ଆଇପିଏଲ୍ ମହାସଂଗ୍ରାମ : ଆଜି ରାଜସ୍ଥାନ-ଦିଲ୍ଲୀ ମୁହାଁମୁହିଁ, ପନ୍ତ୍‌ଙ୍କୁ ଟକ୍କର ଦେବେ ସଞ୍ଜୁ

ମୁମ୍ବାଇ : ଆଇପିଏଲ୍‌ର ସପ୍ତମ ଦିବସରେ ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ। ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃତ୍ବ ନେଉଛନ୍ତି। ଉଭୟେ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି।

ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ ଚମତ୍କାର ଶତକ ଜମାଇବା ସତ୍ତ୍ବେ ତାଙ୍କ ରାଜସ୍ଥାନ ରୟାଲ୍‌ସ ଦଳ ମାତ୍ର ୪ ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ହାରି ଯାଇଥିଲା। ଅନ୍ୟପକ୍ଷରେ ଋଷଭ ପନ୍ତ୍‌ଙ୍କ ନେତୃତ୍ବରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌କୁ ଅତି ସହଜରେ ଜିତି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିଛି। ଏହି ଦଳ ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୭ ୱିକେଟ୍‌ରେ ପରାସ୍ତ କରି ମନୋବଳ ଦୃଢ଼ କରିଛି। ସେହି ଦୃଷ୍ଟିରୁ ଗୁରୁବାର ଦ୍ବିତୀୟ ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ମଧ୍ୟ ରାଜ୍‌ କରିବାର ଲକ୍ଷ୍ୟ ରଖିଛି ଦିଲ୍ଲୀ। ବିଜୟଧାରାକୁ ଲମ୍ବାଇବା ପାଇଁ ପନ୍ତ୍‌ ମଧ୍ୟ କୌଣସିମତେ ସୁଯୋଗ ହାତଛଡ଼ା କରିବେନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ହେଲେ ‌ପନ୍ତ୍‌ଙ୍କୁ କଡ଼ା ଟକ୍କର ଦେବା ପାଇଁ ସାମ୍‌ସନ୍‌ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ଦିଲ୍ଲୀକୁ ପରାସ୍ତ କରି ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିବାକୁ ‌ସାମ୍‌ସନ୍‌ ପ୍ରୟାସ କରିବେ। ଦୁଇ ଯୁବ ୱିକେଟ୍‌ରକ୍ଷକ/ଅଧିନାୟକଙ୍କ ମଧ୍ୟରେ ମୁକାବିଲା ରେମାଞ୍ଚକ ହେବ ବୋଲି ଦର୍ଶକମାନେ ଆଶା ରଖିଛନ୍ତି। ଉଭୟ ଦଳରେ ଏକାଧିକ ଅଲ୍‌ରାଉଣ୍ଡର ରହିଥିବାରୁ ଏବଂ ବିସ୍ଫୋରକ ବ୍ୟାଟିଂର କ୍ଷମତା ଲମ୍ବା ରହିଥିବାରୁ ଗୁରୁବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ମଧ୍ୟ ବଡ଼ ସ୍କୋର୍‌ ବିଶିଷ୍ଟ ‌ହେବ ବୋଲି ଆଶା କରାଯାଉଛି। ପୁଣି ଦୁଇ ନୂଆ ଅଧିନାୟକଙ୍କ ପ୍ରଦର୍ଶନକୁ ମଧ୍ୟ ଦର୍ଶକମାନେ ଦେଖିବାକୁ ଚାହିଁବସିଛନ୍ତି।

ଅବଶ୍ୟ ଏହି ମ୍ୟାଚ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବେନ୍‌ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଶକ୍ତ ଝଟ୍‌କା ଲାଗିଛି। ଆହତ ଯୋଗୁଁ ଏହି ଲଂଲିସ୍‌ ଅଲ୍‌ରାଉଣ୍ଡର୍‌ ପୂରା ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ତେଣୁ ଦଳରେ ଥିବା ଅନ୍ୟତମ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜୋସ୍ ବଟଲର୍‌ ଏବଂ ନିଜେ ଅଧିନାୟକ ସଂଜୁ ସାମସନ୍‌ଙ୍କୁ ସ୍କୋର୍‌ ବଢ଼ାଇବାର ଦାୟିତ୍ବ ମୁଣ୍ଡାଇବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ରେ ସାମ୍‌ସନ୍‌ ଏକାକି ୧୧୯ ରନ୍‌ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇବା ସତ୍ତ୍ବେ ଶେଷ ବଲ୍‌ରେ ଆଉଟ୍‌ ହୋଇଯିବାରୁ ରାଜସ୍ଥାନ ବିଜୟରୁ ବଞ୍ଚିତ ହୋଇଥିଲା। ଯୁବ ଦ୍ରୁତ ବୋଲର ଚେତନ ସାକାରିୟା ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରି ସମସ୍ତଙ୍କ ମନ କିଣି ନେଇଥିଲେ। ସେ ଗୁରୁବାରର ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ସେହି ସଫଳତା ବଜାୟ ରଖିପାରିଲେ ରାଜସ୍ଥାନ ଫାଇଦାରେ ରହିପା‌ରିବ। ପୁଣି ଇଂଲିସ୍‌ ଦ୍ରୁତ ବୋଲର ଜୋଫ୍ରା‌ ଆର୍ଚର ଆହତରୁ ମୁକୁଳି ସାରିଥିବା‌ରୁ ସେ ମଧ୍ୟ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ଖେଳିବା ନିଶ୍ଚିତ। ସେହିପରି ରୟାଲ୍ସ ନିକଟରେ ମଧ୍ୟ ଅନ୍ୟ ବହୁ ବିକଳ୍ପ ଭାବେ ଶିଭମ ଦୁବେ, ଶ୍ରେୟସ‌ ଗୋପାଳ, ରାହୁଲ ତିୱାତିଆ, ରୢାନ ପରାଗ, କ୍ରିସ୍‌ ମୋରିସ୍‌ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ଙ୍କ ଭଳି ଅଲରାଉଣ୍ଡର୍‌ ରହିଛନ୍ତି। ଗୋପାଳ, ତିୱାତିଆ ଓ ପରାଗ ଲେଗସ୍ପିନ୍‌ ବୋଲିଂ କରୁଥିବାରୁ ରୟାଲ୍ସ ଦୁଇ ଜଣିଆ ଲେଗିଙ୍କୁ ନେଇ ପଡିଆକୁ ଓହ୍ଲାଇବ। ବଡ଼ ସଟ୍‌ ଖେଳିବା କ୍ଷମତା ରଖିଥିବାରୁ ଦୁବେ ଓ ତିୱାତିଆ ପ୍ରଥମ ମ୍ୟାଚ୍‌ ଭଳି ଗୁରୁବାର ଚୂଡାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ ଲାଗୁଛି। ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର୍‌ କ୍ରିସ ମୋରିସ୍‌ଙ୍କୁ ତାଙ୍କ ୧୬.୨୫ କୋଟି ନିଲାମି ମୂଲ୍ୟର ଦମ୍‌ ଦେଖାଇବାକୁ ପଡିବ। ରାଜସ୍ଥାନ ନିକଟରେ ବାମହାତୀ ପେସର୍‌ ମୁସ୍ତାଫିଜୁର ରହମାନ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ ମଧ୍ୟ ବିକଳ୍ପ ଭାବେ ରହିଛନ୍ତି। ତଥାପି ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିବାକୁ ହେଲେ ରାଜସ୍ଥାନକୁ ତା’ର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବାକୁ ପଡ଼ିବ। ଯାହା ଦଳ ପାଇଁ ଚିନ୍ତାର କାରଣ ରହିଛି।

ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ଏହାର ନୂଆ ଅଧିନାୟକ ଋଷବ ପନ୍ତଙ୍କ ଉପରେ ଭରସା ରଖିବ। ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ଚକ୍‌ମା ଦେଇଥିବାରୁ ଦିଲ୍ଲୀ ଏଥର ନିଜ ଅଧୁରା ସ୍ବପ୍ନକୁ ସାକାର କରିବା ଲାଗି ଠିକଣା ପଥରେ ରହିବାକୁ ଚେଷ୍ଟା କରିବ। ଗତବର୍ଷର ଦ୍ବିତୀୟ ଅଗ୍ରଣୀ‌ ସ୍କୋରର୍‌ (୬୧୮ ରନ୍) ଶିଖର ଧାୱନ ଏବଂ ବିଜୟ ହଜାରେ ଟ୍ରଫିରେ ୮୨୭ ରନ୍‌ କରିଥିବା ପୃଥ୍ବୀ ସ’ଙ୍କ ପ୍ରାରମ୍ଭିକ ଯୋଡ଼ି ପ୍ରଥମ ମ୍ୟାଚ୍‌ରେ ଦଳକୁ ଦୃଢ଼ ମୁଳଦୂଆ ଦେଇଥିଲେ। ଧାୱନ୍‌ (୮୫) ଓ ପୃଥ୍ବୀ (୭୨) ନିଜ ନିଜର ଅର୍ଦ୍ଧଶତକୀୟ ପାଳି ଖେଳି ଦିଲ୍ଲୀ ବିଜୟର କର୍ଣ୍ଣଧାର ସାଜିଥିଲେ। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଏବଂ ୱେଷ୍ଟଇଣ୍ଡିଆନ୍‌ ସିମ୍ରନ୍‌ ହେଟ୍‌ମେୟରଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ରନ୍‌ର ସମ୍ଭାବନା ମଧ୍ୟ ରହିଛି। ଅଜିଙ୍କ୍ୟ ରାହାଣେ, ଷ୍ଟି‌ଭେନ୍‌ ସ୍ମିଥ୍ ମଧ୍ୟ ଦିଲ୍ଲୀର ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିପାରିବେ। ସାମ୍ ବିଲିଙ୍ଗ୍ସ ମଧ୍ୟ ବିଦେଶୀ ଖେଳାଳି ଭାବେ ପ୍ରଭାବୀ ହୋଇପାାରିବେ। ପେସ୍ ବୋଲିଂରେ ଦୁଇ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା ଓ ଅନ୍‌ରିକ୍‌ ନର୍ଖିୟା ଗୁରୁବାର ମ୍ୟାଚ୍‌ରେ ଉପଲବ୍ଧ ହେବେନାହିଁ। ଉଭୟଙ୍କ କରୋନା ରିପୋର୍ଟ ମିଳିବା ବିଳମ୍ବିତ ହୋଉଥିବାରୁ ଉଭୟେ ହୋ‌ଟେଲରେ ସଂଗରୋଧରେ ରହିଛନ୍ତି। ଫଳରେ ଚୂଡାନ୍ତ ଏକାଦଶରେ ଇଂଲିସ୍‌ ବୋଲର ଟମ୍‌ କରନ୍‌ଙ୍କ ଖେଳିବା ନିଶ୍ଚିତ ଜଣାପଡୁଛି। ଈଶାନ୍ତ ଶର୍ମା, ଉମେଶ ଯାଦବ, କ୍ରିସ୍‌ ୱକ୍ସ ମଧ୍ୟରହିଛନ୍ତି। ଅବଶ୍ୟ ଅନ୍‌ରିକ୍‌ ନର୍ଖିୟାଙ୍କ କରୋନା ପଜିଟିଭ୍‌ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଉଭୟ ରବାଦା ଓ ନର୍ଖିୟା ଗତ ସଂସ୍କରଣରେ ଦଳକୁ ଫାଇନାଲ୍‌ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ। କରୋନା ସଂକ୍ରମିତ ସ୍ପିନର ଅକ୍ଷର ପଟେଲଙ୍କ ପ୍ରତ୍ୟାବର୍ତନ ସମ୍ଭାବନା ମଧ୍ୟ କମ୍‌ ରହିଛି। ସେହିପରି ରବିଚନ୍ଦ୍ରନ ଅଶ୍ବିନ ଓ ଅମିତ ମିଶ୍ରା ଦଳର ସ୍ପିନ୍‌ ବିକଳ୍ପ ରହିଛନ୍ତି।

ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟଲର୍‌, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌, କୁଲଦୀଦ ଯାଦବ, ଆକାଶ ସିଂହ।

ଦିଲ୍ଲୀ କ୍ୟାପିଟାଲ୍‌ସ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍‌ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍‌, ମାର୍କସ ଷ୍ଟୋଇନିସ୍, କ୍ରିସ୍‌ ୱକ୍ସ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍‌ ଖାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଉମେଶ ଯାଦବ, ରିପଲ୍‌ ପଟେଲ୍‌, ବିଷ୍ଣୁ ବିନୋଦ, ଲୁକମାନ୍‌ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍‌, ସାମ୍‌ ବିଲିଙ୍ଗ୍ସ।

ସମ୍ବନ୍ଧିତ ଖବର