ଆଇପିଏଲ : କୋଲକାତାକୁ ୭ ରନରେ ପରାସ୍ତ କଲା ପଞ୍ଜାବ

ମୋହାଲି : ମୋହାଲିଠାରେ ଶନିବାରଦିନ ଆଇପିଏଲ ୨୦୨୩ର ୨ୟ ମ୍ୟାଚ କୋଲକାତା ନାଇଟ ରାଇଡର୍ସକୁ ୭ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ କୋଲକାତା ଆଗରେ ୧୯୨ରନର ବିଜୟ ଲକ୍ଷ୍ଯ ରଖାଯାଇଥିବାବେଳେ କୋଲକାତା ୧୬ ଓଭରରେ ୭ ଓ୍ବିକେଟ ହରାଇ ୧୪୬ ରନ କରିଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ପରେ ଡିଏଲ ମେଥଡ୍ ଅନୁସାରେ ପଞ୍ଜାବକୁ ୭ ରନରେ ବିଜୟୀ ଘୋଷଣା କରାଯାଇଥିଲା ।

କୋଲକାତା ପକ୍ଷରୁ ଭେଙ୍କଟେଶ ଆୟର ୩୪ ରନ କରିଥିବାବେଳେ ନିତିଶ ରାଣା ୨୪ ରନ କରିଥିଲେ । ସେହିପରି ଓପନର ରେହମାନୁଲ୍ଲା ଗୁରବାଜ ୨୨ ରନ କରିଥିଲେ ।

ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ପ୍ରଭସିମରନ ସିଂ ଓ ଶିଖର ଧଓ୍ବନ ଲଢୁଆ ବ୍ୟାଟିଂ କରିବା ସହ ଦଳକୁ ଭଲ ଆରମ୍ଭ ଦେଇଥିଲେ । ସିଂ ୨୩ ରନ କରିଥିବାବେଳେ ଧଓ୍ବନ ୪୦ ରନ କରିଥିଲେ । କିନ୍ତୁ ଭାନୁକା ରାଜପକ୍ଷେ ସର୍ବାଧିକ ୫୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୧ରନ ଓ ସିକନ୍ଦର ରାଜା ୧୬ରନ ଓ ସାମ କୁରାନ ୨୬ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୯୧ରନ ଛୁଇଁପାରିଥିଲା । କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଆଇପିଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ଓ୍ବିକେଟରେ ହରାଇଥିଲା ଗୁଜରାଟ ଟାଇଟନ୍ସ ।

 

ସମ୍ବନ୍ଧିତ ଖବର