ଆବୁଧାବି ଟେଷ୍ଟ: ଶ୍ରୀଲଙ୍କା ୨୨୭/୪

ଆବୁଧାବି: ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତରେ ଥିବା ଶ୍ରୀଲଙ୍କା ଦଳ ଗୁରୁବାରଠାରୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିଛି। ଦୀନେଶ ଚାନ୍ଦିମଲ୍‌ଙ୍କ ନେତୃତ୍ୱରେ ସିଂହଳୀ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦିମୁଥ୍‌ କରୁଣାରତ୍ନେ ଓ କୌଶଲ୍‌ ସିଲ୍‌ଭା ସତର୍କତାର ସହ ପାଳି ଆରମ୍ଭ କରି ୧୭ ଓଭରରେ ୩୪ ରନ୍‌ ଯୋଡ଼ିଥିଲେ। ହେଲେ ଏହାପରେ ୮ ବଲ୍‌ ବ୍ୟବଧାନରେ ୨ଟି ଏବଂ ୨୮ ଓଭର ବେଳକୁ ତୃତୀୟ ଓ୍ଵିକେଟ୍‌ ହରାଇ ସିଂହଳୀ ଦଳ ସଂକଟରେ ପଡ଼ିଯାଇଥିଲା। କୌଶଲ୍‌ (୧୨) ହାସନ୍‌ ଅଲ୍ଲୀଙ୍କ ଶିକାର ହେବା ପରେ ୟାସିର୍‌ ଶାହା ଯୁଗଳ ଝଟ୍‌କା ଦେଇଥିଲେ। ସେ ଲାହିରୁ ଥିରିମାନେଙ୍କୁ ଖାତା ଖୋଲିବା ପୂର୍ବରୁ ଏବଂ କୁସାଲ୍‌ ମେଣ୍ଡିସ୍‌ (୧୦)ଙ୍କୁ ଆଉଟ୍‌ କରି ପାକିସ୍ତାନ ଶିବିରରେ ଆନନ୍ଦ ଖେଳାଇ ଦେଇଥିଲେ। ହେଲେ ଏହାପରେ କରୁଣାରତ୍ନେଙ୍କ ସହ ଯୋଗଦେଇଥିବା ଅଧିନାୟକ ଚାନ୍ଦିମଲ୍‌ ପାଳିକୁ ଆଗେଇ ନେଇଥିଲେ। ଦୁହେଁ ଚତୁର୍ଥ ଓ୍ଵିକେଟ୍‌ରେ ୧୦୦ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲା ବେଳେ କରୁଣାରତ୍ନେ (୯୩) ଦୁର୍ଭାଗ୍ୟବଶତଃ ରନ୍‌ ଆଉଟ୍‌ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ତେବେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଶ୍ରୀଲଙ୍କା ୪ ଓ୍ଵିକେଟ୍‌ ବିନିମୟରେ ୨୨୭ ରନ୍‌ କରିଥିଲା। ଚାନ୍ଦିମଲ୍‌ ୬୦ ଓ ନିରୋସାନ୍‌ ଡିକ୍‌ଓ୍ଵାଲା ୪୨ ରନ୍‌ରେ ଅପରାଜିତ ରହିଥିଲେ। ଦୁହେଁ ଅବିଭାଜିତ ପଞ୍ଚମ ଓ୍ଵିକେଟ୍‌ରେ ୬୬ ରନ୍‌ ଯୋଡ଼ିଛନ୍ତି।

ୟାସିର୍‌ଙ୍କ ଦ୍ରୁତତମ ୧୫୦
ଶ୍ରୀଲଙ୍କା ବିପକ୍ଷ ଆବୁଧାବି ଟେଷ୍ଟର ପ୍ରଥମ ଦିବସରେ ୨ ଓ୍ଵିକେଟ୍‌ ନେଇଥିବା ପାକିସ୍ତାନ ଲେଗ୍‌ ସ୍ପିନର ୟାସିର୍‌ ଶାହା ୧୫୦ ଓ୍ଵିକେଟ୍‌ ନେବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ସେ ଏହି କୀର୍ତିମାନ ପାଇବାରେ ନିଜ ଦେଶର ଦ୍ରୁତ ବୋଲର ଓକାର ୟୁନିସ୍‌ଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ୟୁନିସ୍‌ ଓ ୟାସିର୍‌ ନିଜ ନିଜର ୨୭ ଟେଷ୍ଟରୁ ୧୫୦ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରି ଦ୍ରୁତତମ କୀର୍ତିମାନ ପାଇଥିଲା ବେଳେ ଅଷ୍ଟ୍ରେଲିଆର ସିଡ୍‌ନି ବାର୍ନେସ୍‌ଙ୍କ ନାମରେ ବିଶ୍ୱ କୀର୍ତିମାନ ରହିଛି। ବାର୍ନେସ୍‌ (୧୯୧୩ ମସିହା ଡର୍ବାନ୍‌ ଟେଷ୍ଟରେ) ୨୪ ଟେଷ୍ଟରୁ ୧୫୦ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ହେଲେ ୟାସିର୍‌ ପ୍ରଥମ ସ୍ପିନର ଭାବେ ଦ୍ରୁତତମ ୧୫୦ ଓ୍ଵିକେଟ୍‌ ନେବାର କୀର୍ତିମାନ ପାଇଛନ୍ତି। ଏହା ପୂର୍ବରୁ ୟାସିର୍‌ ମଧ୍ୟ ଦ୍ରୁତତମ ୧୦୦ ଓ୍ଵିକେଟ୍‌ (୧୭ ଟେଷ୍ଟରୁ) ନେବାରେ କୀର୍ତିମାନ ସମକକ୍ଷ ହୋଇଥିଲେ। ଇଂଲଣ୍ଡର ଜର୍ଜ ଲୋହମାନ୍‌ ୧୬ ଟେଷ୍ଟରୁ ୧୦୦ ଓ୍ଵିକେଟ୍‌ ନେଇ ବିଶ୍ୱ କୀର୍ତିମାନ ନିଜ ନାମରେ ରଖିଥିଲା ବେଳେ ଅଷ୍ଟ୍ରେଲୀୟ ଯୋଡ଼ି ଚାର୍ଲି ଟର୍ନର ଓ କ୍ଲାରି ଗ୍ରିମେଣ୍ଟ୍‌ ଉଭୟେ ୟାସିର୍‌ଙ୍କ ଭଳି ୧୭ ଲେଖାଏଁ ଟେଷ୍ଟରୁ ୧୦୦ ଓ୍ଵିକେଟ୍‌ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର