ଏବେ ରଣଜୀ ଟ୍ରଫିରେ ଡିଆର୍‌ଏସ୍‌

ମୁମ୍ବାଇ: ଦେଶର ଶ୍ରେଷ୍ଠ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ‘ରଣଜୀ ଟ୍ରଫି’ରେ ଏଣିକି ଡିଆର୍‌ଏସ୍ (ଡିସିସନ୍ ରିଭ୍ୟୁ ସିଷ୍ଟମ୍‌) ପ୍ରଚଳନ କରାଯିବ। ତେବେ ଡିଆର୍‌ଏସ୍‌ର ସୀମିତ ବ୍ୟବହାର ହେବ ଏବଂ କେବଳ ରଣଜୀ ଟ୍ରଫିର ନକ୍ ଆଉଟ୍ ମ୍ୟାଚ୍‌ ଗୁଡ଼ିକରେ ଏହା ପ୍ରଚଳନ କରାଯିବ ବୋଲି ବିସିସିଆଇ ଯୋଜନା କରିଛି। ବଡ଼ ଧରଣର ଅମ୍ପାୟାରିଂ ତ୍ରୁଟିକୁ ଏଡ଼ାଇବା ଲାଗି ଏଭଳି ଯୋଜନା ହୋଇଛି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍ ଭଳି ହକ୍ ଆଇ ଏବଂ ଅଲଟ୍ରାଏଜ୍‌ ବ୍ୟବସ୍ଥା ଉପଲବ୍‌ଧ‌ ହେବ ନାହିଁ। ‘ଗତବର୍ଷ ନକ୍ ଆଉଟ୍ ମ୍ୟାଚ୍‌ ବେଳେ ଅମ୍ପାୟାରମାନେ କେତେକ ବଡ଼ ଭୁଲ କରିଥିଲେ। ଏଥର ଏହାକୁ ଏଡ଼ାଇବା ଲାଗି ଆମେ ଚେଷ୍ଟା କରିବୁ। ଆମେ ନିକଟରେ ଉପଲବ୍‌ଧ ବୈଷୟିକ ବ୍ୟବସ୍ଥାର ଉପଯୋଗ କରିବୁ। କିନ୍ତୁ ଡିଆର୍‌ଏସ୍‌ର ସୀମିତ ସମ୍ବଳ ମଧ୍ୟରେ ପଡ଼ିଆ ଅମ୍ପାୟାରଙ୍କ ଜରିଆରେ ଯଥାସମ୍ଭବ ସଠିକ୍ ନିଷ୍ପତ୍ତି ବାହାର କରିବାକୁ ଚେଷ୍ଟା ରହିବ’ ବୋଲି କହିଛନ୍ତି ବିସିସିଆଇର ମହାପ୍ରବଂଧକ (କ୍ରିକେଟ୍‌) ସୟଦ ସବା କରିମ୍‌। ଏହାକୁ ମଧ୍ୟ ଚଳିତ ବର୍ଷ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ଜୁନ୍‌ ମାସରେ ଅନୁମୋଦନ କରି ସାରିଛି ବୋଲି କରିମ୍ କହିଥିଲେ। କିନ୍ତୁ ଘରୋଇ କ୍ରିକେଟରେ କିଭଳି ଭାବେ ଏହା ବ୍ୟବହାର ହୋଇପାରିବ ତାହାର ପରୀକ୍ଷା ନିରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷର ରଣଜୀ ଟ୍ରଫି ଡିସେମ୍ବରରୁ ଆରମ୍ଭ ହେବ। ଗତ ଋତୁର କର୍ଣ୍ଣାଟକ-ସୌରାଷ୍ଟ୍ର ସେମିଫାଇନାଲ୍‌ରେ ଅମ୍ପାୟାରଙ୍କ ଏକାଧିକ ତ୍ରୁଟିକୁ ନେଇ ସମାଲୋଚନା ହୋଇଥିଲା। ଚେତେଶ୍ବର ପୂଜାରା ଏଜ୍‌ କାରଣରୁ ଦୁଇ ଥର କ୍ୟାଚ୍‌ ହୋଇଥିଲେ ମଧ୍ୟ ଅମ୍ପାୟାର୍ ତାଙ୍କୁ ନଟ୍ ଆଉଟ୍ ଘୋ‌ଷଣା କରିଥିଲେ। ଏହି କାରଣରୁ କର୍ଣ୍ଣାଟକକୁ ମୂଲ୍ୟ ଦେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର