ଆଉ ୧୭ ଦିନ: ପନ୍ତ ଥିଲେ ଭଲ ହୋଇଥାଆନ୍ତା

ଭୁବନେଶ୍ବର:  ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ତାରକା ଋଷବ ପନ୍ତ ଚଳିତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।  ୧୬ ମ୍ୟାଚ୍‌ରୁ ୧୬୨.୬୬ ଷ୍ଟ୍ରାଇକ୍ ରେଟ୍‌ରେ ସେ ୪୮୮ ରନ୍ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଆଇପିଏଲ୍-୧୨ର ଶ୍ରେଷ୍ଠ ୧୦ ରନ୍ ସଂଗ୍ରହକାରୀ ମଧ୍ୟରେ ରହିଥିବା ପନ୍ତ ୩ ଅର୍ଧଶତକ ହାସଲ କରିଥିଲା ବେଳେ ୩୭ ଚୌକା ଓ ୨୭ ଛକା ମାରିଛନ୍ତି। ତା’ ସହ ତାଙ୍କୁ ଲଣ୍ଡନ ବିଶ୍ବକପ୍ ପାଇଁ ଘୋ‌ଷିତ ଭାରତୀୟ ଦଳରେ ସ୍ଥାନ ଦେବାକୁ ଦାବି ଜୋର ଧରିଛି। ବିଶ୍ବକପ୍ ଲାଗି ଭାରତ ୧୫ ଜଣିଆ ଦଳ ଘୋଷଣା କରି ସାରିଛି। ‌ଏବେବି କିନ୍ତୁ ସେହି ଦଳରେ ଅଦଳ ବଦଳ କରିବାର ସମୟ ଅଛି। କାରଣ ଈଶାନ୍ତ ଶର୍ମାଙ୍କ ସହ ପନ୍ତ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ଷ୍ଟାଣ୍ଡବାଏ ରହିଛନ୍ତି। ପନ୍ତଙ୍କ ବିଶ୍ବକପ୍ ଦାବିଦାରିକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ତାରକାଙ୍କ ସହ ଘରୋଇ କ୍ରିକେଟରଙ୍କ ମତକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା।

ଅଭିଜ୍ଞତାରେ କାର୍ତିକ ଆଗୁଆ 

ପନ୍ତ ବିସ୍ଫୋରକ ବ୍ୟାଟିଂ ସହ ୱିକେଟ୍ ରକ୍ଷଣ ମଧ୍ୟ କରନ୍ତି। ହେଲେ ସମ୍ଭବତଃ ଏହି ୱି‌କେଟ୍ ରକ୍ଷଣ କଳା ହିଁ ତାଙ୍କ ବିଶ୍ବକପ୍ ଖେଳିବାରେ ମୁଖ୍ୟ ପ୍ରତିବନ୍ଧକ ସାବ୍ୟସ୍ତ ହୋଇଛି। ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନି ଭାରତୀୟ ବିଶ୍ବକପ୍ ଦଳରେ ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଭାବେ ସ୍ଥାନ ପାଇଛନ୍ତି। ସଂରକ୍ଷିତ ୱିକେଟ୍ ରକ୍ଷକ ପଦ ଦୀନେଶ କାର୍ତିକଙ୍କୁ ଯାଇଛି। ପନ୍ତ ସୁଯୋଗ ପାଇଲେ ଦଳରେ ୱିକେଟ୍ ରକ୍ଷକ ସଂଖ୍ୟା ୩ରେ ପହଞ୍ଚିବ। ଯାହା ଚୟନକର୍ତାଙ୍କୁ ଦ୍ବନ୍ଦ୍ବରେ ପକାଇଛି। ପନ୍ତଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ନେଇ ବି ପ୍ରଶ୍ନ ରହିଛି।  ସେହିଭଳି ଚୟନକର୍ତା ତାଙ୍କୁ  ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେବା ନେଇ ପଛଘୁଞ୍ଚା ଦେଉଛନ୍ତି। ତାଙ୍କୁ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେଲେ କିନ୍ତୁ ଭାରତ ଲାଭବାନ ହେବ ବୋଲି କ୍ରିକେଟ୍ ପଣ୍ଡିତମାନେ ମତ ଦିଅନ୍ତି। ଧୋନିଙ୍କ ବାଦ୍ ଯଦି ଦୀନେଶ କାର୍ତିକ ଏବଂ ପନ୍ତଙ୍କ ମଧ୍ୟରେ ତୁଳନା କରାଯାଏ, ତାହାଲେ କାର୍ତିକ ଅଭିଜ୍ଞତାରେ ଆଗୁଆ ରହିବେ। ୨୦୦୪ରେ ଖେଳ ଜୀବନ ଆରମ୍ଭ କରିଥିବା କାର୍ତିକ ୨୬ ଟେଷ୍ଟ ଖେଳି ୨୫ ହାରରେ ୧୦୨୫ ରନ୍ କରିଛନ୍ତି। ସେ ୪୦ କ୍ୟାଚ୍ ନେଇଥିଲା ବେଳେ ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପିଂ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ କାର୍ତିକ ୯୧ ମ୍ୟାଚ୍ ଖେଳି ୩୧.୦୩ ହାରରେ ୧୭୩୮ ରନ୍ କରିଛନ୍ତି। ସେହିଭଳି ୩୨‌ ଟ୍ବେଣ୍ଟି-୨୦ରେ ତାଙ୍କ ରନ୍ ସଂଗ୍ରହ ହାର ହେଉଛି ୩୩.୨୫। ଦିନିକିଆରେ ୭ ଷ୍ଟମ୍ପିଂ ଓ ୬୧ କ୍ୟାଚ୍ ନେଇଛନ୍ତି। ଟ୍ବେଣ୍ଟି-୨୦ରେ ସେ ୧୫ କ୍ୟାଚ୍ ନେଇଥିଲା ବେଳେ ୫ ଷ୍ଟମ୍ପିଂ କରିଛନ୍ତି।  ଅନ୍ୟପକ୍ଷରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ପନ୍ତ ୯ ଟେଷ୍ଟରୁ ୪୯.୭୧ ହାରରେ ୬୯୬ ରନ୍ କରିଛନ୍ତି। ସେ ଦୁଇଟି ଟେଷ୍ଟ ଶତକ ଅର୍ଜନ କରିଛନ୍ତି। ଷ୍ଟମ୍ପ ପଛରେ ପନ୍ତ ୪୨ ଜଣଙ୍କୁ ଆଉଟ୍ କରିଛନ୍ତି। ସେଥିମଧ୍ୟରେ ଦୁଇଟି ଷ୍ଟମ୍ପିଂ ରହିଛି। ସୀମିତ ଓଭର କ୍ରିକେଟ୍‌ରେ ସେ ସେତେଟା ସୁଯୋଗ ପାଇ ନାହାନ୍ତି। ୨୮.୨୫ ହାରରେ ୯୩ ରନ୍ କରିଥିଲା ବେଳେ ୫ କ୍ୟାଚ୍ ନେଇଛନ୍ତି। ୧୫ ଟ୍ବେଣ୍ଟି-୨୦ରେ ସେ ୧୯.୪୧ ହାରରେ ୨୩୩ ରନ୍ କରିଥିଲା ବେଳେ ମାତ୍ର ତିନିଟି କ୍ୟାଚ୍ ନେଇଛନ୍ତି। ଧୋନିଙ୍କ ଭଳି କିନ୍ତୁ ନିଶ୍ଚିତ ଭାବେ କାର୍ତିକଙ୍କ ତୁଳନାରେ ପନ୍ତ ଜଣେ ଭଲ ଫିନିସର। ଯାହା ତାଙ୍କ ଆଇପିଏଲ୍ ପ୍ରଦର୍ଶନରୁ ପ୍ରମାଣିତ ହୋଇଛି।

ଚର୍ଚା ଅମୂଳକ, କାର୍ତିକ ବି କିଛି କମ୍‌ ନୁହନ୍ତି

ପନ୍ତ ଭାରତୀୟ ବିଶ୍ବକପ୍ ଦଳରେ ଥିଲେ ଭଲ ହୋଇଥାଆନ୍ତା। ଏବେ କିନ୍ତୁ ଏହି ଚର୍ଚାର କୌଣସି ଯଥାର୍ଥତା ନାହିଁ। ମୋ ମତରେ ଚୟନକର୍ତା ଯେଉଁ ଦଳ ବାଛିଛନ୍ତି,  ଆମେ ସେମାନଙ୍କୁ ସମର୍ଥନ ଓ ସହଯୋଗ କରିବା ଉଚିତ। ଯଦି ଦୀନେଶ କାର୍ତିକଙ୍କ କଥା ବିଚାରକୁ ନିଆଯାଏ , ତାହାଲେ ଗତ ଦେଢ଼ ବର୍ଷ ହେବ ସେ ଭଲ କରି ଆସୁଛନ୍ତି।  ଅଭିଜ୍ଞତା ପାଇଁ ଚୟନକର୍ତା ତାଙ୍କୁ ଦଳରେ ନେଇଛନ୍ତି। ଏହି ନିଷ୍ପତ୍ତି ପୂରା ଠିକ୍ ବୋଲି ମୁଁ ଭାବୁଛି।  ଏଥର ଭାରତ ପାଖରେ ଭଲ ସୁଯୋଗ ରହିଛି। ତେବେ ସବୁକିଛି ଦଳ କେମିତି  ଆରମ୍ଭ କରୁଛି ତା’ ଉପରେ ନିର୍ଭର କରିବ। ସ୍ପିନ୍, ବ୍ୟାଟିଂ, ବୋଲିଂ ସବୁ କ୍ଷେତ୍ରରେ ଭାରତ ବେଶ୍ ସନ୍ତୁଳିତ। ୪ ନମ୍ବରକୁ ନେଇ ଥିବା ଦ୍ବନ୍ଦ୍ବ ବି  ଅମୂଳକ। ଭାରତ ପାଇଁ ଏହା ଏକ ବଡ଼ ସମସ୍ୟା ହେବ ବୋଲି ମୁଁ ଭାବୁନାହିଁ।

ଶିବ ସୁନ୍ଦର ଦାସ, ପୂର୍ବତନ ଭାରତୀୟ ଟେଷ୍ଟ୍‌ କ୍ରିକେଟର

ପନ୍ତ ଥିଲେ ୱିକେଟ୍ ରକ୍ଷକ ସଂଖ୍ୟା ୫ରେ ପହଞ୍ଚିଥାଆନ୍ତା

ଦଳ ଭଲ ଅଛି। ମୋ ମତରେ ବିଜୟ ଶଙ୍କରଙ୍କ ସ୍ଥାନରେ ଅମ୍ବାତି ରାୟୁଡୁ କିମ୍ବା ଉମେଶ ଯାଦବଙ୍କୁ ନେଇଥିଲେ ଭଲ ହୋଇଥାଆନ୍ତା। ଆପଣ କୁହନ୍ତୁ ଋଷବ ପନ୍ତ କେଉଁ ସ୍ଥାନରେ ଖେଳିବେ। ଧୋନି, କାର୍ତିକ, ‌ରାହୁଲ ଓ ମହାରାଷ୍ଟ୍ର ପକ୍ଷରୁ ଦିନିକିଆରେ ୱିକେଟ୍ ରକ୍ଷଣ କରୁଥିବା କେଦାର ଯାଦବ ଅଛନ୍ତି। ପନ୍ତ ଥିଲେ ୱିକେଟ୍ ରକ୍ଷକ ସଂଖ୍ୟା ୫ରେ ପହଞ୍ଚି ଥାଆନ୍ତା। ଗତ ଶୃଙ୍ଖଳାରେ ପନ୍ତ ବ୍ୟାଟ୍ସମ୍ୟାନ୍ ଭାବେ ସୁଯୋଗ ପାଇଥିଲେ। ସେ ଜଣେ ଦକ୍ଷ କ୍ଷେତ୍ରରକ୍ଷକ ମଧ୍ୟ ନୁହନ୍ତି। କାର୍ତିକଙ୍କର ଅଭିଜ୍ଞତା ବି ରହିଛି।

ପ୍ରଭଞ୍ଜନ ମଲ୍ଲିକ, ପୂର୍ବତନ ଓଡ଼ିଶା ରଣଜୀ ଅଧିନାୟକ

ବ୍ୟାଟ୍ସମ୍ୟାନ୍ ଭାବେ ରହିପାରିଥାଆନ୍ତେ

ଦଳ ଠିକ୍ ଅଛି। ଦଳର ସନ୍ତୁଳନ ଭଲ ଅଛି ବୋଲି ମୁଁ କହିବି। ‌ଗୋଟିଏ କଥା କହିବି ଋଷବ ପନ୍ତ ଦଳରେ ଥିଲେ ଆହୁରି ଭଲ ହୋଇଥାଆନ୍ତା। ପନ୍ତ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ସ୍ଥାନ ପାଇ ପାରିଥାଆନ୍ତେ। ୪ ନମ୍ବରରେ ରାହୁଲ, ଦୀନେଶ କାର୍ତିକ କିମ୍ବା ଆଉ କେହି ବି ୪ ନମ୍ବରରେ ଖେଳି ପାରନ୍ତି। ଇଂଲଣ୍ଡରେ ଗୋଟିଏ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବା ପରେ ଯାଇ ବ୍ୟାଟିଂକ୍ରମ ସ୍ଥିର ହେବ। ମୋ ମତରେ ୪ ନମ୍ବର ସ୍ଥାନରେ କିଏ ଖେଳିବ ସେ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ସେଠାରେ ନିଆଯିବ। ହଁ ନୂଆ ଖେଳାଳି ଭାବେ ପନ୍ତ ସୁଯୋଗର ହକଦାର ଥିଲେ। ସେ ଷ୍ଟାଣ୍ଡବାଏ ଅଛନ୍ତି। ହୁଏତ ବିଶ୍ବକପ୍ ଖେଳି ପାରନ୍ତି।

 ପ୍ରିୟବ୍ରତ ପ୍ରଧାନ, ପୂର୍ବତନ ଓଡ଼ିଶା  ୱିକେଟ୍‌ରକ୍ଷକ

ଦଳ ଚୟନ ଠିକ୍ ହୋଇନାହିଁ

ଭାରତ ଦଳଗତ ଭାବେ ଭଲ କରିବ। ହେଲେ ଖେଳାଳି ଚୟନ ଆଉ ଟିକେ ଭଲ ହୋଇ ପାରିଥାଆନ୍ତା।। କାର୍ତିକଙ୍କଠାରୁ ପନ୍ତ ନିଶ୍ଚିତ ଭାବେ ଭଲ ଖେଳାଳି। ଇଂଲଣ୍ଡରେ ପନ୍ତ ଧୋନିଙ୍କର ଭଲ ବିକଳ୍ପ ହୋଇ ପାରି ଥାଆନ୍ତେ। ସେଠାକାର ପରିବେଶରେ ୪ ନମ୍ବରରେ ଜଣେ ଅଭିଜ୍ଞ ଖେଳାଳି ରହିବା କଥା। ଏହି ସ୍ଥାନ ପାଇଁ ଭାରତୀୟ ଦଳରେ ଥିବା ବିଜୟ ଶଙ୍କର ଇଂଲଣ୍ଡରେ ଭଲ କରିବେ ବୋଲି ମୁଁ ଭାବୁନାହିଁ। ଏହି ନିଷ୍ପତ୍ତି ଠିକ୍ ହୋଇନାହିଁ।  ମୁଁ ଦଳକୁ ନେଇ ଆଦୌ ସନ୍ତୁଷ୍ଟ ନୁହଁ। କ୍ରିକେଟରେ ୩ ଓ ୪ ନମ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେହି ସ୍ଥାନ ପାଇଁ ଅନଭିଜ୍ଞ ଖେଳାଳି ନେଇ ଚୟନକର୍ତା ବହୁତ ରିସ୍କ ନେଇଛନ୍ତି। ତେବେ ଦଳଗତ ଭାବେ ଭାରତ ବହୁ ଆଗକୁ ଯିବ ବୋଲି ମୋର ଆଶା।

ବିଷ୍ଣୁଦେବ ମହାନ୍ତି, ଓଡ଼ିଶା ରଣଜୀ ଦଳର ମୁଖ୍ୟ ଚୟନକର୍ତା

ଏବେବି ସମୟ ଅଛି

ପନ୍ତ ଭାରତର ବିଶ୍ବକପ୍ ଦଳରେ ସ୍ଥାନ ନପାଇବା ‌ମୋତେ ବିସ୍ମିତ କରିଛି। ତେବେ ଏବେବି ସମୟ ଅଛି। ଭାରତ ଚାହିଁଲେ ନିଷ୍ପତ୍ତି ବଦଳାଇ ପାରିବ।

ମାଇକେଲ୍ ଭନ୍, ଇଂଲଣ୍ଡର ପୂର୍ବତନ ଅଧିନାୟକ

ଆଜିର ସେହବାଗ

ଋଷବ ପନ୍ତ ଆଜିକା ପିଢ଼ିର ବୀରେନ୍ଦ୍ର ସେହବାଗ। ତାଙ୍କୁ ଅଲଗା ବ୍ୟବହାର ମିଳିବା ଦରକାର। ପନ୍ତଙ୍କୁ ତାଙ୍କ ସ୍ବାଭାବିକ ଖେଳ ଖେଳିବାକୁ ଦିଆଯାଉ। ଆପଣ ତାଙ୍କୁ ଦଳରେ ନିଅନ୍ତୁ କି ନ ନିଅନ୍ତୁ, କେବେବି ବଦଳିବାକୁ କୁହନ୍ତୁ ନାହିଁ। -ସଞ୍ଜୟ ମଞ୍ଜରେକର, ପୂର୍ବତନ ଭାରତୀୟ କ୍ରିକେଟର

ପନ୍ତଙ୍କୁ ୪ ନମ୍ବରରେ ଖେଳାଇଥାଆନ୍ତି

ମୁଁ ଭାରତୀୟ ଚୟନକର୍ତା ହୋଇଥିଲେ ପନ୍ତଙ୍କୁ ପ୍ରଥମେ ଦଳରେ ରଖି ଥାଆନ୍ତି। ମୁଁ ତାଙ୍କୁ ୪ ନମ୍ବରରେ ଖେଳାଇ ଥାଆନ୍ତି। ସେ ଏମିତି ଜଣେ ଖେଳାଳି, ଯିଏ ଆପଣଙ୍କୁ ବିଶ୍ବକପ୍ ଦେଇ ପାରିବେ। ତାଙ୍କ ପାଖରେ ସେହି ଅତିରିକ୍ତ ପ୍ରତିଭା ରହିଛି। ଆଇପିଏଲ୍‌ରେ ଏକାଧିକ ଥର ସେ ଏହାର ପ୍ରମାଣ ଦେଇସାରିଛନ୍ତି।

ରିକି ପଣ୍ଟିଂ, 

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ

ସମ୍ବନ୍ଧିତ ଖବର