ଓସିଏ ନିର୍ବାଚନ: ସମସ୍ତଙ୍କ ପ୍ରାର୍ଥିତ୍ବ କାଏମ, ନାମାଙ୍କନ ପ୍ରତ୍ୟାହାର କରିପାରନ୍ତି ପ୍ରଭାତ

କଟକ,: ଓସିଏ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। କାଉନସିଲ ସଦସ୍ୟ ଭାବେ ଶୁଭାଶିଷ ସେନାପତି ଅପ୍ରତିଦ୍ବନ୍ଦ୍ବୀ ରହିଥିଲା ବେଳେ ଅନ୍ୟ ୫ ପଦବି ପାଇଁ ୧୧ ଜଣ ନାମାଙ୍କନ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ସ˚ଜୟ ବେହେରାଙ୍କ ଗୋଷ୍ଠୀରୁ ଯୁଗ୍ମ ସମ୍ପାଦକ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରଭାତ କୁମାର ଭୋଳ ନାମାଙ୍କନ ପ୍ରତ୍ୟାହାର କରିନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଯାହାଫଳରେ ଏହି ଗୋଷ୍ଠୀରୁ ଝାରସୁଗୁଡ଼ାର ମେହତାବ ଖାନ୍‌ ପ୍ରତିଦ୍ବନ୍ଦ୍ବିତା କରିବା ସମ୍ଭାବନା ଅଧିକ ଅଛି। ପଶ୍ଚିମ ଓଡ଼ିଶାରୁ ଦୁଲାଲ ପ୍ରଧାନଙ୍କ ପରେ ମେହେତାବ ଖାନ୍‌ ଅନ୍ୟତମ ପ୍ରମୁଖ କ୍ରୀଡ଼ା ସ˚ଗଠକ ଭାବେ ଜଣାଶୁଣା। ତେଣୁ ତାଙ୍କ ଉପରେ ଏହି ଗୋଷ୍ଠୀ ଅଧିକ ନିର୍ଭର କରିବା ସହ ପଶ୍ଚିମ ଓଡ଼ିଶାର ଭୋଟଗୁଡ଼ିକୁ ହାତେଇବା ପାଇଁ ଏହା ଅନ୍ୟ ଏକ ଯୋଜନା ବୋଲି କୁହାଯାଇପାରେ। ତଥାପି ନାମାଙ୍କନ ଦାଖଲ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ କାଏମ ରହିଥିବା ଜଣାପଡ଼ିଛି। ପ୍ରଦୀପ ଚୌହାନଙ୍କ ଗୋଷ୍ଠୀରୁ ସୋନପୁରରୁ ଉପସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କ ନାମାଙ୍କନ ଉପରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ନାମାଙ୍କନରେ ସାକ୍ଷୀ ଭାବେ ସନରାଇଜ କ୍ଲବ୍‌ର କୋଷାଧ୍ୟକ୍ଷଙ୍କୁ ପକାଯାଇଥିବାରୁ ଏହା ଉପରେ ବିପକ୍ଷ ପ୍ରାର୍ଥୀ ଆପତ୍ତି ଉଠାଇଥିଲେ। ପ୍ରାର୍ଥୀ ଯେଉଁ ଜିଲ୍ଲାର, ସେଠାକାର ଜଣେ ସାକ୍ଷୀ ପଡ଼ିବା ଦରକାର ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତଥାପି ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ନିର୍ବାଚନ ଅଧିକାରୀ ପ୍ରଶାନ୍ତଙ୍କ ପ୍ରାର୍ଥିତ୍ବକୁ କାଏମ ରଖିଛନ୍ତି। ଏସ˚ପର୍କରେ ରବିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ଭୋଟର ତାଲିକାର ସମସ୍ତ ସଭ୍ୟ ଭୋଟ ଦେବାକୁ ଯୋଗ୍ୟ: ମଜୁମଦାର
ବିସିସିଆଇ ପ୍ରଶାସନିକ ସମିତି (ସିଓଏ) ଦେଇଥିବା ସ୍ପଷ୍ଟୀକରଣ ପରେ ମଧ୍ୟ ଓସିଏ ନିର୍ବାଚନ ଅଧିକାରୀ ସ˚ଘର ସମ୍ବିଧାନ ଅନୁସାରେ ନିର୍ବାଚନ କରାଇବା ପାଇଁ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ୧୬ ତାରିଖରେ ସିଓଏ ଜାରି କରିଥିବା ସ୍ପଷ୍ଟୀକରଣରେ ଅଯୋଗ୍ୟ ପ୍ରତିନିଧିମାନେ ଭୋଟ ଦେଇପାରିବେନି ବୋଲି କୁହାଯାଇଥିଲେ ବି ଶେଷ ନିଷ୍ପତ୍ତି ନିର୍ବାଚନ ଅଧିକାରୀଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ସେହି ଅନୁସାରେ ଓସିଏ ସମ୍ବିଧାନରେ ଯାହା ନୀତି ନିୟମ ରହିଛି ତାହାକୁ ଆଧାରକରି ନିର୍ବାଚନ ପରିଚାଳନା କରାଯିବ ବୋଲି ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାର କହିଛନ୍ତି। ଓସିଏ ସମ୍ବିଧାନରେ କୌଣସିଠାରେ ୯ ବର୍ଷିୟା ନିୟମ ଅନୁସାରେ ଭୋଟ ଦେବା ଅଧିକାରରୁ କାହାକୁ ବଞ୍ଚିତ କରୁଥିବା ଉଲ୍ଲେଖ କରାଯାଇନାହିଁ। ଏହା କେବଳ କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ କ୍ଷେତ୍ରରେ ଲାଗୁ କରାଯିବ। କିନ୍ତୁ ଅନ୍ୟମାନଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେଁ ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏହି ଅନୁସାରେ ଆଶୀର୍ବାଦ ବେହେରାଙ୍କ ସହ ଶିବ ତ୍ରିପାଠୀ, ଅଧୀପ ଦାସ, ଅନୁପ ପାତ୍ର ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତଥାପି ଆଶୀର୍ବାଦଙ୍କ କ୍ଷେତ୍ରରେ ମାମଲା ଭିନ୍ନ ରହୁଛି। ତାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି, କିନ୍ତୁ ଚାର୍ଜଫ୍ରେମ୍‌ ହୋଇନାହିଁ। ଥରେ ଚାର୍ଜଫ୍ରେମ୍‌ ହେଲେ ସେ ଭୋଟ ଦେବା ଅଧିକାରରୁ ବଞ୍ଚିତ ହେବେ। ତଥାପି ବର୍ତ୍ତମାନ ପରିସ୍ଥିତିରେ ଯଦି ସେ କୋର୍ଟରୁ ଅନୁମତି ଆଣି ଭୋଟ ଦେବାକୁ ଆସନ୍ତି, ତାହେଲେ ଏହାକୁ ଗ୍ରହଣ କରାଯାଇପାରିବ। ସେହିପରି ତିନି ଆନ୍ତର୍ଜାତିକ କ୍ରିକେଟର ଯଦିଓ ବିସିସିଆଇ ସହିତ ବିଭିନ୍ନ କାର୍ଯ୍ୟରେ ନ୍ୟସ୍ତ ହୋଇଛନ୍ତି ସେମାନେ ଭୋଟ ଦେବାରେ କୌଣସି ସମସ୍ୟା ନାହିଁ। ଯଦି କେହି ବିସିସିଆଇ ପାଇଁ ବାହାରେ କୌଣସି ମ୍ୟାଚ ଆୟୋଜନରେ ବ୍ୟସ୍ତ ରୁହନ୍ତି, ସେ କ୍ଷେତ୍ରରେ କ’ଣ କରାଯିବ ତାହା ଉପରେ ପରେ ନିଷ୍ପତ୍ତି ନିଆଯିବ। ତଥାପି ସମସ୍ତେ ଭୋଟ ଦେବା ପାଇଁ ଗୋଟିଏ ଦିନ ସମୟ ବାହାର କରିବାରେ କୌଣସି ଅସୁବିଧା ନାହିଁ ବୋଲି ମଜୁମଦାର କହିଛନ୍ତି।

ସମ୍ବନ୍ଧିତ ଖବର