ଭୁବନେଶ୍ୱର: ପ୍ରଥମ ଭାରତୀୟ ଭାବେ ଅସିଚାଳନାରେ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସିଏ ଭବାନୀ ଦେବୀଙ୍କୁ କିଟ୍ ଓ କିସ୍ ପକ୍ଷରୁ ଗୁରୁବାର ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଭାରତୀୟ ଅସିଚାଳନା ସଂଘର ମହାସଚିବ ବସିର ଏ ଖାନ୍, ଓଡ଼ିଶା ଅସିଚାଳନା ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ, ଗ୍ରିନ୍ ମ୍ୟାନ୍ ଡ. ଅବଦୁଲ୍ ଘନୀ, ଦୌଡ଼ରାଣୀ ଦୂତି ଚାନ୍ଦ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଭବାନୀ କହିଥିଲେ ଯେ କିଟ୍ ବିଶ୍ୱବିଦ୍ୟାଳୟ ମୋ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କିଟ୍ରେ ନାମ ଲେଖାଇବା ପରେ ମୁଁ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରିଛି। ପିଲା ଦିନର ଏହି ସ୍ବପ୍ନ ପୂରଣ କରିବା ଲାଗି ବହୁ ସଂଘର୍ଷ ଓ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ନିଜ ସଫଳତା ଲାଗି ଭବାନୀ ପ୍ରଶିକ୍ଷକ ଓ ମାତା-ପିତାଙ୍କୁ ଧନ୍ୟବାଦ ଦେଇଥିଲେ। ସେହିଭଳି ଦୌଡ଼ ରାଣୀ ଦୂତି ଚାନ୍ଦଙ୍କୁ ନିଜ ପ୍ରେରଣା ଭାବରେ ବର୍ଣ୍ଣନା କରିଥିଲେ। ମୋ ପାଇଁ ନୁହେଁ, ହଜାର ହଜାର କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ଭବାନୀ କହିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଭବାନୀଙ୍କୁ ଅଭିନନ୍ଦନ ଜଣାଇ ଥିଲେ ଭବାନୀ ନିଶ୍ଚିତ ଟୋକିଓ ଅଲିମ୍ପିକ୍ରେ ପଦକ ଜିତିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଭବାନୀଙ୍କ ମାଆ ସି ଏ ରମଣୀ, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ଓ କିସ୍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।
‘ମୋ ପାଇଁ କିଟ୍ ଶୁଭଙ୍କର’, ଭବାନୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2021/03/46465f4shfhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)