କଲମ୍ବୋ ଟେଷ୍ଟ୍‌ରେ ପୁଣି ବର୍ଷା ବାଧକ

କଲମ୍ବୋ: ପ୍ରଥମ ଦୁଇ ଦିନ ବର୍ଷା ବାଧକରେ ବିତିବା ପରେ ଏଠାରେ ଚାଲିଥିବା ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିନ ସ୍ବାଭାବିକ ଭାବେ ସଂପୂର୍ଣ୍ଣ ଓଭର ଖେଳ ସମ୍ଭବ ହୋଇଥିଲା ହେଲେ ଚତୁର୍ଥ ଦିବସରେ ପୁଣି ବର୍ଷା ଓ ଓଦା ପଡ଼ିଆ ପାଇଁ ମ୍ୟାଚ୍‌ରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଚତୁର୍ଥ ଦିବସରେ ୪୮ ଓଭର ଖେଳ ସମ୍ଭବ ହୋଇଛି। ଆଉ ଏହି ୪୮ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ଗୋଟିଏ ୱିକେଟ୍‌ ହରାଇ ୧୮୬ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିନେଇଛି। ଏଥି ସହିତ ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ହାତରେ ୫ ୱିକେଟ୍‌ ଥାଇ ୧୩୮ ରନ୍‌ର ଅଗ୍ରଣୀ ପାଇସାରିଛି।

ତୃତୀୟ ଦିବସରେ ଘରୋଇ ଶ୍ରୀଲଙ୍କା ପ୍ରଥମ ପାଳିକୁ ୨୪୪ ରନ୍‌ରେ ଅଟକାଇ ଦେବା ପରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଟମ୍‌ ଲାଥାମ୍‌ଙ୍କ ଅପରାଜିତ ଶତକ ବଳରେ ୧୯୬/୪ କରିଥିଲା। ରବିବାର ଚତୁର୍ଥ ଦିବସରେ ବର୍ଷା ଯୋଗୁଁ ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ଖେଳ ଆରମ୍ଭ ହୋଇପାରିନଥିଲା। ସେହିପରି ଚା’ ବିରତି ପରେ ମଧ୍ୟ ବର୍ଷା ବାଧା ପହଞ୍ଚାଇଥିଲା। ତୃତୀୟ ଦିବସ ଶେଷରେ ୧୧୧ ରନ୍‌ରେ ଅପରାଜିତ ରହିଥିବା ଲାଥାମ୍‌ ଚତୁର୍ଥ ଦିବସରେ ଆଉ ୪୩ ରନ୍ ଯୋଡ଼ି ୧୫୪ ରନ୍‌ରେ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ୱିକେଟ୍‌ରକ୍ଷକ ବିଜେ ୱାଟ୍‌ଲିଙ୍ଗ୍‌ଙ୍କ ସହିତ ପଞ୍ଚମ ୱିକେଟ୍‌ରେ ୧୪୩ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ଲାଥାମ୍‌ଙ୍କୁ ଆଉଟ୍‌ କରି ଦିଲରୁୱାନ ପେରେରା ଯୋଡ଼ି ଭାଙ୍ଗିଥିଲେ। ତେବେ ଏହାପରଠୁ ସିଂହଳୀ ବୋଲରଙ୍କୁ ଆଉ କୌଣସି ସଫଳତା ମିଳିନଥିଲା। ବିଶେଷକରି ୱାଟ୍‌ଲିଙ୍ଗ୍‌ ଓ କଲିନ୍‌ ଡି ଗ୍ରାଣ୍ଡୋମେ ଅସମାପ୍ତ ଷଷ୍ଠ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ଶ୍ରୀଲଙ୍କାକୁ ନିରାଶ କରିଛନ୍ତି। ଦୁହେଁ ମଧ୍ୟ ନିଜ ନିଜର ଅର୍ଧଶତକ ଜମାଇ ଅପରାଜିତ ରହିଛନ୍ତି। ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ନ୍ୟୁଜିଲାଣ୍ଡ୍‌ ସ୍କୋର୍‌ ୩୮୨/୫ ରହିଥିଲା ବେଳେ ୱାଟ୍‌ଲିଙ୍ଗ୍‌ ୮୧ ଓ ଗ୍ରାଣ୍ଡୋମେ ୮୩ ରନ୍‌ରେ ଅପରାଜିତ ରହିଛନ୍ତି। ପେରୋ ୩୭-୪-୧୧୪-୩ ବୋଲିଂ ଚିତ୍ର ସହ ଶ୍ରୀଲଙ୍କାର ସଫଳ ବୋଲର ରହିଛନ୍ତି।

ସମ୍ବନ୍ଧିତ ଖବର