ଅଲିମ୍ପିକ୍ସ ଘୁଞ୍ଚିଲେ ବି ଆମର ପ୍ରୟାସ ଜାରି ରହିବ: ମନ୍‌ପ୍ରୀତ

ସଙ୍ଗରୋଧରେ ଇଂଲିସ ଜ୍ଞାନ ବଢ଼ାଉଛନ୍ତି ଖେଳାଳି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ଓ ଟୋକିଓ ୨୦୨୦ ଆୟୋଜକ ସମିତି ମିଳିତ ଭାବେ ମଙ୍ଗଳବାର ମହାମାରୀ କରୋନା ପାଇଁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦେଇଥିଲେ। ଏହି ଖବର ଶୁଣିବା ପରେ ନିରାଶ ହୋଇଥିବା ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳର ଅଧିନାୟକ ନିଜର ମତ ରଖିଛନ୍ତି। ଅଲିମ୍ପିକ୍ସ ଘୁଞ୍ଚିଲେ ବି ଲକ୍ଷ୍ୟ ହାସଲ ଲଗି ଆମର ପ୍ରାୟସ ଜ‌ାରି ରହିବ ବୋଲି କହିଛନ୍ତି ଉଭୟ ଦଳର ଅଧିନାୟକ।

ସଂଧ୍ୟା ବେଳର ଅଭ୍ୟାସ ‌କରି ଫେରିବା ପରେ ପରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଅଲିମ୍ପିକ୍ସ ଘୁଞ୍ଚିବା ନେଇ ଆମକୁ ଅବଗତ କରାଇଥିଲେ। ଏଭଳି ଖବର ଶୁଣିବା ପରେ ଆମ ମୁଣ୍ଡରେ ପସିଥିଲା ମହାମାରୀ କରୋନାର ପ୍ରଭାବ କେତେ ବ୍ୟାପକ ହୋଇଯାଇଛି। କାରଣ ଆମର ଅଭ୍ୟାସ ଏତେ କଠିନ ଥିଲା ଯେ ଏହାର କୌଣସି ପ୍ରଭାବ ଅନୁଭବ କରି ପାରୁନଥିଲୁ ବୋଲି ପୁରୁଷ ଦଳର ଅଧିନାୟକ ମନ୍‌ପ୍ରୀତ କହିଛନ୍ତି। ନିଶ୍ଚିତ ଏହି ଖବର ଅମକୁ ନିରାଶ କରିଥିଲା। ‌ଜୁଲାଇ ୨୫ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଲାଗି ଆମେ ପ୍ରସ୍ତୁତ ହୋଇ ରହିଥିଲୁ କିନ୍ତୁ ଏବେ ଏହାକୁ ସକାରାତ୍ମକ ଭାବେ ନେବାକୁ ପଡ଼ିବ। ଗତ ୧୦ ମାସ ହେଲା ପ୍ରଶିକ୍ଷକଙ୍କ ତତ୍ବାବଧାନ‌ରେ ଆମର ଅଭ୍ୟାସ ଜୋରଦାର ଥିଲା। ଏହି ଧାରା ଆଗାମୀ ବର୍ଷେ ପର୍ଯ୍ୟନ୍ତ ଜାରି ରହିବ। ଏହି ଖବର ଆମର ମନୋବଳକୁ ଗୌଣ କରିପାରିବନି। ଗୋଟିଏ ଦଳ ଭାରତର ହୃତ ଗୌରବ ଫେରାଇ ଆଣିବା ଲକ୍ଷ୍ୟ ହାସଲ ନେଇ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମନ୍‌ପ୍ରୀତ କହିଛନ୍ତି। ଏଥିସହ ସେ ସମସ୍ତ ହକିପ୍ରେମୀଙ୍କୁ ନିବେଦନ କରିଥିଲେ ଯେ ଏଭଳି ବିପଦ ସମୟରେ କରୋନାକୁ ମୁକାବିଲା ଲାଗି ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରହନ୍ତୁ।

ସେହିପରି ମଙ୍ଗଳବାର ସଂଧ୍ୟ‌ାରେ ଅଲିମ୍ପିକ୍ସ ସ୍ଥଗିତ ଖବର ପାଇଲା ପରେ ପ୍ରଶିକ୍ଷକ ଜୋଏର୍ଡ ମାରିନଙ୍କ ସହ ଆଲୋଚନା କରିଥିଲୁ। ଟୋକିଓ ଅଲିମ୍ପିକ୍ସ ଲାଗି ଆମ ଦଳ ଭଲ ଲୟରେ ଥିଲା କିନ୍ତୁ ଏହି ଖବର ଅମକୁ ନିଶ୍ଚିତ ନିରାଶ କରିଥିଲା। ଗତ ଦୁଇ ବର୍ଷ ହେଲା ଆମ ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା। ବିଶ୍ବର ପ୍ରତ୍ୟେକ ଦେଶକୁ ହରାଇବାର କ୍ଷମତା ମଧ୍ୟ ରଖିଛୁ। ସ୍ଥଗିତକୁ ଆମେ ସକାରାତ୍ମକରେ ନେଉଛୁ ଏବଂ ଆମର ଲକ୍ଷ୍ୟ ହାସଲ ଲାଗି ପୂର୍ବ ପରି ନିରନ୍ତର ପ୍ରଚେଷ୍ଠା ଜାରି ରହିବ ବୋଲି ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ପ୍ରକାଶ କରିଛନ୍ତି।

ସଙ୍ଗରୋଧରେ ଇଂଲିସ ଜ୍ଞାନ ବଢ଼ାଉଛନ୍ତି ଖେଳାଳି
ବେଙ୍ଗାଲୁରୁ : ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଭାରତୀୟ ହକି ଦଳ (ଉଭୟ ମହିଳା ଓ ପୁରୁଷ) ସଂପ୍ରତି ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ଅଭ୍ୟାସ ଚଲାଇଛନ୍ତି। କରୋନା କଟକଣା ଲାଗି ସେମାନଙ୍କୁ ବାହାରକୁ ଛଡ଼ା ଯାଉନି କି ବାହାର ଲୋକଙ୍କୁ ଭେଟିବାର ସୁଯୋଗ ମିଳୁନି। ଫଳରେ ଖେଳାଳିମାନେ ଏକ ପ୍ରକାର ସଂଗରୋଧରେ ରହିଛନ୍ତି। ଏହି ସମୟରେ ଅଭ୍ୟାସ ସରିବା ପରେ ମିଳୁଥିବା ଅବସର ବେଳେ ଇଂଲିସ ଜ୍ଞାନ ବଢ଼ାଇବା‌ ସହ ବହି ପଢ଼ିବା ଏବଂ ନିଜ ନିଜ ପସନ୍ଦର ସିନେମା ଦେଖି ସମୟ କାଟୁଛନ୍ତି ଖେଳାଳିମାନେ।

ଅମ ରୁଟିନ ଯେପରି ରହିଛି ସେପରି ଚାଲିଛି। କିନ୍ତୁ ରବିବାର ଓ ବୁଧବାର ସଂଧ୍ୟାରେ ଆମକୁ ଅବସର ସମୟ ମିଳୁଛି। ଏହି ସମୟରେ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେଉଛୁ। ମୋତେ ମିଳିଥିବା ଅବସର ସମୟରେ ମୁଁ ହେଲନ୍‌ କିଲରଙ୍କ ଆତ୍ମଜୀବନୀ ‘ଡା ଭିନ୍‌ସି କୋଡ୍‌’ ବହି ପଢ଼ୁଛି। ଏଥିସହ ଇଚ୍ଛା ଅନୁସାରେ ବହି ପଢ଼ିବାକୁ ସମୟ ମିଳିଯାଉଛି ବୋଲି ଭାରତୀୟ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ କହିଛନ୍ତି। ମୋ ବାପାଙ୍କ ବୟସ ୬୦ରୁ ଅଧିକ ହୋଇଥିଲା ବେଳେ ଛୁଆର ବୟସ ୭। ଏଥିପାଇଁ ସେମାନଙ୍କୁ ଘରୁ ମୋଟେ ନବାହାରିବା ଲାଗି କହିଛି ବୋଲି ଶ୍ରୀଜେସ ପ୍ରକାଶ କରିଛନ୍ତି।

ଦଳର ସହ ପ୍ରଶିକ୍ଷକ କ୍ରିସ୍‌ ସିରିଏଲୋଙ୍କ ପତ୍ନୀ ସପ୍ତାହର ଗୋଟିଏ ଦିନ ଆମର ଇଂଲିସ କ୍ଲାସ ନେଉଛନ୍ତି। ଆମେ ସେହି ଅନୁସାରେ ଭଲ ଇଂଲିସ ବହି ପଢ଼ୁଛୁ। ମୁଁ ଅଲିମ୍ପିକ୍ସ ଉପରେ ଏକ ବହି ପଢ଼ିବା ଆରମ୍ଭ କରିଛି ବୋଲି ମନଦୀପ ସିଂହ କହିଛନ୍ତି।

କ୍ୟାମ୍ପସ୍‌ ସଫା ସୁତୁରା ରହିଛି ଏବଂ ଆମେ ଏଠାରେ ସୁରକ୍ଷିତ ରହିଛୁ। ବାହାରକୁ ଯିବା ପାଇଁ ଚାହୁଁନୁ। ଆମ ଖେଳର ପ୍ରଦର୍ଶନ ‌ଉପ‌ରେ ନିଜ ନିଜ ଭିତରେ ଆଲୋଚନା କରୁଛୁ। ଅମ ଭିତରେ ଭଲ ବନ୍ଧୁତା ଥିବାରୁ ଏକୁଟିଆ ଲାଗୁନି। ଆମେ ଜାଣିଛୁ ଏହି ସମୟ କେତେ କଠିନ। ଏହି ଲଢ଼େଇ ସମୟରେ ଯେଉଁମାନେ ଦେଶ ପାଇଁ କାମ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଉଛି ବୋଲି ମହିଳା ଦଳର ଗୋଲ୍‌ରକ୍ଷକ ସବିତା କହିଛନ୍ତି।

ଆମେ ଏଠାରେ ଦୂରତା ରକ୍ଷା କରିବା ସହ ବାରମ୍ବାର ହତ ଧୋଉଛୁ ଓ ପ୍ରକ୍ଷାଳକ କରୁଛୁ। ବ୍ୟାୟ‌ାମ କରିବା ପୂର୍ବରୁ ପ୍ରକ୍ଷାଳକ କରି ଯାଉଛୁ। ଅବସର ସମୟରେ ଆମେ ପ୍ରାୟତଃ କିଣାକିଣି ଓ ସିନେମା ଦେଖିବାକୁ ଯାଇଥାଉ। ଏବେ ସଂଗରୋଧରେ ଥିବାରୁ ଏଠାରେ ସିନେମା ଦେଖୁଛୁ। ଘର ଭିତରେ ମୁଁ ପାନିପତ, ପ୍ୟାର କା ପଞ୍ଚନାମା ଓ ୱାର୍‌ ସିନେମା ଦେଖିସାରିଲେଣି ବୋଲି ନବନୀତ କୌର କହିଛନ୍ତି।

ସମ୍ବନ୍ଧିତ ଖବର