ଉଦେନେ (ଇଟାଲି) ସିରି-ଏ ଟ୍ରଫି ଜିତିବା ପାଇଁ ନାପୋଲିର ୩୩ ବର୍ଷ ଧରି ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷ ଥର ପାଇଁ ୧୯୯୦ ମସିହାରେ ଡିଏଗୋ ମରୋଡୋନା ହିଁ ନାପୋଲିକୁ ବିଜେତା କରାଇଥିଲେ। କେବଳ ୧୯୯୦ ନୁହେଁ ନାପୋଲି ଜିତିଥିବା ଦୁଇଟି ସିରି-ଏ ଟ୍ରଫି (୧୯୮୭ ଓ ୧୯୯୦) ମଧ୍ୟ ମାରାଡୋନାଙ୍କ ଯୋଗୁଁ ମିଳିଥିଲା। ତେବେ ୧୯୯୦ ପରଠୁ ଆଉ ଟ୍ରଫି ଜିତିବାର ସୌଭାଗ୍ୟ ପାଇନଥିବା ନାପୋଲି ଶେଷରେ ଚଳିତ ବର୍ଷ ବିଜେତା ହୋଇଯାଇଛି। ପ୍ରତିଯୋଗିତାରେ ଆହୁରି ୫ ମ୍ୟାଚ୍ ବାକି ଥିଲା ବେଳେ ନାପୋଲି ୩ ଶକ୍ତିଶାଳୀ ଦଳ ଜୁଭେଣ୍ଟସ୍ ଏବଂ ଦୁଇ ମିଲନ ଦଳକୁ ପଛରେ ପକାଇଦେଇଛି।
ପଏଣ୍ଟ ତାଲିକାର ଶୀର୍ଷରେ ସ୍ଥିତି ସୁଦୃଢ଼ କରିସାରିଥିବା ନାପୋଲି ଏବେସୁଦ୍ଧା ଦ୍ବିତୀୟ ସ୍ଥାନରେ ଥିବା ଲାଜିଓଠାରୁ ୧୬ ପଏଣ୍ଟ ଆଗରେ ରହି ବିଜେତା ଟ୍ରଫି ସୁନିଶ୍ଚିତ କରିନେଇଛି। ଗୁରୁବାର ଉଡିନେସେ ବିପକ୍ଷ ମ୍ୟାଚ୍କୁ ୧-୧ ଗୋଲ୍ରେ ଅମୀମାଂସିତ ରଖିବା ପରେ ନାପୋଲିର ବିଜେତା ହେବା ନିଶ୍ଚିତ ହୋଇଯାଇଥିଲା। ଏହା ମଧ୍ୟ ନାପୋଲିର ତୃତୀୟ ସିରି-ଏ ଟ୍ରଫି ହେବ। ଗୁରୁବାର ବିଜେତା ହେବା ନିଶ୍ଚିତ ହୋଇଯିବା ପରେ ନାପୋଲି ଦଳ ତା’ର ଦିବଂଗତ ପୂର୍ବତନ ଅଧିନାୟକ ମାରାଡୋନାଙ୍କୁ ମନେ ପକାଇଥିଲା।