ମୁମ୍ବାଇରେ ନ୍ୟୁଜିଲାଣ୍ଡର ଅପ୍ରତ୍ୟାଶିତ ବିଜୟ ଅନେକଙ୍କୁ ବିସ୍ମିତ କରିଥିବ। ହେଲେ ଏହା ହିଁ ଯଥାର୍ଥରେ କିଓ୍ଵି କ୍ରିକେଟ୍। ସେମାନଙ୍କୁ ଅନେକ ସମୟରେ ନ୍ୟୁନ ଭାବେ ଦେଖା ଯାଇଥାଏ। ତଥାପି କ୍ଷଣକ ପାଇଁ ମୋ ଭାବୁନି ଯେ ନ୍ୟୁଜିଲାଣ୍ଡକୁ ଭାରତ ହାଲକା ଭାବେ ନେଇଥିଲା। ନ୍ୟୁଜିଲାଣ୍ଡ କ୍ରିକେଟ୍ରେ ଅନେକ ସମ୍ମାନ ସ୍ପଦ କ୍ରିକେଟର ଅଛନ୍ତି। ଦଳ ପ୍ରତି ସେମାନଙ୍କ ବିଶ୍ୱସନୀୟତା ଏବଂ କାର୍ଯ୍ୟ ଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣା। କିଓ୍ଵି ଦଳର ଦୁଇ ଜଣ ଖେଳାଳି କେନ୍ ଓ୍ଵିଲିୟମସନ୍ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ଅତି ନିକଟରୁ ଦେଖିଥିବାରୁ ମୁଁ ଏହା ଜୋର ଦେଇ କହି ପାରୁଛି। ଚୂଡ଼ାନ୍ତ ଏକାଦଶରେ ଥାଆନ୍ତୁ କି ନାହିଁ ଏମାନେ ସବୁବେଳେ ଦଳର ହିତ ପାଇଁ କାର୍ଯ୍ୟ କରନ୍ତି।
ଶୃଙ୍ଖଳା ଆରମ୍ଭରୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା, ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କୁ କିଭଳି ଭାବେ ଖେଳିବେ। ରବିବାର ମ୍ୟାଚରେ ଟମ୍ ଲାଥମଙ୍କୁ ମଧ୍ୟକ୍ରମକୁ ଖସାଇ ନେବା ଏକ ଚତୁର ଚାଲ ଥିଲା ବୋଲି ମୁଁ କହି ପାରିବି। ସ୍ପିନକୁ ଖେଳିବାରେ ଓ୍ଵିଲିୟମସନଙ୍କ ପରେ ଲାଥମ ହିଁ ନ୍ୟୁଜିଲାଣ୍ଡର ସର୍ବଶ୍ରେଷ୍ଠ ଖେଳାଳି। ଅଭିଜ୍ଞ ରସ୍ ଟେଲର ଟିକିଏ ବିଚଳିତ ଏବଂ ଅଧର୍ଯ୍ୟ ଜ ଣା ପଡ଼ୁଥିଲେ। ହେଲେ ଲାଥମ ଅତି ସୁନ୍ଦର ଭାବେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ବିପଦକୁ ପ୍ରତିହତ କରି ପାରିଥିଲେ। ଅଲରାଉଣ୍ଡ ଶକ୍ତି ପାଇଁ ପୁନେରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ଭାରତ ପ୍ରତ୍ୟାବର୍ତନ କରି ପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ହେଲେ ଏଥିଲାଗି ଶୀର୍ଷ ତିନି ବ୍ୟାଟ୍ସମ୍ୟାନଙ୍କୁ ଭଲ କରିବାକୁ ହେବ।
ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ବିଫଳ ହେବା ପରେ ଅଧିନାୟକ କୋହଲି କଠିନ ମୁମ୍ବାଇ ପରିବେଶରେ ବହୁ କଷ୍ଟ କରି ନିଜ ୩୧ତମ ଶତକ ହାସଲ କରିଥିଲେ। ଭାରତ ମ୍ୟାଚ୍ ଜିତି ପାରିଥିଲେ ଏହା ତାଙ୍କ ପାଇଁ ଅଧିକ ସ୍ମରଣୀୟ ହୋଇ ପାରି ଥାଆନ୍ତା। ହେଲେ ଅନ୍ୟପଟୁ ତାଙ୍କୁ ସମର୍ଥନ ମିଳିଲାନି। ଦୀନେଶ କାର୍ତିକ ଏବଂ କେଦାର ଯାଦବ ମିଳିଥିବା ସୁଯୋଗରୁ ପୁଣି ଥରେ ଲାଭ ଉଠାଇ ପାରିଲେ ନାହିଁ। କାରଣ ସେମାନେ ପଡ଼ିଆକୁ ଆସିଲା ବେଳେ ଲୟ ପାଇବା ପାଇଁ ପର୍ଯ୍ୟାପ୍ତ ଓଭର ଥିଲା। ସେମାନେ ଭାରତୀୟ ପାଳିରେ ବଳିଷ୍ଠ କରି ପାରିଥାଆନ୍ତେ। ଦୁର୍ଭାଗ୍ୟଜନକ ଭାବେ ଏହା ହେଲାନି।
୨୦୧୯ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଚାଲିଥିବାରୁ ମଧ୍ୟକ୍ରମକୁ ନେଇ ଭାରତର ଚିନ୍ତା ବଢ଼ି ବଢ଼ି ଚାଲିଛି। ହେଲେ ବିଶ୍ୱକପକୁ ଆଉ ପାଖା ପାଖି ଦୁଇ ବର୍ଷର ସମୟ ଥିବାରୁ ଏବେଠାରୁ ଏଥିନେଇ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ। ଓ୍ଵାଙ୍ଖଡେ ପିଚ୍ରେ ଭାରତ ଦେଇଥିବା ୨୮୧ ରନ୍ର ବିଜୟ ଲକ୍ଷ୍ୟ ସମ୍ଭବତଃ ୩୦ ରନ୍ କମ୍ ଥିଲା। ଓ୍ଵିଲିୟମସନ୍ ମାତ୍ର ୯ ରନ୍ରେ ଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଉପରେ ମଧ୍ୟ ଚାପ ବଢ଼ି ଯାଇଥିଲା। ହେଲେ ଲାଥମ ଏବଂ ଟେଲର ଯୋଜନାବଦ୍ଧ ଭାବେ ଖେଳିଲେ। ଏବେ ଆଉ ଏକ ଶୃଙ୍ଖଳା ବିଜୟ ଲାଗି ଭାରତକୁ ବହୁ ପରିଶ୍ରମ କରିବାକୁ ପଡ଼ିବ। (ଗେମପ୍ଲାନ୍)
ଲାଥମଙ୍କୁ ମଧ୍ୟକ୍ରମରେ ପଠାଇବା ଚତୁର ନିଷ୍ପତ୍ତି
ଭିଭିଏସ୍ ଲକ୍ଷ୍ମଣ
/sambad/media/post_attachments/wp-content/uploads/2017/10/Tom_Latham.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)