ଉଲମର୍‌ଙ୍କ ଶ୍ରାଦ୍ଧ ବାର୍ଷିକୀ‌ରେ ପେଡି ଖୋଲିଲେ ଅଖତର

କରାଚୀ: ୨୦୦୭ ମସିହା ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ବେଳେ ପାକିସ୍ତାନ ବିପକ୍ଷ ଆୟର୍ଲାଣ୍ଡ୍‌ର ବିଜୟ ଢେର ଚର୍ଚା ସୃଷ୍ଟି କରିଥିଲା। ପ୍ରଥମ ରାଉଣ୍ଡ୍‌ରୁ ପାକିସ୍ତାନ ବିଦାୟ ନେବାର ପରଦିନ ଏହାର ମୁଖ୍ୟ ପ୍ରଶିକ୍ଷକ ବବ୍‌ ଉଲ୍‌ମରଙ୍କ ମରଶରୀର ହୋଟେଲ୍ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ବିଭିନ୍ନ ବିବାଦ ମୁଣ୍ଡ ଟେକିଥିଲା, ପାକିସ୍ତାନ ଖେଳାଳି ଉଲମରଙ୍କୁ ତଣ୍ଟିଚିପି ମାରି ଦେଇଥିବା ଅଭିଯୋଗ ମଧ୍ୟ ଉଠିଥ‌ିଲା। କିନ୍ତୁ କିଛି ମାସ ପରେ ଉଲମରଙ୍କ ମୃତ୍ୟୁର କାରଣ ସ୍ବାଭାବିକ ଥିଲା ବୋଲି ଜାମାଇକା କନଷ୍ଟାବୁଲାରି ଫୋର୍ସ ଘୋଷଣା କରିଥିଲା। ଗୁରୁବାର ତାଙ୍କର ତ୍ରୟୋଦଶ ଶ୍ରାଦ୍ଧ ବା‌ର୍ଷିକୀ ଅବସରରେ ତତ୍‌କାଳୀନ ପାକିସ୍ତାନ ଦଳର ଦ୍ରୁତ ବୋଲର ସୋଏବ ଅଖତର କହୁ କହୁ କିଛି ଗୋପନ କଥାକୁ ପଦାରେ ପକାଇ ଦେଇଛନ୍ତି। ନିଜ ୟୁ୍ଟ୍ୟୁବ୍ ଚାନେଲ୍‌ରେ ଉଲମରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ‌ଅଖତର୍ କହିଥିଲେ, ‘ସେ ପାକିସ୍ତାନ ଦଳର ଆଭ୍ୟନ୍ତରୀଣ ଅଙ୍ଗ ଥିଲେ। ମୁଁ ଜଣେ ଭଲ ବଂଧୁ ଓ ପିତାସମ ବ୍ୟକ୍ତିଙ୍କୁ ହରାଇଥିଲି। ମୋ ସମ୍ପର୍କରେ ତାଙ୍କର ଏକ ଭ୍ରାନ୍ତ ଧାରଣା ବି ଥିଲା, ମୁଁ କିନ୍ତୁ ଏହାକୁ ପ୍ରଦର୍ଶନ ଜରିଆରେ ଭୁଲ ପ୍ରମାଣିତ କରିଥିଲି।’। ଅଖତର ପୁଣି କହିଥିଲେ, ‘ଲୋକଙ୍କ ଧାରଣା ଆମ ଭିତରେ ଭାରି ଲଢ଼େଇ ହେଉଥିଲା, କିନ୍ତୁ ସେଭଳି କିଛି ନଥିଲା, ସେ ପ୍ରଶିକ୍ଷକ ହେବା ପରେ ଦିନେ ମୋ ପାଖକୁ ଆସି କହିଥିଲେ, ‘ସୋଏବ ତୁମଠାରୁ ମୁଁ କିଛି ଅସୁବିଧା ଆଶା କରିବି ନାହିଁ’। ମୁଁ କିନ୍ତୁ ତତ୍‌କ୍ଷଣାତ କହି ଦେଇଥିଲି ‘ଆପଣ ଭୁଲ ଲୋକ ସହ କଥା ହେଉଛନ୍ତି। ମୋ ଦ୍ବାରା କିଛି ସମସ୍ୟା ସୃଷ୍ଟି ହେବାର ନାହିଁ’। ଏହା ପରେ ଉଲମର୍ କହିଥିଲେ, ‘ଅନ୍ୟମାନେ ମୋତେ ଯାହା ଧାରଣା ଦେଇଛନ୍ତି ତାହା କହୁଛି’।

ଉଲମର୍‌ ଏବଂ ଅଖତରଙ୍କ ମଧ୍ୟରେ ବିଚାରଗତ ପ୍ରଭେଦ ଥିବାରୁ ଉଭୟ କ୍ବଚିତ୍ କଥାବାର୍ତା କରିଥାନ୍ତି। ଏ ସମ୍ପର୍କରେ ଅଖତର କହିଛନ୍ତି, ‘ମୁଁ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନରେ ବିଶ୍ବାସ କରେ, ମ୍ୟାଚ୍‌ ତୁରନ୍ତ ଶେଷ ହେଉ ବୋଲି ଆଶା ରଖିଥାଏ। କ୍ରିକେଟ୍ ମ୍ୟାଚ୍‌ ବିଜେତାଙ୍କ ଖେଳ। ଏକ ଭଲ ସ୍ପେଲ୍‌ ବୋଲିଂ କିମ୍ବା ଭଲ ପାଳିର ବ୍ୟାଟିଂ ସବୁକିଛି କରିଦିଏ। ବବ୍‌ କିନ୍ତୁ କ୍ରିକେଟ୍‌କୁ ଏକ ଦଳଗତ ଖେଳ ବୋଲି ଧରି ବସିଥାନ୍ତି’। ଆସେସ୍ ବିଜୟୀ ଇଂଲଣ୍ଡ ବିପକ୍ଷରେ ଆମେ ସେମାନଙ୍କୁ ଉଚିତ ଶିକ୍ଷା ଦେଇଥିଲୁ। ମୁଲତାନ ଏବଂ ଫୈସଲାବାଦ୍‌ରେ ୱିକେଟ୍‌ ନେଇଥିଲି। ଲାହୋର ଦିନିକିଆରେ ୫ ୱିକେଟ୍ ଅକ୍ତିଆର କରିଥିଲି। ଏହା ପରେ ଉଲମର୍ ନାଚି ନାଚି କହିଥିଲେ ‘ସୋଏବ୍‌ ତୁମେ ଠିକ୍ କହୁଥିଲ, ବ୍ୟକ୍ତିଗତ ପ୍ରଦର୍ଶନ ମ୍ୟାଚ୍‌ ଜିତାଏ’। ୨୦୦୭ ବିଶ୍ବକପ୍‌ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଶେଷ ଦେଖା ସମ୍ପର୍କରେ ଅଖତର କହିଥିଲେ, ‘ନିଜର ଯତ୍ନ ନିଅ, ବିଶେଷ ଚିନ୍ତିତ ହେବ ନାହିଁ, କାରଣ ଏହା ବିଶ୍ବର ଶେଷ ନୁହେଁ। ଯିବା ପୂର୍ବରୁ ସେ ମୋତେ କୁଣ୍ଢାଇ ପକାଇ କହିଥିଲେ, ‘ସୋଏବ ତୁମ ମିଳନରୁ ବଞ୍ଚିତ ହେବି’। ପାଲଟାରେ ମୁଁ ବି କହିଥିଲି ‘ମୁଁ ବି ଆପଣଙ୍କଠୁ ବଞ୍ଚିତ ହେବି’। ଏହା ପରେ ତାଙ୍କ ରହସ୍ୟମୟ ମୃତ୍ୟୁ ପର୍ଯ୍ୟନ୍ତ ଆଉ ଆମର ଦେଖା ହୋଇନଥିଲା। ମୋ ପାଇଁ ତାଙ୍କ ମୃତ୍ୟୁ ଯନ୍ତ୍ରଣାଦାୟକ ଥିଲା ବୋଲି ଅଖତର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର