ୍କୁ ଲିନ୍କୋଲ୍ନ (୪ ମିନିଟ୍) ଏବଂ ବ୍ରେନର (୩୪ ମିନିଟ୍) ଦେଇଥିଲେ। ସେହପରି କୋଚିର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯାଇଥିବା ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ୨-୦ ଗୋଲ୍ରେ ଉତ୍ତର କୋରିଆକୁ ହରାଇଥିଲା। ଚତୁର୍ଥ ମିନିଟ୍ରେ ମହମ୍ମଦ ମୌଖଲିସ୍ ଗୋଲ୍ ଦେଇ ପ୍ରଥମାର୍ଧରେ ସ୍ପେନ୍କୁ ୧-୦ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଧରେ ସିଜର ଗେଲାବର୍ତ (୭୧ ମିନିଟ୍)ଙ୍କ ଏକ ଗୋଲ୍ ସ୍ପେନ୍କୁ ବିଜୟ ଏକତରଫା ବିଜୟ ସହ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚାଇଥିଲେ। ଅନ୍ୟପକ୍ଷରେ ନାଇଜର୍ ପରାଜୟ ସତ୍ତ୍ୱେ ଉନ୍ନତ ପଏଣ୍ଟ୍ ବ୍ୟବଧାନରେ ଶ୍ରେଷ୍ଠ ତୃତୀୟ ସ୍ଥାନ ଭାବେ ପ୍ରି-କ୍ୱାର୍ଟର ଫାଇନାଲ୍ ଖେଳିବା ସୁଯୋଗ ହାସଲ କରିଛି।
ଗ୍ରୁପ୍-ସି’ରୁ ଇରାନ, ଜର୍ମାନି
ଶୁକ୍ରବାର ଗ୍ରୁପ୍-ସି ଅନ୍ତର୍ଗତ ଦୁଇଟି ମ୍ୟାଚ୍ରେ ନିଜ ନିଜର ବିଜୟ ସହ ଇରାନ୍ ଓ ଜର୍ମାନି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଏହି ଗ୍ରୁପ୍ରେ କୋଷ୍ଟାରିକା ଏବଂ ଗିନି ୧ ପଏଣ୍ଟ୍ ଲେଖାଏଁ ପାଇ ଶେଷ ଦୁଇ ସ୍ଥାନ ସହ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି।
ଗୋଆର ପଣ୍ଡିତ ଜବାହରଲାଲ୍ ନେହୁର ଷ୍ଟାଡିୟମରେ ଗ୍ରୁପ୍-ସି’ ପ୍ରଥମ ମ୍ୟାଚ୍ରେ ଇରାନ୍ ୩-୦ ଗୋଲ୍ରେ କୋଷ୍ଟାରିକାକୁ ପରାସ୍ତ କରି ଦେଇଥିଲା। ଅଧିନାୟକ ମହମ୍ମଦ ଘୋବେଇସାବି (୨୫ ମିିନିଟ୍), ତାହା ସାରିଆତ୍ (୨୯ ମିନିଟ୍) ଓ ମହମ୍ମଦ ସର୍ଦାରି (୮୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଦଳକୁ ଏକତରଫା ବିଜୟ ଭେଟି ଦେଇଥିଲେ। ଫଳରେ ଇରାନ୍ ୩ ମ୍ୟାଚ୍ରୁ ୩ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ କରିଛି।
ସେହିପରି କୋଚିର ଜବାହରଲାଲ୍ ନେହୁର ଷ୍ଟାଡିୟମରେ ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ଜର୍ମାନି ୩-୧ ଗୋଲ୍ରେ ଗିନିକୁ ପରାସ୍ତ କରି ପଏଣ୍ଟ୍ ତାଲିକାର ଦ୍ୱିତୀୟ ସ୍ଥାନ ପାଇଛି। ମ୍ୟାଚ୍ର ଅଷ୍ଟମ ମିନିଟ୍ରେ ଅଧିନାୟକ ଜାନ୍-ଫ୍ଲେଟ୍ ଗୋଲ୍ ଦେଇ ଜର୍ମାନି ଦଳକୁ ଆଗୁଆ କରିଥିଲେ। ୨୬ ତମ ମିନିଟ୍ରେ ଗିନିର ଇବ୍ରାହିମ୍ ସୌମାଙ୍କ ଗୋଲ୍ ସ୍ଥିତି ୧-୧ କରିଦେଇଥିଲା। ତେବେ ଦ୍ୱିତୀୟାର୍ଧରେ ଜର୍ମାନିର ନିକୋଲା କୁଏନ୍ (୬୨) ଏବଂ ସାହବର୍ଦି ସେଟିନ୍ (୯୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ଦଳ ୩-୧ରେ ଜିତିଯାଇଥିଲା।