ଅର୍ଜୁନ ପୁରସ୍କାର ପାଇଁ ଅଙ୍କିତା, ଦିଭିଜଙ୍କ ନାମ ସୁପାରିସ

Arjuna Award Ankita

ନୂଆଦିଲ୍ଲୀ: ଚଳିତ ବର୍ଷର ଅର୍ଜୁନ ପୁରସ୍କାର ଲାଗି ଏସୀୟ କ୍ରୀଡ଼ା ପଦକ ବିଜେତା ଅଙ୍କିତା ରାଇନା ଓ ଦିଭିଜ ଶରଣଙ୍କ ନାମ ସର୍ବଭାରତୀୟ ଟେନିସ ସଂଘ (ଏଆଇଟିଏ) ସୁପାରିଶ କରିଛି। ୨୭ ବର୍ଷୀୟା ଅଙ୍କିତା ୨୦୧୮ ଏସୀୟ କ୍ରୀଡ଼ାରେ ମହିଳା ଏକକ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଭାରତ ଫେଡ୍‌ କପ୍‌ ବିଶ୍ବ ଗ୍ରୁପ୍‌ ପ୍ଲେ-ଅଫ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ସେହିପରି ଦିଲ୍ଲୀ ତାରକା ଶରଣ ପୁରୁଷ ଯୁଗଳରେ ରୋହନ ବୋପାନ୍ନାଙ୍କ ସହ ମିଶି ଜାକର୍ତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୯ରେ ସେ ବୋପାନ୍ନାଙ୍କୁ ପଛରେ ପକାଇ ଭାରତର ଶୀର୍ଷ ମାନ୍ୟତା ଖେଳାଳି ହୋଇଥିଲେ। ୩୪ ବର୍ଷୀୟ ଶରଣ ୨୦୧୯ରେ ଦୁଇଟି ଏଟିପି ମୁକୁଟ କରାୟତ୍ତ କରିଥିଲେ।

ବୋପାନ୍ନାଙ୍କ ସହ ପୁନେରେ ଅନୁଷ୍ଠିତ ଟାଟା ଓପନ୍‌ ଏବଂ ‌ଇଗୋର ଜେଲେନାଙ୍କ ସହ ସେଣ୍ଟ୍‌ ପିଟର୍ସବର୍ଗରେ ଏହି ଦୁଇ ମୁକୁଟ ଜିତିଥିଲେ। ଏହି ଦୁଇ ଜଣ ଚଳିତ ବର୍ଷ ଲାଗି ଅର୍ଜୁନ ପୁରସ୍କାର ପାଇଁ ଯୋଗ୍ୟ। ଏଥିପାଇଁ ଆମେ ଏମାନଙ୍କ ନାମ ସମ୍ମାନ ଜନକ ପୁରସ୍କାର ଲାଗି ଚୟନ କରିଛୁ ବୋଲି ଏଆଇଟିଏ ମହାସଚିବ ହିରନ୍ମୟ ଚାଟାର୍ଜୀ ପ୍ରକାଶ କରିଛନ୍ତି। ପୂର୍ବତନ ଡେଭିସ୍‌ କପ୍‌ ପ୍ରଶିକ୍ଷକ ନନ୍ଦନ ବାଲ୍‌ଙ୍କ ନାମ ଜୀବନବ୍ୟାପୀ ସେବା ପାଇଁ ପ୍ରଦାନ କରାଯାଉଥିବା ଦ୍ରୋଣାଚାର୍ଯ୍ୟ କିମ୍ବା ଧ୍ୟାନ୍‌ ଚାନ୍ଦ ପୁରସ୍କାର ଲାଗି ସୁପାରିଶ କରିବ ବୋଲି ଏଆଇଟିଏ ଆଲୋଚନା କରୁଛି। ହେଲେ ଏ ପର୍ଯ୍ୟନ୍ତ ସଂଘ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନି। ୬୦ ବର୍ଷୀୟ ନନ୍ଦନ ୧୯୮୦-୮୩ ଡେଭିସ୍‌ କପ୍‌ ଖେଳିଥିଲେ। ଡେଭିସ୍‌ କପ୍‌ରେ ସେ ବହୁଦିନ‌ ଧରି ପ୍ରଶିକ୍ଷକ ଥିଲେ। ‌ଟେନିସ ଖେଳାଳି ଭାବେ ପୂର୍ବରୁ ଧ୍ୟାନ ଚ୍ୟାନ୍ଦ ପୁରସ୍କାର ୩ ଜଣ ଜୀସାନ ଅଲ୍ଲୀ (୨୦୧୪), ଏସ୍‌ପି ମିଶ୍ର (୨୦୧୫) ଓ ନୀତୀନ କିର୍ତ୍ତନେ (୨୦୧୯) ପାଇଛନ୍ତି।

ସମ୍ବନ୍ଧିତ ଖବର