ଆଇପିଏଲ ପ୍ରଥମ କ୍ବାଲିଫାୟର : ଗୁଜୁରାଟ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ  ୧୮୮ ରନ କରିଥିଲା । ଦଳ ପକ୍ଷରୁ ପୁଣି ଜସ ବଟଲରଙ୍କ ବ୍ୟାଟ ଚମକିଥିଲା । ସେ ମାତ୍ର ୫୬ ବଲ ଖେଳି ୮୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଅଧିନାୟକ ସଂଜୁ ସାମସନ ୪୭ ରନ କରିଥିଲେ । ସେହିପରି ଦେବୀଦତ୍ତ ପଡ଼ିକଲ୍ଲ ୨୮ ରନ କରିଥିଲେ । ତେବେ ସିମରନ ହେଟମେୟର ଓ ରିୟାନ ପରାଗ ମାତ୍ର ୪ ରନ ଲେଖାଏଁ କରିଥିଲେ । ଗୁଜୁରାଟ ପକ୍ଷରୁ ମହମ୍ମଦ ସମି, ସାଇ କିଶୋର, ହାର୍ଦିକ ପାଣ୍ଡ୍ୟା ଓ ୟଶ ଦୟାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଏଲିମିନେଟର ମ୍ୟାଚରେ ବାଙ୍ଗାଲୋରକୁ ଭେଟିବ ଲକ୍ଷ୍ନୌ । ଏହି ମ୍ୟାଚ ମଧ୍ୟ କୋଲକାତାରେ ଖେଳାଯିବ । ଆସନ୍ତା ୨୭ ତାରିଖ ଦିନ ୨ୟ କ୍ବାଲିଫାୟର ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

ସମ୍ବନ୍ଧିତ ଖବର