‘ଏବେଠୁ ଫାଇନାଲ କଥା ଭାବିବା ଧୃଷ୍ଟତା’

ଭୁବନେଶ୍ବର: ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ନଭେମ୍ବର ୨୮ ତାରିଖରେ ଦକ୍ଷିଣ ଆଫ୍ରିକାକୁ ସଂଧ୍ୟା ୭ଟାରେ ଭେଟିବ। ଏହି ମ୍ୟାଚ୍‌ ଭାରତୀୟ ଦଳର ଉପ ଅଧିନାୟକ ଚିଙ୍ଗଲସାନା ସିଂହ କଙ୍ଗୁଜମଙ୍କ ପାଇଁ ବ୍ୟକ୍ତିଗତ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ। ଏହା ହେବ ଚିଙ୍ଗଲସାନାଙ୍କ ଖେଳ ଜୀବନର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍। ‘ଯଦି ସବୁକୁଛି ଠିକ୍‌ଠାକ୍‌ ଚାଲେ ତେବେ ମୁଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଏହି ବ୍ୟକ୍ତିଗତ ମାଇଲଖୁଣ୍ଟ୍ ମ୍ୟାଚ୍‌ ଖେଳିବି। ଭୁବନେଶ୍ବରର ଚମତ୍କାର ପ୍ରଶଂସକଙ୍କ ଆଗରେ ଏହି ମ୍ୟାଚ୍ ଖେଳିବାଠାରୁ ଆଉ କିଛି ଭିନ୍ନ ଅନୁଭବ ହୋଇନପାରେ। କଳିଙ୍ଗ ଷ୍ଟାଡିୟମ ବିଶ୍ବରେ ‌ମୋର ଅନ୍ୟତମ ପସନ୍ଦର ପଡ଼ିଆ। ଏଠାରେ ଏକ ସକାରାତ୍ମକ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି’ ବୋଲି କହିଛନ୍ତି ଚିଙ୍ଗଲସାନା।
 ପଦକ ଆଶା
ଭାରତୀୟ ଦଳ ଏବେ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଗତ ୩ ମାସ ଧରି ଆମେ ପ୍ରସ୍ତୁତି ଓ ପ୍ରତିଯୋଗିତାରେ ସମୟ ବିତାଇଛୁ। ଅଲିମ୍ପିକ୍ସ ପୂର୍ବରୁ ଏହା ଏକମାତ୍ର ବଡ଼ ପ୍ରତିଯୋଗିତା ଏବଂ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ୨୬ ବର୍ଷୀୟ ଏହି ମଣିପୁରୀ ମଧ୍ୟଭାଗ ଖେଳାଳି। ଏହି ସବୁ ଝାଳବୁହା କଠିନ ପରିଶ୍ରମକୁ ପ୍ରଦର୍ଶନରେ ପରିଣତ କରିବାର ଅଛି। ଆମକୁ ନିଶ୍ଚିତ ପଦକ ନେବାର ଅଛି। ସବୁ ଦଳ ପଦକ ଜିତିବା ଲକ୍ଷ୍ୟରେ ଆସୁଥିବାରୁ କାହାରିକୁ ହାଲକାରେ ନେଇ ହେବ ନାହିଁ। ଆମକୁ ଭଲ ପ୍ରଦର୍ଶନ କରିବାର ଅଛି ବୋଲି କହିଥିଲେ ଚିଙ୍ଗଲସାନା। ସବୁ ଖେଳାଳିଙ୍କ ଭଳି ଚିଙ୍ଗଲସାନା ମଧ୍ୟ ଦଳର ‘ମ୍ୟାଚ୍‌ ପରେ ମ୍ୟାଚ’ ରଣନୀତି କଥା ଦ‌ୋହରାଇଥିଲେ। ଲିଗ୍ ‌ଶେଷ ନ ହେବା ପୂର୍ବରୁ ଫାଇନାଲ୍ କଥା ଚିନ୍ତା କରିବା ଧୃଷ୍ଟତା ହେବ ବୋଲି ମତ ଦେଇଥିଲେ।

 ବୀରେନ୍ଦ୍ର ଭଲ ଡିଫେଣ୍ଡର
ଭାରତୀୟ ଦଳ ଅଧିନାୟକ ମନପ୍ରୀତ ସିଂହ, ଯୁବ ଯୋଡ଼ି ସୁମିତ ଓ ନୀଳକଣ୍ଠ ଶର୍ମାଙ୍କ ସହିତ ମଧ୍ୟଭାଗ ସମ୍ଭାଳିବାକୁ ଯାଉଥିବା ଚିଙ୍ଗଲସାନାଙ୍କ ମତରେ ପ୍ରତ୍ୟେକ ଖେଳାଳି ଭଲ ଅଛନ୍ତି। ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପ୍ରଦର୍ଶନ ଭଲ ରହୁଛି ବୋଲି ମଧ୍ୟ ସ୍ବୀକାର କରିଥିଲେ। ଉଭୟ ଜଣେ ଜଣେ ଭଲ ଡି‌ଫେଣ୍ଡର ବୋଲି ମଧ୍ୟ କହିଥିଲେ। ଭାରତୀୟ ଦଳରେ କିନ୍ତୁ ଅଧା ଡଜନ ଖେଳାଳି ୨୦୧୬ କନିଷ୍ଠ ବିଶ୍ବକପ୍‌ ଦଳରୁ ଥିବାରୁ ଏହା ଫାଇଦା ହେବ। ସେମାନେ ୨୦୦୬ରେ ଲକ୍ଷ୍ନୌରେ ୨୦,୦୦୦ ଦର୍ଶକଙ୍କ ସମ୍ମୁଖରେ ବିଶ୍ବକପ୍ ଜିତିଥିଲେ, ଇତି ମଧ୍ୟରେ ସେମାନେ ଅଭିଜ୍ଞ ହୋଇଗଲେଣି। କଳିଙ୍ଗ ଷ୍ଟାଡିୟମ ପ୍ରଶଂସକଙ୍କଠାରୁ ମିଳୁଥିବା ସମର୍ଥନ ଆମକୁ ନିଶ୍ଚିତ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି ଏହି ଡିଫେଣ୍ଡର ପ୍ରକାଶ କରିଥିଲେ।

 ମଣିପୁରରେ ଫୁଟ୍‌ବଲ ‌ଲୋକପ୍ରିୟ
ମଣିପୁରରେ ହକି ତୁଳନାରେ ଫୁଟ୍‌ବଲ ଅଧିକ ଲୋକପ୍ରିୟ। ଏପରିକି ଚିଙ୍ଗଲସାନା ସିଂହ ନାମରେ ମଧ୍ୟ ଜଣେ ଫୁଟବଲ୍‌ ଖେଳାଳି ଅଛନ୍ତି। ଏହି ନାମକୁ ନେଇ କୌଣସି ଦ୍ବନ୍ଦ୍ବ ହୁଏ ନାହିଁ ବୋଲି ଚିଙ୍ଗଲସାନା କହିଛନ୍ତି। ମଣିପୁରରେ ଏବେ ହକିର ଲୋକପ୍ରିୟତା ବଢ଼ିଛି। କିନ୍ତୁ ମୋତେ ମିଶାଇ ରାଜ୍ୟରୁ ମାତ୍ର ୩ ଜଣ ହକି ଖେଳାଳି ବିଶ୍ବକପ୍ ଖେଳିଛନ୍ତି। ବ୍ରୋଜେନ୍ ସିଂହ ମୋ ଖେଳ ଜୀବନ ସଫଳତାର ସବୁ ଶ୍ରେୟ ପାଇବେ ବୋଲି କହିଥିଲେ ଚିଙ୍ଗଲସାନା।

 ଦ୍ବିତୀୟ ବିଶ୍ବକପ୍
ନିଜ ଖେଳ ଜୀବନର ଦ୍ବିତୀୟ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି ଚିଙ୍ଗଲସାନା। ସାଥୀ ଖେଳାଳିଙ୍କ ମହଲରେ ଚିଙ୍ଗଲେଁ ନାମରେ ପରିଚିତ ଏହି ଅଭିଜ୍ଞ ଖେଳାଳି ୨୦୧୪ ଦି ହଗ୍ ବିଶ୍ବକପ୍‌ରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୧୧ ମସିହାରେ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରି ୨୦୧୩ରେ ଏସିଆ କପ୍ ରୌପ୍ୟ ରୂପାରେ ପ୍ରଥମ ପ୍ରମୁଖ ପଦକ ପାଇଥିଲେ। ଏହା ପରେ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ, ୨୦୧୭ ଏସିଆ କପ୍ ରୌପ୍ୟ, ଓଡ଼ିଶା ପୁରୁଷ ହକି ବିଶ୍ବ ଲିଗ୍ ଫାଇନାଲ କାଂସ୍ୟ, ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ, ଚାମ୍ପିଅନ୍ସ ଟ୍ରଫି ରୌପ୍ୟ, ଜାକର୍ତା-ପାଲେମବାଙ୍ଗ ଏସୀୟ କ୍ରୀଡ଼ା କାଂସ୍ୟ, ମସ୍କାଟରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ସହିତ ଯୁଗ୍ମ ବିଜେତା‌ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ହାର୍ଦିକଙ୍କ ମନରେ କେବଳ ଉଲ୍ଲାସ

ଭୁବନେଶ୍ବର: ମାତ୍ର ମାସକ ତଳେ ଭାରତୀୟ ଦଳରେ ସାମିଲ ହୋଇ ମସ୍କାଟ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ‌ଖେଳିଥିବା ଯୁବ ମିଡ୍‌ଫିଲଡର ହାର୍ଦିକ ସିଂହଙ୍କ ମନରେ ବିଶ୍ବକପ୍‌କୁ ନେଇ ଢ଼େର ଉତ୍ସାହ ଓ ଉଲ୍ଲାସ। ୨୦୧୬ କନିଷ୍ଠ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିବା ହାର୍ଦିକଙ୍କ ପାଇଁ ଏହା ସବୁଠୁ ମଡ଼ ମଇଦାନ ହୋଇଥିବା ବେଳେ ଲକ୍ଷ୍ନୌ ଅଭିଜ୍ଞତାକୁ ଭୁବନେଶ୍ବରରେ ପ୍ରୟୋଗ କରିବାକୁ ବ୍ୟଗ୍ର ଅଛନ୍ତି ଏହି ୨୦ ବର୍ଷୀୟ ପଞ୍ଜାବୀ ତାରକା। ଭାରତୀୟ ଦଳରେ କନିଷ୍ଠ ଓ ବରିଷ୍ଠଙ୍କ ମିଶ୍ରଣରୁ ଅନେକ କଥା ଶିଖି ହେଉଛି। ହକି ଇଣ୍ଡିଆ ଲିଗ୍‌ରେ ମଧ୍ୟ ମୁଁ ମିଶ୍ରିତ ଭାବେ ବହୁ ବରିଷ୍ଠ ଖେଳାଳିଙ୍କ ସହ ଖେଳିଛି। ଏସବୁ ମୋତେ ଅଭିଜ୍ଞତା ଦେଇଛି ଏବଂ ଯାତ୍ରା ଶିକ୍ଷଣୀୟ ଥିଲା। ଭୁବନେଶ୍ବର ପ୍ରଶଂସକଙ୍କ ଆଗରେ ବି ମୁଁ ହକି ଇଣ୍ଡିଆ ଲିଗ୍‌ରେ ଖେଳିଛି। ଏସବୁ ଅଭିଜ୍ଞତାକୁ ଉପଯୋଗ କରିବି ବୋଲି ଆତ୍ମବିଶ୍ବାସର ସହ କହିଛନ୍ତି ହାର୍ଦିକ। କନିଷ୍ଠ ବିଶ୍ବକପ୍ ଦଳର ସଦସ୍ୟ ଦୀପସାନ ବିଶ୍ବକପ୍ ବସ ମିସ୍ କରିଥିଲେ ମଧ୍ୟ ଖୁବ୍ ଶୀଘ୍ର ଦଳକୁ ଫେରିବେ ବୋଲି ହାର୍ଦିକ ଆଶା ପ୍ରକାଶ କରିଥିଲେ। ଏସିଆ କପ୍ ଏବଂ ବିଶ୍ବ ହକି ଲିଗ୍ ଫାଇନାଲରେ ସେ ଭଲ ଖେଳିଥିଲେ ବୋଲି ହାର୍ଦିକ ମନେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର