ଆଜ୍‌ଲାନ୍‌ ଶାହା କପ୍‌: ଫାଇନାଲ୍‌ରେ ଝୁଣ୍ଟିଲା ଭାରତ, ସୁଟ୍‌ଆଉଟ୍‌ରେ କୋରିଆ ବିଜେତା

ଇପୋ (ମାଲେସିଆ): ୨୦୧୦ ପରେ ପ୍ରଥମ ତଥା ଷଷ୍ଠ ଥର ପାଇଁ ବିଜେତା ହେବାର ଲକ୍ଷ୍ୟ ରଖିଥିବା ବିଶ୍ବ ମାନ୍ୟତାର ପଞ୍ଚମ ଭାରତ ଚଳିତ ଆଜ୍‌ଲାନ୍‌ ଶାହା କପ୍‌ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ଝୁଣ୍ଟିଲା। ବିଶ୍ବ ମାନ୍ୟତାର ସପ୍ତଦଶ କୋରିଆ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୧-୦ ଗୋଲ୍‌ରେ ଅଗ୍ରଣୀ ଥିବା ଭାରତ ପାଇଁ ବିଜେତା ହେବାର ଭରପୁର ସୁଯୋଗ ରହିଥିଲା। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ତଥା ନବମ ମିନିଟ୍‌ରେ ଚମତ୍କାର ଫିଲଡ ଗୋଲ୍‌ କରି ସିମ୍ରନ୍‌ଜିତ୍‌ ସିଂହ ଭାରତକୁ ଏହି ସୁଯୋଗ ଦେଇଥିଲେ। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଗୋଲ୍‌ ବରଣ କରିବାରୁ ନିର୍ଧାରିତ ସମୟ ୧-୧ରେ ଅମୀମାଂସିତ ରହିଥିଲା। ୪୭ ମିନିଟ୍‌ରେ ଜଙ୍ଗ୍‌ହ୍ୟୁନ୍‌ ଜାଙ୍ଗ୍‌ ପେନାଲ୍‌ଟି ଜରିଆରେ ଗୋଲ୍‌ ଶୁଝି ଦେଇ କୋରିଆକୁ ପ୍ରତ୍ୟାବର୍ତନ ପଥକୁ ଆଣିଥିଲେ। ଭାରତ ଚତୁର୍ଥ କ୍ବାର୍ଟରରେ କୋରିଆକୁ ଗୋଲ୍‌ କରିବାରୁ ନିବୃତ୍ତ ରଖିନପାରିବା ସାଙ୍ଗଙ୍କୁ ନିଜେ ମଧ୍ୟ ଗୋଲ୍‌ ଦେଇନପାରିବାରୁ ମ୍ୟାଚ୍‌ ସୁଟ୍‌ଆଉଟ୍‌ ଟାଣି ହୋଇଯାଇଥିଲା। ଶେଷରେ କୋରିଆ ୪-୨ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଏଥି ସହିତ କୋରିଆ ମଧ୍ୟ ତୃତୀୟ ଥର ପାଇଁ ବିଜେତା ଆଖ୍ୟା ହାତେଇ ନେଇଥିଲା। ସୁଟ୍‌ଆଉଟ୍‌ରେ ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ବୀ‌ରେନ୍ଦ୍ର ଲାକ୍ରା ଓ ବରୁଣ କୁମାର ଗୋଲ୍‌ କରିଥିଲା ବେଳେ ସୁମିତ୍ ଓ ସୁମିତ୍‌ କୁମାର ବିଫଳ ହୋଇଥିଲେ। ଅନ୍ୟପକ୍ଷରେ କୋରିଆ ପକ୍ଷରୁ କିମ୍‌ କିହୁନ୍‌ଙ୍କ ଗୋଲ୍‌କୁ ଭାରତୀୟ ଗୋଲ୍‌ରକ୍ଷକ କୃଷ୍ଣନ୍‌ ପାଠକ ଅଟକାଇ ଦେଇଥିଲେ ମଧ୍ୟ ଜୀ ଉ ଚିଓନ୍‌, ଲି ଜଙ୍ଗ୍‌ଜୁନ୍‌, ଜଙ୍ଗ୍‌ ମାଞ୍ଜେଇ ଓ ଅଧିନାୟକ ଲି ନାମୟଙ୍ଗ୍‌ ଗୋଲ୍‌ କରିବାରେ ସଫଳ ହୋଇଥିଲେ। ଫଳରେ ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା। ଫାଇନାଲ୍‌ ପୂର୍ବରୁ ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିଲା ବେଳେ ପରସ୍ପର ମୁକାବିଲା ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଶେଷ ଥର ପାଇଁ ଉଭୟ ଭାରତ ଓ କୋରିଆ ୨୦୧୦ରେ ଯୁଗ୍ମ ବିଜେତା ହୋଇଥିଲେ। ବର୍ଷା ଯୋଗୁଁ ସେହି ବର୍ଷର ଫାଇନାଲ୍‌ ମ୍ୟାଚ୍‌ ବାତିଲ ହୋଇଯାଇଥିଲା।

କନିଷ୍ଠ ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ୫
ଭୁବନେଶ୍ବର: ବେଙ୍ଗାଲୁରୁର ସାଇ ସେଣ୍ଟରଠାରେ ରବିବାରଠାରୁ ଆରମ୍ଭ ହେଉଥିବା ଭାରତୀୟ କନିଷ୍ଠ ମହିଳା ହକି ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ପାଞ୍ଚ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଶିବିରକୁ ସାରା ଦେଶର ୬୦ ଜଣ ଖେଳାଳି ଡାକରା ପାଇଥିବା ବେଳେ ଏହା ମାସାଧିକ କାଳ ଚାଲିବ ବୋଲି ଜଣାପଡ଼ିଛି। ଏଥିଲାଗି ଓଡ଼ିଶା ଖେଳାଳିମାନେ ରବିବାର ସକାଳେ ରାଞ୍ଚିରୁ ବିମାନ ଯୋଗେ ବେଙ୍ଗାଲୁରୁରେ ପହଞ୍ଚିବେ। ଶିବିରରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ମାରିଆନା କୁଜୁର, ଆଜମିନା କୁଜୁର, ଫିଲିସିଆ ଟପ୍ପୋ, ଜୀବନ କିଶୋରୀ ଟପ୍ପୋ ଓ କୁମୁଦିନି ଲାକ୍ରା। ଏହି ସଫଳତା ଲାଗି ପ୍ରଶିକ୍ଷକ ମିଲଟନ୍ ବିଲୁଙ୍ଗ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର