ମଙ୍ଗଳବାର ଦୁଇ ମହାମୁକାବିଲା: କେକେଆର ପାଇଁ କ୍ୟାପିଟାଲ୍ସ ଆହ୍ବାନ, ପଞ୍ଜାବକୁ ଭେଟିବ ମୁମ୍ବାଇ
ରସେଲଙ୍କୁ ନେଇ ସଂଶୟ ଜାରି
ସାରଜା: ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ଆଉ ଏକ ମହତ୍ବପୂର୍ଣ୍ଣ ମୁକାବିଲାରେ ମଙ୍ଗଳବାର ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଭେଟିବ। ୧୦ ମ୍ୟାଚ୍ରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଦିଲ୍ଲୀ ଏକପ୍ରକାର ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରି ନେଇଛି। ହେଲେ କେକେଆର୍ ପାଇଁ ଏହି ପଥ ଏବେବି ବଂଧୁର ରହିଛି। କାରଣ କେକେଆର୍ ୧୦ ମ୍ୟାଚ୍ରୁ ମାତ୍ର ୪ ବିଜୟ ପାଇ କେବଳ ୮ ପଏଣ୍ଟ୍ରେ ରହିଛି। ଏଣୁ ପ୍ଲେ ଅଫ୍ ଟିକେଟ୍ ହାସଲ କରିବା ଲାଗି ଏହି ଦଳ ପାଇଁ ତାର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଜିତିବା ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି।
ଦିଲ୍ଲୀ ପାଇଁ ମଧ୍ୟ ମଙ୍ଗଳବାର ମ୍ୟାଚ୍ର ଢେର ମହତ୍ବ ରହିଛି। କାରଣ ପ୍ଲେ ଅଫ୍ ପ୍ରବେଶକୁ ସୁନିଶ୍ଚିତ କରିବା ପରେ ଏହି ଦଳ ଏବେ ପଏଣ୍ଟ୍ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ନିଜ ଲିଗ୍ ପର୍ଯ୍ୟାୟ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି। ଏଥଲାଗି କିନ୍ତୁ ଦିଲ୍ଲୀକୁ ତାର ଅବଶିଷ୍ଟ ୪ ଲିଗ୍ ମ୍ୟାଚ୍ ମଧ୍ୟରୁ ଅନ୍ୟୂନ ଦୁଇଟିକୁ ଜିତିବା ଦରକାର। ପଏଣ୍ଟ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ରହି ପ୍ଲେ ଅଫ୍କୁ ଯିବା ଦୌଡ଼ରେ ଏବେ ଦିଲ୍ଲୀ ସହ ଚେନ୍ନାଇ ସୁପରକିଙ୍ଗ୍ସ (୧୦ ମ୍ୟାଚ୍, ୮ ବିଜୟ, ୧୬ ପଏଣ୍ଟ୍) ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (୧୦ ମ୍ୟାଚ୍, ୬ ବିଜୟ, ୧୨ ପଏଣ୍ଟ୍) ମଧ୍ୟ ଅଛନ୍ତି। ଯେଉଁ ଦୁଇ ଦଳ ପଏଣ୍ଟ୍ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ରହି ପ୍ଲେ ଅଫ୍କୁ ଯିବେ, ସେମାନେ ଫାଇନାଲ୍ ପ୍ରବେଶ ଲାଗି ଦୁଇଟି ସୁଯୋଗ (କ୍ବାଲିଫାୟର ୧ ଓ ୨) ଲାଭ କରିବେ। ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳ କେବଳ ଏଲିମିନେଟର ରୂପରେ ଗୋଟିଏ ସୁଯୋଗ ପାଇବେ। ସେହିଭଳି ଫାଇନାଲ୍ ଟିକେଟ୍ ଲାଗି ଏଲିମିନେଟରର ବିଜେତା ଦଳକୁ ଦ୍ବିତୀୟ କ୍ବାଲିଫାୟର (ପ୍ରଥମ କ୍ବାଲିଫାୟରର ପରାଜିତ ଦଳ)କୁ ଜିତିବାକୁ ହେବ।
ଦ୍ବିତୀୟ ଚରଣର ପ୍ରଥମ ଦୁଇ ମ୍ୟାଚ୍ରେ ଲଗାତାର ବିଜୟ ପାଇବା ପରେ ରୋମାଞ୍ଚଭରା ତୃତୀୟ ମ୍ୟାଚ୍ର ଶେଷ ଓଭରରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ପରାଜିତ ହୋଇଥିଲା। ଏହି ମ୍ୟାଚ୍ରେ ତାରକା ଅଲରାଉଣ୍ଡର୍ ଆନ୍ଦ୍ରେ ରସେଲ ଆହତ ହୋଇଥିଲେ। ତାଙ୍କୁ ନେଇ ଏବେବି ସଂଶୟ ଜାରି ରହିଛି। ରସେଲ ଫିଟ୍ ନହୋଇ ପାରିଲେ ତାଙ୍କ ସ୍ଥାନରେ ସକିବ-ଅଲ-ହାସନ କିମ୍ବା ବେନ୍ କଟିଂ ଖେଳି ପାରନ୍ତି। ଅନ୍ୟ ପକ୍ଷରେ ନିଜ ଗତ ମ୍ୟାଚ୍ରେ ମାତ୍ର ୩ ଜଣ ବିଦେଶୀ ଖେଳାଳିଙ୍କୁ ଖେଳାଇଥିବା ଦିଲ୍ଲୀ ତାର ଚୂଡ଼ାନ୍ତ ଏକାଦଶକୁ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ଫେରାଇ ଆଣିପାରେ। ସୋମବାର ସଙ୍ଗରୋଧ ଛାଡ଼ିଥିବା ସାମ୍ ବିଲିଂ ମଧ୍ୟ ଦିଲ୍ଲୀ ପାଇଁ ଆଉ ଏକ ଭଲ ବିକଳ୍ପ ହୋଇ ପାରନ୍ତି। ମୁହାଁମୁହିଁ ମୁକାବିଲାର ଅତୀତ ରେକର୍ଡରେ ଦିଲ୍ଲୀଠାରୁ କେକେଆର୍ ସାମାନ୍ୟ ଆଗରେ ଥିବାରୁ ଏହା ଏହି ଦଳ ପାଇଁ ପ୍ରେରଣାସ୍ରୋତ ହୋଇପାରେ। ଉଭୟ ଦଳ ଆଇପିଏଲ୍ରେ ପରସ୍ପରକୁ ୨୭ଥର ଭେଟିଛନ୍ତି। ସେଥିମଧ୍ୟରୁ କେକେଆର୍ ୧୪ ଏବଂ ଦିଲ୍ଲୀ ୧୨ ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି। ତେବେ ଉଭୟ ଦଳ ମଧ୍ୟରେ ହୋଇଥିବା ଗତ ୬ ମୁକାବିଲାରେ ଦିଲ୍ଲୀ ଜିତିବା କେକେଆ୍କୁ ଚିନ୍ତାରେ ପକାଇପାରେ। ଦିଲ୍ଲୀ ଅଧିନାୟକ ଋଷଭ ପନ୍ତଙ୍କ ପାଇଁ ମଙ୍ଗଳବାର ଏହି ପ୍ରତୀକ୍ଷିତ ମୁକାବିଲାରେ ଏକ ବ୍ୟକ୍ତିଗତ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆଉ ମାତ୍ର ୩୨ ରନ୍ କରିପାରିଲେ ବୀରେନ୍ଦ୍ର ସେହବାଗଙ୍କୁ ଟପି ଦିଲ୍ଲୀ କ୍ୟାପିଟାଲ୍ସର ଅଗ୍ରଣୀ ଟ୍ବେଣ୍ଟି-୨୦ ରନ୍ ସ୍କୋରର ହେବେ ସେ।
ଆବୁଧାବି: ଚଳିତ ଆଇପିଏଲ୍ରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଆବୁଧାବିରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ୟୁଏଇ ଚରଣରେ ଲଗାତାର ୩ ମ୍ୟାଚ୍ ହାରିବା ପରେ ସଂପ୍ରତି ମୁମ୍ବାଇ ୧୦ ମ୍ୟାଚ୍ ଖେଳି ୮ ପଏଣ୍ଟ୍ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଏହି ବର୍ତମାନର ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ରନ୍ ପଶ୍ଚାତ୍ଧାବନ କରିବାରେ ବିଫଳ ହୋଇଥିଲା ବେଳେ କୋଲ୍କାତା ନାଇଟ୍ ରାଇଡର୍ସକୁ ଅଟକାଇବାରେ ସକ୍ଷମ ହୋଇନଥିଲା। ଫଳରେ ଦଳର ନକ୍ଆଉଟ୍ ଆଶଙ୍କା ବଢ଼ିଯାଇଛି। ଆଗକୁ ଆଉ ୪ ମ୍ୟାଚ୍ ଖେଳିବାକୁ ଥିଲା ବେଳେ ସବୁତକ ଜିତିବା ମୁମ୍ବାଇକୁ ଆବଶ୍ୟକ। ଅନ୍ୟ ଦଳର ସ୍ଥିତିକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ଏବେ ମୁମ୍ବାଇ ବ୍ୟାଟିଂ ହେଉଛି ପ୍ରମୁଖ ସମସ୍ୟା। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନ ରନ୍ ପାଇଁ ସଂଘର୍ଷ କରୁଥିଲା ବେଳେ ରୋହିତ ଗତ ଦୁଇ ମ୍ୟାଚ୍ରେ ୩୩ ଓ ୪୩ ରନ୍ କରିଥିଲେ ମଧ୍ୟ ଏହାକୁ ବଡ଼ ସ୍କୋର୍ରେ ପରିଣତ କରିବାରେ ବିଫଳ ହୋଇଛନ୍ତି। ହାର୍ଦିକ ପାଣ୍ଡ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ଦୂରେଇ ରହୁଛନ୍ତି। ବୋଲିଂରେ ଯଶପ୍ରୀତ ବୁମ୍ରା ୩ ମ୍ୟାଚ୍ରେ ୮ ୱିକେଟ୍ ନେଇ ଫର୍ମରେ ଥିଲାବେଳେ ଟ୍ରେଣ୍ଟ ବୋଲ୍ଟ ଓ ଆଦମ ମିଲ୍ନେ ୩ ଲେଖାଏଁ ୱିକେଟ୍ ପାଇଛନ୍ତି। ହେଲେ ଦୁଇ ସ୍ପିନର ରାହୁଲ ଚହର ଓ କ୍ରୁନାଲ ପାଣ୍ଡ୍ୟା ପ୍ରଦର୍ଶନ ଭଲ ନାହିଁ। ଯଦି ଏମାନେ ଭଲ କରନ୍ତି ତେବେ ମୁମ୍ବାଇ ଲାଗି ପ୍ଲେ ଅଫ୍ ଆଶା ଉଜ୍ଜୀବିତ ହୋଇପାରିବ। ତେଣୁ ପଞ୍ଜାବ ବିପକ୍ଷରେ ଦଳ ପୂରା ଦମ୍ରେ ପଡ଼ିଆକୁ ଓହ୍ଲାଇବର ଆଶା ରହିଛି।
ଅନ୍ୟପକ୍ଷରେ ଗତ ମ୍ୟାଚ୍ରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲର ପଞ୍ଚମକୁ ଉଠିଥିଲା ପଞ୍ଜାବ କିଙ୍ଗ୍ସ। ହେଲେ ଏହି ଦଳ ମଧ୍ୟ ମୁମ୍ବାଇ ପରି ୧୦ ମ୍ୟାଚ୍ ଖେଳି ୮ ପଏଣ୍ଟ ପାଇଛି। ତେବେ ନେଟ୍ ରନ୍ରେଟ୍ରେ ଆଗରେ ରହିଛି। ଏହି ମ୍ୟାଚ୍ ଯିଏ ଜିତିବ ସେ ପଏଣ୍ଟ ଟେବୁଲରେ ନିଜ ସ୍ଥାନ ଦୃଢ଼ କରିବ। ପଞ୍ଜାବ ଦଳ ଭାରତ ଏବଂ ବିଦେଶୀ ପ୍ରତିଭାବାନ ଖେଳାଳିଙ୍କୁ ନେଇ ଦୃଢ଼ ରହିଛି। ହେଲେ ଏମାନେ ମ୍ୟାଚ୍ ବେଳେ ଖେଳାଳିଙ୍କ ମେଳ ଠିକ୍ ନରହିବାରୁ ବିଜୟର ନିକଟତର ହୋଇ ମଧ୍ୟ ପରାଜୟ ବରଣ କରୁଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଶେଷ ଓଭରରେ ବିଜୟ ଲାଗି ୪ ରନ୍ ଥିଲେ ମଧ୍ୟ ଏହା କରିପାରନଥିଲେ। ପଞ୍ଜାବ ଦଳର ଦୁଇ ଓପନର୍ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରୁଛନ୍ତି ହେଲେ ମଧ୍ୟଭାଗ ବ୍ୟାଟର୍ ଏହାକୁ ଆଗକୁ ବଢ଼ାଇ ପାରୁନାହାନ୍ତି। ଯାହା ପରାଜୟର ପ୍ରମୁଖ କାରଣ ହେଉଛି। ମଧ୍ୟଭାଗରେ ଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ଏଦେନ ମାର୍କରମ ଏବଂ ନିକୋଲାସ ପୂରନ ସଫଳ ହୁଅନ୍ତି ତେବେ ଦଳର ବିଜୟକୁ ଅଟକାଇବା ବିପକ୍ଷ ଦଳ ଲାଗି କଷ୍ଟକର ହେବ। ବୋଲିଂରେ ଅଭିଜ୍ଞ ମହମ୍ମଦ ସାମି ଓ ଯୁବ ବୋଲର ଅର୍ଶଦୀପ ସିଂହ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସ୍ପିନର୍ ରବି ବିଷ୍ଣୋଇ ମଧ୍ୟ ଭଲ କରୁଛନ୍ତି।
ସମ୍ବାବ୍ୟ ମୁମ୍ବାଇ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ ଡି’କକ୍, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, କିରନ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଆଦମ ମିଲନେ, ରାହୁଲ ଚହର, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ।
ସମ୍ବାବ୍ୟ ପଞ୍ଜାବ ଏକାଦଶ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ୍, ନିକୋଲାସ ପୂରନ, ଏଦିନ ମର୍କରାମ, ଦୀପକ ହୁଦା, ହରପ୍ରୀତ ବ୍ରାର, ନାଥନ ଏଲିସ, ମହମ୍ମଦ ସାମି, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ।