ଆଇପିଏଲ : ରାଜସ୍ଥାନ ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଦଳର ମୁଖ୍ୟ ବ୍ୟାଟ୍ୟମ୍ୟାନ ବିରାଟ କୋହଲି ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଫାଫ ଡୁପ୍ଲେସିସ ଓ ରଜତ ପଟିଦାର ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ୭୦ ରନର ପାର୍ଟନରସିପ ଥିଲା । ଗତ ମ୍ୟାଚରେ ଶତକ ଅର୍ଜନ କରିଥିବା ପଟିଦାର ଏହି ମ୍ୟାଚରେ ୫୮ ରନ କରିଥିଲେ । ଡୁପ୍ଲେସିସ ୨୫ ରନ କରିଥିବାବେଳେ ମାକ୍ସଓ୍ବେଲ ୨୪ ରନ କରିଥିଲେ । ତେବେ ପଟିଦାର ଆଉଟ ହେବା ପରେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିଲେ । ଫଳରେ ଦଳୀୟ ରନଗତି ଧୀମେଇ ଯାଇଥିଲା ଓ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ ରନ କରିଥିଲା ।

ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମାକଏ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚର ବିଜେତା ଆସନ୍ତା ରବିବାରଦିନ ହେବାକୁ ଥିବା ଫାଇନାଲରେ ଗୁଜୁରାଟ କୁ ଭେଟିବ ।

ସମ୍ବନ୍ଧିତ ଖବର