ମିଆଁ ମ୍ୟାଜିକ୍‌: ସରଳ ଯୋଜନାରୁ ସବୁ ୱିକେଟ୍‌

କଲମ୍ବୋ: କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରବିବାର ଏସିଆ କପ୍‌ ଫାଇନାଲ୍‌ରେ ଘରୋଇ ଦଳ ଶ୍ରୀଲଙ୍କା ଥିବାରୁ ଭରପୁର ପ୍ରଶଂସକ ଯଥେଷ୍ଟ ପୂର୍ବରୁ ହାଜର ହୋଇଯାଇଥିଲେ। ଉତ୍ସାହ ଓ ଉନ୍ମାଦନା ବି ଆକାଶଛୁଆଁ ଥିଲା। ଶ୍ରୀଲଙ୍କା ଅଧିନାୟକ ଦାସୁନ ସଣକା ଟସ୍ ଜିତିବା ମଧ୍ୟ ଘରୋଇ ଦଳକୁ ଭଲ ସ‌ୁଯୋଗ ଦେଇଥିଲା। କାରଣ ପ୍ରେମଦାସାରେ ଗତ ୬ ମ୍ୟାଚ୍‌ରୁ ୫ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲା। ଏହି ଧାରଣାରେ ଆଗକୁ ବଢ଼ି ସଣକା ମଧ୍ୟ ଟସ୍ ଜିତିବା ମାତ୍ରକେ ବ୍ୟାଟିଂ ବାଛି ନେଇଥିଲେ। କିନ୍ତୁ ଏତେ ବଡ଼ ବିପର୍ଯ୍ୟୟ ଯେ ଆଗକୁ ଅଛି ତାହା ସଣକାଙ୍କ କଳ୍ପନା ବାହାରେ ଥିଲା। ପ୍ରଥମ ଓଭରରେ କୁସାଲ ପେରେରାଙ୍କୁ ଯଶପ୍ରୀତ ବୁମରା ୱିକେଟରକ୍ଷକ କେଏଲ୍ ରାହୁଲଙ୍କ ହାତରେ ପ୍ୟାଭିଲିଅନ୍‌ ଫେରାଇଥିଲେ। ସ୍ବତଃ ତୃତୀୟ ଓଭର (୮/୧) ବେଳକୁ ଶ୍ରୀଲଙ୍କା ଅଡୁଆ ସ୍ଥିତିରେ ଥିଲା। ଚତୁର୍ଥ ଓଭର କିନ୍ତୁ ଏହି ମ୍ୟାଚ୍‌ର ଭାଗ୍ୟ ନିର୍ଣ୍ଣାୟକ ହୋଇଥିଲା। ଘାତକ ବୋଲିଂ ମହମ୍ମଦ ସିରାଜ ପ୍ରଥମ ବଲ୍‌ରେ ଦସୁନ ନିଶଙ୍କା, ତୃତୀୟ ଓଭରରେ ସଦୀରା ସମରବିକ୍ରମା, ଚତୁର୍ଥ ବଲ୍‌ରେ ଚରିତ ଅସଲଙ୍କା, ଷଷ୍ଠ ବଲ୍‌ରେ ଧନଞ୍ଜୟ ଡି’ସିଲଭାଙ୍କୁ ପ୍ୟାଭିଲିଅନ୍ ପଠାଇ କେବଳ ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗିନଥି‌ଲେ, ଦଳୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ହଠାତ ଶ୍ରୀଲଙ୍କା ୧୨/୫ରେ ସଂଘ‌ର୍ଷ କରିଥିଲା। ଏହା ପରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ସଣକାଙ୍କୁ ବୋଲ୍ଡ କରି ସିରାଜ ତାଙ୍କ ଦିନିନିଆ ଖେଳ ଜୀବନର ପ୍ରଥମ ୫ ୱିକେଟ୍‌ ପୂର୍ଣ୍ଣ କରିଥିଲେ। ମିଆଁ ମ୍ୟାଜିକ୍ ଭାବେ ପରିଚିତ ଏହି ହାଇଦ୍ରାବାଦୀ ଦ୍ରୁତ ବୋଲରଙ୍କ ୱିକେଟ୍‌ ତୃଷ୍ଣା ସେହିଠାରେ ମଧ୍ୟ ଶେଷ ହୋଇନଥିଲା। ନିଜର ଷଷ୍ଠ ଓଭରରେ କୁସାଲ ମେଣ୍ଡିଜ୍‌ଙ୍କୁ ବୋଲ୍ଡ କରି ଷଷ୍ଠ ୱିକେଟ୍‌ ଅର୍ଜନ କରିଥିଲେ। ଏସିଆ କପ୍ ଫାଇନାଲ୍‌ରେ ୬ ୱିକେଟ୍‌ ନେବାରେ ଅଜନ୍ତା ମେଣ୍ଡିଜ୍‌ଙ୍କ ପରେ ମଧ୍ୟ ସିରାଜ ଦ୍ବିତୀୟ ମାତ୍ର ବୋଲର୍ ହୋଇଥିଲେ।

ସରଳ ଯୋଜନାରୁ ସବୁ ୱିକେଟ୍‌


ଶ୍ରୀଲଙ୍କାକୁ ମାତ୍ର ୫୦ ରନ୍‌ରେ ଅଲ୍‌ ଆଉଟ୍ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ମହମ୍ମଦ ସିରାଜ ଏବେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି। ଗୋଟିଏ ମାତ୍ର ସ୍ପେଲ୍‌ (୭-୧-୨୧-୬)ରେ ଶ୍ରୀଲଙ୍କା ଶୀର୍ଷ ଓ ମଧ୍ୟକ୍ରମକୁ ବିଧ୍ବସ୍ତ କରିଥିବା ସିରାଜଙ୍କ ପାଇଁ ଏହା ଥିଲା ଏକ ସ୍ବପ୍ନର ଯାତ୍ରା ଭଳି। ଶ୍ରୀଲଙ୍କା ପାଳି ସରିବା ମାତ୍ରେ ସିରାଜ କହିଥିଲେ ‘ଏହା ମୋତେ ସ୍ବପ୍ନ ଭଳି ଲାଗୁଛି। ଅତି ସରଳ ଯୋଜନାରେ ମୁଁ ବୋଲିଂ କରିଥିଲି। ନିଜ ଲାଇନ୍ ଓ ଲେନ୍‌ଥ କର୍ଯ୍ୟକାରୀ କରିବା ଉପରେ ଅଧିକ ଗୁରୁତ୍ବ ଦେଇଥିଲି। ଶେଷ ଥର ପାଇଁ ମଧ୍ୟ ମୁଁ ଶ୍ରୀଲଙ୍କା ବିପକ୍ଷରେ ମୋ ୩ଟି ୪ ୱିକେଟ୍‌ ସଫଳତା ମଧ୍ୟରୁ ପ୍ରଥମଟି ଅର୍ଜନ କରିଥିଲି। ‌ସେହି ଦୃଷ୍ଟିରୁ ଭାବିଥିଲି କେବଳ ଲାଇନ୍ ଓ ଲେନ୍‌ଥରେ ବୋଲିଂ କରିଚାଲିବି। ଏହା କରି ଚାଲିଥିଲି ଏବଂ ୱିକେଟ୍ ମିଳିଚାଲିଥିଲା। ଚରିତ ଅସଲଙ୍କା ମୋତେ ହ୍ୟାଟ୍ରିକ୍‌ରୁ ବଞ୍ଚିତ ରଖିଥିଲେ କିନ୍ତୁ ଗୋଟିଏ ବଲ୍‌ ପରେ ସେ ମଧ୍ୟ ମୋ ଚତୁର୍ଥ ଶିକାର ହୋଇଥିଲେ।’’ ବୋଲି ସିରାଜ କହିଥିଲେ। ବାହାର ବଲ୍‌କୁ ସୁଇଙ୍ଗ କରିବାର ଦକ୍ଷତା ବିଶେଷ ସିରାଜଙ୍କୁ ଆଜି ଭାରତର ମୁଖ୍ୟ ଅସ୍ତ୍ର ଭାବେ ଛିଡ଼ା କରାଇଛି। ଚୟନକର୍ତ୍ତାମାନେ ମଧ୍ୟ ସାମିଙ୍କ ବଦଳରେ ସିରାଜଙ୍କୁ କାହିଁକି ଅଧିକ ଅଗ୍ରାଧିକାର ଦେଇଛନ୍ତି ଏହ‌ାର ଉତ୍ତର ସମସ୍ତଙ୍କୁ ମିଳିଯାଇଛି। ‘ଧଳା ବଲ୍‌ ଖେଳିବା ସମୟରେ ମୋର ଏକମାତ୍ର ଲକ୍ଷ୍ୟ ହେଉଛି ନୂଆ ବଲ୍‌କୁ ପ୍ରଥମରୁ ସୁଇଙ୍ଗ କରାଇବା। ପ୍ରଥମ କିଛି ମ୍ୟାଚ୍‌ରେ ସେଭଳି ହେଉନଥିଲା। ଆଜି କିନ୍ତୁ ମୁଁ ଯେତେ ସମ୍ଭବ ବ୍ୟାଟରଙ୍କୁ ଖେଳାଇବାକୁ ଚେଷ୍ଟା କରି ଫସାଇଥିଲି। ଆଗରୁ ଆଉଟ୍‌ ସୁଇଙ୍ଗରୁ ଏତେ ୱିକେଟ୍‌ ପାଉନଥିଲି, ଏବେ ମିଳିଥିବାରୁ ବହୁତ ଖୁସି ଅଛି’ ବୋଲି ସିରାଜ କହିଛନ୍ତି। ଟେଷ୍ଟ୍ ମ୍ୟାଚ୍‌ ଲେନ୍‌ଥରେ ବୋଲିଂ କରିବା ଯୋଜନା ମୋର ଫଳପ୍ରଦ‌ ହୋଇଛି। ଗୋଟିଏ ଲାଇନ୍‌ରେ ବୋଲିଂ କରି ୱିକେଟ୍ ଦଖଲ ସଫଳତା ପାଇଛି ବୋଲି ମଧ୍ୟ ସିରାଜ ପ୍ରକାଶ କରିଥିଲେ। ନିଜର ପ୍ରଥମ ୧୬ ବଲ୍ ଭିତରେ ୫ ୱିକେଟ୍ ସଫଳତା ଅର୍ଜନରେ ମଧ୍ୟ ବିରଳ ସଫଳତା ଅର୍ଜନ କରିଥିଲେ। ବଲ୍‌ ବାଇ ବଲ୍‌ ହିସାବ ରହିବା ଦିନଠାରୁ ସିରାଜ ପ୍ରଥମ ବୋଲର ହୋଇଛନ୍ତି। ବଲ୍‌ ଦୃଷ୍ଟି କୋଣରୁ ଦ୍ରୁତତମ ୫ ୱିକେଟ୍ ଦଖଲରେ ସେ ଚାମିଣ୍ଡା ଭାସ ଓ ଅଲୀ ଖାନ୍‌ଙ୍କ ପରେ ତୃତୀୟ ବୋଲର ହୋଇଛନ୍ତି।

ସମ୍ବନ୍ଧିତ ଖବର