ନୂଆଦିଲ୍ଲୀ: ବିଶ୍ବକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ପଦତ୍ୟାଗ କରିଥିଲେ। ଫଳରେ ରିଡ୍‌ଙ୍କ ବଦଳରେ ନୂଆ ମୁଖ୍ୟ ପ୍ରଶିକ୍ଷକ ସନ୍ଧାନରେ ଥିବା ହକି ଇଣ୍ଡିଆ ବିଜ୍ଞପ୍ତି ଜାରି କରିଥିଲା। ଏଥିରେ ଏକାଧିକ ବିଦେଶୀଙ୍କ ସହିତ ଭାରତୀୟ ଭାବେ ହରେନ୍ଦ୍ର ସିଂହ ଆବଦେନ କରିଥିଲେ। ହେଲେ ସଦ୍ୟ ସୂଚନାରୁ ଯାହା ଜଣାପଡୁଛି ହକି ଇଣ୍ଡିଆ ଭାରତୀୟ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବା ସପକ୍ଷରେ ନାହିଁ। କାରଣ ଆର୍ଜେଣ୍ଟିନାର ମାକ୍ସ କାଲ୍‌ଡାସ୍‌ ଏବଂ ନେଦରଲାଣ୍ଡ୍‌ସର ସିଗ୍‌ଫ୍ରେଡ୍‌ ଐକ୍‌ମାନ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ରହିଥିବା ହକି ଇଣ୍ଡିଆ ସୂଚନା ଦେବା ପରେ ଭାରତୀୟଙ୍କୁ ନିଯୁକ୍ତି ସପକ୍ଷରେ ନଥିବା ସ୍ପଷ୍ଟ ହୋଇଯାଇଛି। ହକି ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି, ସଂଘ ଦୁଇ ତିନି ଜଣ ବିଦେଶୀଙ୍କ ସହିତ କଥାବାର୍ତା କରୁଛି। ଆଗାମୀ ଏସୀୟ କ୍ରୀଡ଼ା ଏବଂ ପ୍ୟାରିସ୍‌ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଜଣେ ଦକ୍ଷ ଓ ଉପଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ। ଯିଏ ଭାରତୀୟ ଦଳର ପ୍ରଦର୍ଶନକୁ ପରବର୍ତୀ ସ୍ତରରେ ପହଞ୍ଚାଇପାରିବ ସେଭଳି ଶ୍ରେଷ୍ଠ ପ୍ରଶିକ୍ଷକଙ୍କୁ ଆଣିବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଦୃଷ୍ଟିରୁ କାଲ୍‌ଡାସ୍‌ ଏବଂ ଐକ୍‌ମାନ୍‌ ସବୁଠୁ ଅଧିକ ଦାବିଦାର ରହିଛନ୍ତି। କୌଣସି ଭାରତୀୟଙ୍କ ନାମ ରହିଛି କି ବୋଲି ପ୍ରଶ୍ନ ହେବାରୁ ସଂଘ ଭିନ୍ନ ଆଭିମୁଖ୍ୟ ଦେଖାଇଛି। ଓଲଟା ଭାରତରେ ଏବେ କିଏ ଶ୍ରେଷ୍ଠ ପ୍ରଶିକ୍ଷକ ଅଛନ୍ତି ବୋଲି କହିବାକୁ ସଂଘ ପଚାରିଛି। ଯଦି ତୁମେ ଆମକୁ କାହାରି ନାମ ଦେବ ତାହାଲେ ଆମେ ନିଶ୍ଚିତ ବିଚାର କରିବୁ ବୋଲି ହକି ଇଣ୍ଡିଆ କହିଛି।

Advertisment

ରିଡ୍‌ ତାଙ୍କ ଦାୟିତ୍ବ ଚମତ୍କାର ଭା‌ବେ ତୁଲାଇଥିଲେ। ତାଙ୍କ ଅଧୀନରେ ଭାରତୀୟ ଦଳ ମଧ୍ୟ ଅଲିମ୍ପିକ୍‌ ପଦକ ଜିତିଥିଲା। ବିଳମ୍ବରେ ହେଲେ ମଧ୍ୟ ଏହାପରଠୁ ଭାରତୀୟ ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ଯାହାର ଫଳସ୍ବରୂପ ନିଜ ଦେଶରେ ଆୟୋଜିତ ବିଶ୍ବକପ୍‌ରେ ଦଳ ନବମ ସ୍ଥାନରେ ଅଭିଯାନ ଶେଷ କରିଛି। ଦଳର ଏଭଳି ପ୍ରଦର୍ଶନ ପାଇଁ କେବଳ ରିଡ୍‌ ନୁହନ୍ତି ତାଙ୍କ ସବୋର୍ଟ ଷ୍ଟାଫ୍‌ ଗ୍ରେଗ୍‌ କ୍ଲାର୍କ ଏବଂ ମିଚେଲ ଡେଭିଡ୍‌ ପେମ୍ବେରଟନ୍‌ ମଧ୍ୟ ଇସ୍ତଫା ଦେଇସାରିଛନ୍ତି।